ଭୁବନେଶ୍ୱର() ନିମାପଡ଼ାର କୁହାଳିଆ ବିଧାୟକ ତଥା ବିଜେଡ଼ିର ଅନ୍ୟତମ ତୁଣ୍ଡ ସମୀର ଦାଶଙ୍କ ନିଦ ହଜିଯାଇଛି । ଦୁଃଖରେ ନିଦ ହଜିନି ତାଙ୍କର । ମନରେ ଏତେ ଖୁସି ଓ ଆନନ୍ଦ ଯେ ସେସବୁ ସ୍ୱପ୍ନ ରୂପରେ ଟହଲ ମାରୁଛନ୍ତି ସମୀରଙ୍କ ଆଖିରେ । ବେଡ୍ ରେ ପଡ଼ିଲା କ୍ଷଣି ଆଖି ଆଗରେ ଖାଲି ନାଲିବତୀ ବୁଲୁଛି । ସେଇ ନାଲିବତୀର ଚମକ ସମୀରଙ୍କ ନିଦ ଛଡ଼ାଇ ନେଇଛି । ଆଗରୁ ବେଳେ ବେଳେ ଏମିତି ସମସ୍ୟା ଥିଲା ମାତ୍ର ଦୁଇଦିନ ହେଲା ବେଶୀ ହୋଇଛି । ଖାସ୍ କରି ୯ ବିଧାୟକଙ୍କୁ ନାଲିବତୀ ମନା ହେବା ପରେ ସମୀରଙ୍କ ସ୍ୱପ୍ନ ଲହଡ଼ି ମାରିବା ଆରମ୍ଭ କରିଛି ।
ନୃସିଂହ ଚରଣ ସାହୁ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମହେଶ ସାହୁ, ବଳଭଦ୍ର ମାଝୀ ଓ ଶଶୀଭୂଷଣ ବେହେରାଙ୍କ ଭଳି ବରିଷ୍ଠ ବିଧାୟକମାନେ ମନ୍ତ୍ରୀ ପଦ ପାଇବାକୁ ହାତ ଟେକି ବସିଥିଲେ । ମାତ୍ର ଚତୁର ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ପଦରେ ବସାଇ ଶାନ୍ତ୍ୱନାମୂଳକ ଭାବେ ନାଲିବତୀ ଧରାଇ ଦେଇଛନ୍ତି । ଅତଏବ ପରବର୍ତ୍ତୀ ସମ୍ପ୍ରସାରଣର ସମ୍ଭାବ୍ୟ ତାଲିକାରୁ ସେମାନେ ବାଦ୍ ପଡ଼ିଯାଇଛନ୍ତି । ମନ୍ତ୍ରୀ ଲବିରେ ସେମାନଙ୍କୁ ଆଉ ଦେଖିବାକୁ ମିଳିବନି କି ନବୀନ ନିବାସରେ ଅଳି କରିବେ ନାହିଁ । ତେବେ ଆଶାୟୀ ମନ୍ତ୍ରୀଙ୍କ ତାଲିକା କାଟଛାଣ୍ଟ ହୋଇଗଲା ପରେ ସମୀର ଦାଶଙ୍କ ଖୁସି କହିଲେ ନ ସରେ । ମନ୍ତ୍ରୀ ପଦକୁ ଖୁବ୍ ପାଖରୁ ଦେଖିଲେଣି ସେ ।
ସମୀରଙ୍କ ମନର ଆନନ୍ଦ ସୋମବାର ଦିନ ସଚିବାଳୟରେ ଦେଖିବାକୁ ମିଳିଥିଲା । ଦିନ ସାଢ଼େ ବାର ପାଖାପାଖି ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ୯ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ନାଁ ଘୋଷଣା ହେଲା । ସେତେବେଳେ ତୃତୀୟ ମହଲାରେ ଉପସ୍ଥିତ ଥିଲେ ସମୀର । ତାଲିକାରେ ତାଙ୍କ ନାଁ ନ ଦେଖି ସେ ଖୁସିରେ ଅଧୀର ହୋଇପଡ଼ିଲେ । ମନର ଚାପା ଖୁସି କାହା ଆଗରେ ପ୍ରକାଶ କରିବାକୁ ଅତର୍ଚ୍ଛିଆରେ ତଳକୁ ଆସିଲେ । ଆଉ ତଳେ ଉପସ୍ଥିତ ସାମ୍ବାଦିକ ଭାଇମାନଙ୍କୁ ଏ ଖବର ଦେଇ ନିଜର ଆନନ୍ଦ ଜାହିର କଲେ । କହିଲେ ଭାଇ ବଞ୍ଚିଗଲି । ବୁଢ଼ା(ମୁଖ୍ୟମନ୍ତ୍ରୀ) ମୋତେ ସେୟାଡକୁ ଆଡଜଷ୍ଟ୍ କରିଦେଇଥିଲେ ସବୁ ସରିଯାଇଥାଆନ୍ତା । କି ଜିଲ୍ଲା ଯୋଜନା ବୋର୍ଡ କମିଟି ଅଧ୍ୟକ୍ଷ ହୋ । ନାଁକୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା । କାମକୁ କିଛି ନୁହେଁ । ସାମ୍ବାଦିକମାନେ ତାଙ୍କର ଅକୁହା କଥାକୁ ଖୋଲିବାକୁ ଚେଷ୍ଟା କଲା ମାତ୍ରେ ସମୀର ଆଉ ପଛକୁ ଚାହିଁଲେ ନାହିଁ । ସ୍ଥାନ, କାଳ ପାତ୍ର ଭୁଲି ଗପି ଚାଲିଲେ ଆଉ ଇଙ୍ଗିତ ଦେଲେ ଯେ ତାଙ୍କ ମନ୍ତ୍ରୀ ହେବାଟା ଥୟ । କେହି ତାଙ୍କୁ ରୋକିପାରିବେନି । ତୃତୀୟ ମହଲାରୁ ସେ ସ୍ପଷ୍ଟ ଇଙ୍ଗିତ ପାଇଗଲେ ବୋଲି ବି କହିବାକୁ ଛାଡ଼ିଲେ ନାହିଁ ସମୀର । ଅତି ଖୁସିରେ କମିଟି ଅଧ୍ୟକ୍ଷ ସଂକ୍ରାନ୍ତୀୟ ଖବର ଉପରେ ଟିଭିବାଲାଙ୍କୁ ଡାକି ବାଇଟ୍ ଦେଲେ ସେ ।
ସମୀର ମୂଳରୁ ମନ୍ତ୍ରୀ ପଦର ନିଶା ବଟିକା ଖାଇଛନ୍ତି । ଖାସ୍ କରି ଚାଷୀ ଆତ୍ମହତ୍ୟାକୁ ନେଇ ପ୍ରଦୀପ ମହାରଥୀ ବିବାଦ ଘେରକୁ ଆସିଲା ପରଠୁଁ ସମୀରଙ୍କ ଆଶା ଆକାଶ ଛୁଇଁଛି । ସାଙ୍ଗକୁ ସଞ୍ଜୟ ଦାସବର୍ମା ବି ଫସିଛନ୍ତି ରାସନ୍ କାର୍ଡ ଘୋଟାଲାରେ । ତାଙ୍କ ଅଙ୍କ କହୁଛି, ବିଧାନସଭା ପରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବେ ଏବଂ ସେଥିରେ ଦାମ ଓ ମହାରଥୀ ବାଦ୍ ପଡ଼ିବାଟା ଏକଦମ୍ ଥୟ । ସଞ୍ଜୟ ବାଦ୍ ପଡନ୍ତୁ କି ନ ପଡନ୍ତୁ, ମହାରଥୀ ବାଦ୍ ପଡ଼ିଲେ ପୁରୀ ଜିଲ୍ଲା ସମୀକରଣରେ ସେ ହିଁ ହେବେ ମନ୍ତ୍ରୀ । କେହି ଅଟକାଇପାରିବେନି ।
ମନ୍ତ୍ରୀ ଲଡୁ ଖାଇ ସମୀର ଏବେ ମନ୍ତ୍ରୀ ହାବଭାବ ଅଭ୍ୟାସ କଲେଣି । ଦିନଟେ ତାଙ୍କୁ ବର୍ଷେ ପରି ଲାଗିଲାଣି । କେବେ ଆଗାମୀ ବିଧାନସଭା ସରିବ ଏବଂ ସେ ନାଲିବତୀ ଚଢ଼ି ସଚିବାଳୟ ପ୍ରଥମ କି ଦ୍ୱିତୀୟ ମହଲା ଆସିବେ ସେ ଚିନ୍ତାରେ ସମୀର ଭୋକଶୋଷ ଭୁଲିଗଲେଣି ।