କଟକ: ବାପାଙ୍କ ଜାଗାରେ ପୁଅ । ପୁଣି ଆଶିର୍ବାଦ ବେହେରାଙ୍କ କବଜାରେ ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) । ଆଜି ଅନୁଷ୍ଠିତ ଓସିଏ ନିର୍ବାଚନରେ ଆଶିର୍ବାଦଙ୍କ ପୁଅ ସଞ୍ଜୟ ବେହେରା ସମ୍ପାଦକ ନିର୍ବାଚିତ ହୋଇ ଓସିଏ ମଙ୍ଗ ଧରିଛନ୍ତି । ମୋଟ ୭୦ ଭୋଟ ମଧ୍ୟରୁ ସଞ୍ଜୟ ୪୫ ଭୋଟ ପାଇଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦୀ ନବରଂଜନ ପଟ୍ଟନାୟକଙ୍କ ସପକ୍ଷରେ ପଡ଼ିଛି ୨୫ ଖଣ୍ଡ ଭୋଟ । ସେହିଭଳି ୩୮ ଖଣ୍ଡ ଭୋଟ ପାଇ ପଙ୍କଜ ଲୋଚନ ମହାନ୍ତି ସଭାପତି ନିର୍ବାଚିତ ହୋଇଛନ୍ତି । ଅକ୍ଷୟ କୁମାର ସାମନ୍ତ ଉପସଭାପତି, ମେହେତାବ ଖାନ୍ ଯୁଗ୍ମ ସମ୍ପାଦକ ଏବଂ ବିକାଶ ପ୍ରଧାନ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ସମସ୍ତ ପ୍ରତିନିଧି ଆଶିର୍ବାଦଙ୍କ ସମର୍ଥକ ବୋଲି ପୁଅ ସଞ୍ଜୟ ଦାବି କରିଛନ୍ତି ।
ଓସିଏ ନିର୍ବାଚନ ଫଳାଫଳକୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଥିଲା । ସମ୍ପାଦକ ପଦରେ ଆଶିର୍ବାଦ ବେହେରା ଦୀର୍ଘ ବର୍ଷ ଧରି ଓସିଏକୁ କବଜାରେ ରଖିଥିଲେ । ଓଡ଼ିଶା କ୍ରିକେଟ୍ ପାଇଁ ତାଙ୍କର ଯଥେଷ୍ଟ ଅବଦାନ ଥିଲେ ବି ବହୁ ବିବାଦରେ ଛନ୍ଦି ହୋଇଥିଲେ । ବିଭିନ୍ନ ସମୟରେ ତାଙ୍କ ନାଁରେ ଅର୍ଥ ତୋଷାରପାତ, ଦୁର୍ନୀତି ଅଭିଯୋଗ ଆସିଥିଲା । ଓଡ଼ିଶା ପ୍ରିମିୟର୍ ଲିଗ୍,୨୦୧୧ର ଅନ୍ୟତମ ପ୍ରାୟୋଜକ ଅର୍ଥତତ୍ତ୍ୱ ଚିଟଫଣ୍ଡ ସଂସ୍ଥା ସହ ତାଙ୍କର ସମ୍ପର୍କ ଶେଷରେ ତାଙ୍କୁ କାଳ ହୋଇଛି । ୨୦୧୪ରେ ସିବିଆଇ ତାଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ଗତ ୧୯ ତାରିଖ ଅର୍ଥାତ୍ ଓସିଏ ନାମାଙ୍କନ ଦାଖଲର ପୂର୍ବଦିନ ଗିରଫ କରିଥିଲା । କୋର୍ଟର ଏନବିଡବ୍ଲୁ ଆଧାରରେ ସେ ଗିରଫ ହୋଇଥିବା କୁହାଯାଉଛି ।
ଜେଲ୍ ଦଣ୍ଡ ଭୋଗୁଥିବା ଆର୍ଶବାଦ ଅସୁସ୍ଥତା କାରଣରୁ ଏବେ କଟକ ବଡ଼ ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ମେଡ଼ିକାଲ୍ ବେଡ଼ରୁ ଆଜି ସେ ଓସିଏ ନିର୍ବାଚନରେ ଅଂଶଗ୍ରହଣ କରି ଭୋଟ ଦେଇଥିଲେ ।