ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପ୍ରସାଦ ହରିଚନ୍ଦନ ଓ ଲୁଲୁ ମହାପାତ୍ରଙ୍କ ମଧ୍ୟରେ ଏବେ ମୁହାଁମୁହିଁ ସ୍ଥିତି । ଫେବୃଆରୀ ୨ ତାରିଖ ଯୁବ ସମାବେଶ ଆୟୋଜନକୁ ନେଇ ଦୁହିଁଙ୍କ ଭିତରେ ଗୁମୁରିଥିବା କଳି ପଦାକୁ ଆସିଛି । ପ୍ରସାଦ କହୁଛନ୍ତି ୨ ତାରିଖରେ ସମାବେଶ ନ କରି ଘୁଞ୍ଚାଇ ଦିଅ । ମାତ୍ର ଲୁଲୁଙ୍କ ଜିଦ୍ ପୂର୍ବ ଘୋଷଣା ଅନୁଯାୟୀ ଅଲବତ୍ ସେହି ୨ ତାରିଖରେ ହେବ । ତେଣିକି ସହଯୋଗ କର କି ନ କର ।
ବାସ୍ତବରେ ଦୁହିଁଙ୍କ ମଧ୍ୟରେ ଏହି ବିବାଦ ସୃଷ୍ଟି କରିଛନ୍ତି ଖୋଦ୍ ଏଆଇସିସି । ସାରା ଦେଶରେ ନରେଗା ଯୋଜନା କାର୍ଯ୍ୟକାରିତାର ୧୦ ବର୍ଷ ପୂର୍ତ୍ତି ପାଳନର ପ୍ରସ୍ତୁତି କରିବ କଂଗ୍ରେସ । ପିସିସି ମୁଖ୍ୟମାନଙ୍କ ପାଇଁ ଏହାର ଆୟୋଜନ ବୈଠକ ଫେବୃଆରୀ ୨ ତାରିଖକୁ ଧାର୍ଯ୍ୟ କରାଯାଇଛି । ଏଆଇସିସିର ଏହି ନିର୍ଦ୍ଦେଶକୁ ପ୍ରସାଦ ପାଳନ କରିବାକୁ ବାଧ୍ୟ । ଅର୍ଥାତ୍ ସେହିଦିନ ଦଳର ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ନେଇ ପ୍ରସାଦଙ୍କୁ ନରେଗା ପୂର୍ତ୍ତି ପାଳନ ପ୍ରସ୍ତୁତି ବୈଠକ କରିବାକୁ ହେବ । ଏଆଇସିସିର ଏହି ନିର୍ଦ୍ଦେଶନାମା ଦୁଇ ଦିନ ତଳେ ଆସିଛି ।
ସେପଟେ ୪ ଦିନ ତଳୁ ଯୁବ କଂଗ୍ରେସ ପକ୍ଷରୁ ଫେବୃଆରୀ ୨ ଭୁବନେଶ୍ୱର ସମାବେଶ ତାରିଖ ଘୋଷଣା କରାଯାଇଛି । ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ତାରିଖ ଘୋଷଣା କରିଛନ୍ତି । ସମାବେଶକୁ ରାଜ ବବର୍, ଗୁଲାମନବୀ ଆଜାଦ୍ ଙ୍କ ଭଳି ନାମୀ ଓ ବରିଷ୍ଠ କେନ୍ଦ୍ରୀୟ ନେତାଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି । ନିଖିଳ ଭାରତ ଯୁବ କଂଗ୍ରେସ ଅନୁମତିରେ ରାଜ୍ୟର ଯୁବ କଂଗ୍ରେସ ଏହି ସମାବେଶର ଡାକରା ଦେଇ ପ୍ରସ୍ତୁତି ଚଳାଇଛି । ମାତ୍ର ସେଇ ଗୋଟିଏ ଦିନରେ ଯୁବ କଂଗ୍ରେସର ସମାବେଶ ଓ ପିସିସି ସଭାପତିଙ୍କ ନରେଗା ପୂର୍ତ୍ତି ପ୍ରସ୍ତୁତି ବୈଠକ ପରିସ୍ଥିତିକୁ ଗୋଳମାଳିଆ କରିଛି ।
ଏକଥା ସମସ୍ତଙ୍କୁ ଜଣା ଯେ ଏବେକାର ଯୁବ କଂଗ୍ରେସ ସଂଗଠନ ସମ୍ପୂର୍ଣ୍ଣ ଭାବେ ଲୁଲୁଙ୍କ କବ୍ଜାରେ । ସେଥିରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କର ନିୟନ୍ତ୍ରଣ ନାହିଁ କହିଲେ ଚଳେ । ଦୀର୍ଘ ବର୍ଷ ଧରି ଚୁପ୍ ବସିଥିବା ଲୁଲୁ ରାସନ୍ କାର୍ଡ ଦୁର୍ନୀତିକୁ ସରକାରୀ ବିରୋଧୀ ଅସ୍ତ୍ର କରି ତାତିଛନ୍ତି । ରାଜରାସ୍ତାରେ ଜଳାପୋଡ଼ା, ନାରାବାଜି ଯୋଜନା କରିଛନ୍ତି । ମନ୍ତ୍ରୀମାନଙ୍କୁ ଅଣ୍ଡାମାଡ଼ କରାଇ ସେ ଯୁବ ଓ ଛାତ୍ର ସଂଗଠନକୁ ଚଳଚଞ୍ଚଳ କରିଛନ୍ତି । ଏଇମୌକାରେ ନିର୍ଜୀବ ହୋଇଯାଇଥିବା କଂଗ୍ରେସର ପୁନରୁଦ୍ଧାର ପାଇଁ ଲୁଲୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ତେଣିକି ସେଥିରେ ପିସିସିର ସମ୍ମତି ରହୁ କି ନ ରହୁ ସେଥିପ୍ରତି ଲୁଲୁ ଖାତିର କରିନାହାନ୍ତି ।
ଯୁବ କଂଗ୍ରେସରେ ଶକ୍ତି ସଞ୍ଚାର ପାଇଁ ଲୁଲୁ ମାସେ ତଳୁ ଯୋଜନା କରିଛନ୍ତି । ଏକ ସମାବେଶ ଜରିଆରେ ଯୁବ କଂଗ୍ରେସ ନେତା ଓ କର୍ମୀଙ୍କୁ ଏକାଠି କରି ବିଜେଡ଼ି ବିରୋଧୀ ସଂଗ୍ରାମ କରିବାର ଯୋଜନା ରହିଛି ଲୁଲୁଙ୍କର । ଏହି କ୍ରମରେ ଦିଲ୍ଲୀ ଅନୁମତି ନେଇ ଫେବୃଆରୀ ୨ ତାରିଖକୁ ସମାବେଶର ତାରିଖ ଧାର୍ଯ୍ୟ କରିଛନ୍ତି ସେ । ମାତ୍ର ସଂଯୋଗକୁ ସେହିଦିନ ପିସିସି ସଭାପତିଙ୍କୁ ଏଆଇସିସିର କନଭେନସନ୍ ନିର୍ଦ୍ଦେଶନାମା କଂଗ୍ରେସର ଆଭ୍ୟନ୍ତରୀଣ ସମୀକରଣକୁ ବିଗାଡ଼ି ଦେଇଛି । ଲୁଲୁଙ୍କୁ ବୁଝାଇବାକୁ ପ୍ରସାଦ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ସେ ତାଙ୍କ ଜିଦ୍ ରୁ ହଟିବାକୁ ନାରାଜ । ତେଣେ ଏଣୁ ମାରିଲେ ଗୋହତ୍ୟା, ସେଣୁ ମାରିଲେ ବ୍ରହ୍ମହତ୍ୟା ଭଳି ଅବସ୍ଥା ହୋଇଛି ପ୍ରସାଦଙ୍କର । ଲୁଲୁଙ୍କ ମନାଇବାରେ ବିଫଳ ହୋଇ ସାଂଘାତିକ ଦୋଛକିରେ ପଡ଼ିଛନ୍ତି ପ୍ରସାଦ । ନାଁ ଏଆଇସିସି ନିର୍ଦ୍ଦେଶକୁ ଅବଜ୍ଞା କରିପାରୁଛନ୍ତି ନା ଲୁଲୁଙ୍କ ମନ ନ ନେଇ କିଛି କରିବାର ଚିନ୍ତା କରୁଛନ୍ତି ।
ସୁତରାଂ ଉଭୟଙ୍କର ବାଧ୍ୟବାଧକତା ଦଳରେ ଗୋଷ୍ଠୀ ବିବାଦକୁ ଆହୁରି ତେଜ୍ କରିଛି । ବିଜେଡ଼ି ବିରୋଧୀ ସଂଗ୍ରାମ ପାଇଁ ଫୁଲ୍ ଦମ୍ ରେ ଲାଗିଥିବା ଯୁବ କଂଗ୍ରେସ ଆଉ ପଛକୁ ଫେରି ନ ଚାହିଁ ପ୍ରସାଦଙ୍କ ଉପରେ ରାଗ ସୁଝାଇବାକୁ ଯାଉଛି । ତେଣେ ପ୍ରସାଦ କିଂ କର୍ତ୍ତୃବ୍ୟମୁଢ଼ ହୋଇ ମନମାରି ବସିଛନ୍ତି । ଯାହା ହେଲେ ବି ଏଆଇସିସି ନିର୍ଦ୍ଦେଶ ତାଙ୍କୁ ପାଳନ କରିବାକୁ ହେବ । ତେଣିକି ଦଳ ଯାହା ହେଉ ।
ଶେଷରେ ଏୟା କହିହେବ ଯେ ଦିଲ୍ଲୀ ବାଲା ଗୋଟିଏ ଦିନରେ ଯୁବ କଂଗ୍ରେସ ଓ ପିସିସି କନଭେନସନ୍ ଡାକି ମସ୍ତବଡ଼ ଭୁଲ୍ କରିଛନ୍ତି । ଦିଲ୍ଲାବାଲାଙ୍କ ଏହି ଭୁଲ୍ ର ଦଣ୍ଡ ପ୍ରସାଦଙ୍କୁ ଭୋଗିବାକୁ ଥିବା ବେଳେ ଲୁଲୁ କିନ୍ତୁ ପଛକୁ ଫେରିବା ମୁଡରେ ନାହାନ୍ତି କି ଦିଲ୍ଲୀବାଲାଙ୍କ ସମ୍ଭାବ୍ୟ ନିର୍ଦ୍ଦେଶକୁ ଖାତିର କରିବା ସ୍ଥିତିରେ ନାହାନ୍ତି । ଏଭଳି ସ୍ଥିତିରେ କଂଗ୍ରେସ ଏକ ହୋଇ ବିଜେଡ଼ି ବିରୋଧରେ କେମତିି ଲଢ଼େଇ କରିବ ଦେଖିବାର କଥା ।