ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ୫ ବର୍ଷ ହେଲା ପୁଲିସ ପୋଷାକରେ ତାଙ୍କୁ କେହି ଦେଖିନାହାନ୍ତି । ସଚିବାଳୟ ମାଟି ଛାଡ଼ି ଚୋର କି ନକ୍ସଲଙ୍କ ସହ ଫାଇଟ୍ କରିନାହାନ୍ତି । ମାତ୍ର ପୁଲିସ ଭାବେ ତାଙ୍କର ବିଶିଷ୍ଟ ସେବା ସରକାରଙ୍କ ମନ ମୋହିନେଇଛି । ତାଙ୍କର ସେହି ବିଶିଷ୍ଟ ସେବାକୁ ମିଳିବ ପ୍ରେସିଡେଣ୍ଟ ମେଡାଲ୍ । ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ରାଷ୍ଟ୍ରପତିଙ୍କଠାରୁ ପଦକ ଗ୍ରହଣ କରି ଗୌରବାନ୍ୱିତ ହେବେ ଆଇପିଏସ୍ ଲଳିତ ଦାସ ।
ସାଧାରଣତନ୍ତ୍ର ଦିବସରେ ଘୋଷିତ ରାଷ୍ଟ୍ରପତି ପଦକ ତାଲିକାରେ ରାଜ୍ୟରୁ ୬ ଆପିଏଏସ୍ ଙ୍କ ସମେତ ୪୦ ଜଣ ପୁଲିସ ଓ ଅଗ୍ନିଶମ ଅଧିକାରୀ ଓ କର୍ମଚାରୀଙ୍କ ଭିତରେ ଅଛନ୍ତି ଲଳିତ ଦାସ । ଅଧୁନା ରାଜ୍ୟ ସରକାରଙ୍କ ଗୃହ ବିଭାଗରେ ସ୍ୱତନ୍ତ୍ର ଶାସନ ସଚିବ ଭାବେ ଅବସ୍ଥାପିତ । ୫ ବର୍ଷ ହେଲାଣି ସେ ଏହି ପଦବୀରେ ଅଛନ୍ତି । ୨୦୧୧ ରେ ସେ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ । କହିବା ବାହୁଲ୍ୟ ଯେ, ରାଷ୍ଟ୍ରପତି ପଦକର ହିତାଧିକାରୀ ଚୟନରେ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଫାଇଲ୍ ତାଙ୍କ ଦପ୍ତରରୁ ପ୍ରସ୍ତୁତ ହୋଇ ଉପରକୁ ଯାଏ କହିଲେ ଭୁଲ୍ ହେବନି । ଅବଶ୍ୟ ଏହା କହିବା ଠିକ୍ ହେବନି ଯେ ସ୍ୱନାମଧନ୍ୟ ଆଇପିଏସ୍ ଅଧିକାରୀ ଲଳିତ ଦାସ ନିଜକୁ ନିଜ ନାଁ ତାଲିକାଭୁକ୍ତ କରିଛନ୍ତି । ମାତ୍ର ଯେମିତି ବି ହେଉ ଲଳିତ ଦାସଙ୍କ ନାଁ ଆସିବା ପଛର ଯୁକ୍ତି ବୁଝିହେଉନି ।
ତାଙ୍କର ଦକ୍ଷତା ଥାଇପାରେ ମାତ୍ର ଏମିତି ବିଶିଷ୍ଟ ସେବା ଓଡ଼ିଶା ପୁଲିସକୁ ସେ ଦେଇନାହାନ୍ତି ଯାହା କି ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇବ । ତାଙ୍କ ଉପରେ ଅନେକ ଆଇପିଏସ୍ ଅଛନ୍ତି ଯେଉଁମାନେ ନିରବଚ୍ଛିନ୍ନ ଭାବେ ଖଟିଚାଲିଛନ୍ତି । ନକ୍ସଲଙ୍କୁ ସାହସର ସହ ମୁକାବିଲା କରି ନିପାତ କରିଛନ୍ତି । ରାଜ୍ୟର ସୁରକ୍ଷା ପାଇଁ ଝାଳନାଳ ଦେଉଛନ୍ତି । ମାତ୍ର ଲଳିତ ଦାସ ସେଭଳି କିଛି କରିନାହାନ୍ତି କି କରିବାର ସୁଯୋଗ ପାଇନାହାନ୍ତି ।
୧୯୯୨ ବ୍ୟାଚ୍ ର ଆଇପିଏସ୍ ହେଉଛନ୍ତି ଲଳିତ ଦାସ । ଚାକିରିର ଅଧାସମୟ ସେ ଝାଡଖଣ୍ଡରେ କଟାଇ ଓଡ଼ିଶା ଆସିଛନ୍ତି । ତାଳଚେର ରେଞ୍ଜର ଡିଆଇଜିରୁ କାମ ଆରମ୍ଭ କରିଥିବା ଲଳିତ ୨୦୧୦ରେ ଆଇଜି ସେଣ୍ଟ୍ରାଲ୍ ରେଞ୍ଜକୁ ବଦଳି ହୋଇଥିଲେ । ୨୭.୫.୨୦୧୧ରେ ପୁଲିସ ଆଧୁନିକୀକରଣର ଆଇଜି ହେଲେ । ଆଉ ୧୪.୧୨.୨୦୧୧ ରେ ସଚିବାଳୟରେ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦାୟିତ୍ୱ ନେଇ କାର୍ଯ୍ୟ କରୁଛନ୍ତି । ତେବେ ଫିଲଡ୍ ଚାକିରି ଜୀବନରେ ସେଭଳି କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ କି ଉଲ୍ଲେଖନୀୟ ସେବା ଦେଇ ନ ଥିବା ଲଳିତ ୫ ବର୍ଷ ହେଲା ସଚିବାଳୟରେ ବସିଥିଲେ ମଧ୍ୟ ଅଚାନକ ତାଙ୍କୁ ଉଲ୍ଲେଖନୀୟ ଓ ବିଶିଷ୍ଟ ସେବାରେ ରାଷ୍ଟ୍ରପତିଙ୍କ ପଦକ ଦେବା ଖୋଦ୍ ଆଇପିଏସ୍ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଖବର ରାଷ୍ଟ୍ରପତି ପଦକ ପାଇବାକୁ ହକ୍ ରଖିଥିବା ଅଫିସରଙ୍କୁ ନିରାଶ ଓ ହତୋତ୍ସାହିତ କରିଛି । ରାଷ୍ଟ୍ରପତି ପଦକରେ ବି ମଜାକ୍ ଅଛି ଏବେ ସେହି ଅଫିସରମାନେ ବୁଝୁଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ପୁଲିସରୁ ଅମଲା ପାଲଟିଥିବା ଲଳିତ ଦାସଙ୍କର ସଚିବାଳୟର ତୃତୀୟ ମହଲାରେ ଭାରି କାଟତି । ଏମିତିରେ ଦକ୍ଷ ଓ ପ୍ରତିପତ୍ତିସମ୍ପନ୍ନ । ଅନେକ ହୁଏତ ଜାଣି ନ ଥିବେ ଲଳିତ ହେଉଛନ୍ତି ସରକାରରେ ଏକଦା ପାୱାରଫୁଲ୍ ତଥା ଜଳସମ୍ପଦ ବିଭାଗର ପୂର୍ବତନ ଚିଫ୍ ଇଂଜିନିୟର ଅକ୍ଷୟ କୁମାର ଦାସ ଓ ଖ୍ୟାତିସମ୍ପନ୍ନ ଲେଖିକା ପ୍ରତିଭା ରାୟଙ୍କ ଜ୍ୱାଇଁ ।