ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଭୁବନେଶ୍ୱରରେ ଲାଗିଛି ଖୁସିର ଲହରୀ । ସ୍ମାର୍ଟ ସିଟି ତାଲିକାରେ ଦେଶର ୨୦ ଟି ସହର ମଧ୍ୟରୁ ଶୀର୍ଷରେ ଭୁବନେଶ୍ୱର । ନଗର ଉନ୍ନୟନ ମନ୍ତ୍ରୀ ଭେଙ୍କିୟାନାଇଡୁ ଦିଲ୍ଲୀରେ ଏହି ତାଲିକା ପ୍ରକାଶ କରିବା କ୍ଷଣି ଭୁବନେଶ୍ୱରରେ ଖୁସିର ମାହୋଲ । ସାଧାରଣ ଲୋକ ଦୋକାନ/ ବଜାର, ଚା ଖଟିରେ ଏହା ଚର୍ଚ୍ଚା କରୁଥିବା ବେଳେ ବିଜେଡ଼ି ଶାସିତ ଭୁବନେଶ୍ୱର ମହାନଗର ନିଗମ ଖୁସି ମନାଇବାରେ ମାତିଛି । ଭୁବନେଶ୍ୱରର ତିନି ବିଧାୟକ, ମେୟର ଓ ସମସ୍ତ ବିଜେଡ଼ି କର୍ପୋରେଟର ଖୁସି ସହ ମିଠା ବାଣ୍ଟୁଛନ୍ତି । ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି । ସମଗ୍ର ରାଜ୍ୟ ପାଇଁ ଏହି ଖବର ଗର୍ବ ଆଣିଥିବା ବେଳେ ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି । ବିଜେଡ଼ି ଓ ବିଜେପି ଭିତରେ ଆରମ୍ଭ ହୋଇଛି ବାହାବା ପ୍ରତିଯୋଗିତା । ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗୁଁ ଏହା ସମ୍ଭବ ହୋଇଥିବା ବିଜେପି ବାଲା ପ୍ରଚାର କରୁଥିବା ବେଳେ ବିଜେଡ଼ି କିନ୍ତୁ ସବୁ ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇ ଜୋରଦାର ପ୍ରଚାର ଆରମ୍ଭ କରିଛି । ବାସ୍ତବରେ ଓଡ଼ିଶା ରାଜନୀତିକୁ ପ୍ରସଙ୍ଗଟି ବେଶ୍ ସରଗରମ କରିଛି । ଆଇଏଏସ୍ ପରୀକ୍ଷା ଭଳି କଠିନ ପ୍ରତିଯୋଗିତାରେ ଭୁବନେଶ୍ୱର ଏକ ନମ୍ବର ହୋଇଥିବା ଭେଙ୍କିୟାନାଇଡୁ କହିଲା ପରେ ଏହାକୁ ରାଜନୀତି ମାପକାଠିରେ ତଉଲାଯିବା ପଛର କାରଣ ଜନସାଧାରଣଙ୍କୁ ଭ୍ରମରେ ପକାଇଛି । ବାସ୍ତବରେ ଏହା ପଛରେ ଆଉ କ’ଣ ଗୁମର ଲୁଚିଛି କି ତାହା ଏବେ ଅନୁସନ୍ଧାନ ଅପେକ୍ଷାରେ ।