ଭୁୁବନେଶ୍ୱର: ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ମୋ ସରକାର’ । ଥାନା ଓ ଡାକ୍ତରଖାନାରୁ ଆରମ୍ଭ ହେବ କାର୍ଯ୍ୟକ୍ରମ । ତେବେ ତାହା ପୂର୍ବରୁ ଏହି କାର୍ଯ୍ୟକ୍ରମର ଟ୍ରେଲର୍ ଦେଖିବାକୁ ମିଳିଛି । ଡାକ୍ତରଖାନାରୁ ଦଲାଲରାଜ୍ ହଟାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାର ୨୪ ଘଣ୍ଟା ଭିତରେ ୩୦ ଜଣ ଦଲାଲଙ୍କୁ ପୁଲିସ ଗିରଫ କରିଛି । ୮ଟି ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଚଢ଼ଉ ହୋଇ ଏହି ଦଲାଲଙ୍କୁ ଗିରଫ କରାଯାଇଛି । ବଲାଙ୍ଗୀରରେ ନିଜେ ଜିଲ୍ଲାପାଳ ଚଢ଼ଉ କରି ଦଲାଲଙ୍କୁ ଧରିଛନ୍ତି । ଆଗକୁ ଏହି ଦଲାଲ ଦମନ ଅଭିଯାନ ଜାରି ରହିବ ବୋଲି କହିଛନ୍ତି ପୁଲିସ ଡିଜି ବିଜୟ କୁମାର ଶର୍ମା ।
ଗତକାଲି ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ ରୁ ୪ ଜଣ ଦଲାଲଙ୍କୁ କ୍ୟାପିଟାଲ୍ ଥାନା ପୁଲିସ ଗିରଫ କରିଥିଲା । ଆଜି ବୁର୍ଲା ଭିମସା ମେଡ଼ିକାଲ କଲେଜ ହସ୍ପିଟାଲ୍ ପରିସରରୁ ୫ ଜଣ, ବଲାଙ୍ଗୀରରୁ ୫, ଭଦ୍ରକରୁ ୪, ମୟୁରଭଞ୍ଜରୁ ୩, ରାଉରକେଲାରୁ ୪, ବାଲେଶ୍ୱରରୁ ୩ ଏବଂ ନବରଙ୍ଗପୁରରୁ ୨ ଜଣ ଦଲାଲଙ୍କୁ ଗିରଫ କରି ଜେଲ୍ ପଠାଇଛି ପୁଲିସ ।
ସୂଚନାଯୋଗ୍ୟ, ରାଜ୍ୟର ଅଧିକାଂଶ ସରକାରୀ ଡାକ୍ତରଖାନାରେ ଦଲାଲରାଜ୍ ଉତ୍କଟ ରୂପ ନେଇଛି । ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଦଲାଲ୍ ମାନେ ବିଭିନ୍ନ ଉପାୟରେ ଘରୋଇ ପାଥୋଲୋଜି ଏବଂ କ୍ଲିନିକ୍ ଗୁଡ଼ିକୁ ପଠାଇ ସେମାନଙ୍କ ବେପାର ବଢ଼ାଉଛନ୍ତି । ଏହି ଦଲାଲି ରାକେଟ୍ ଜରିଆରେ କାମ କରୁଛି । ଏଥିରେ ଡାକ୍ତର, କର୍ମଚାରୀଙ୍କଠାରୁ ଆରମ୍ଭ କରି ନର୍ସିଂ ହୋମ୍ ମାଲିକ, ମେଡ଼ିକାଲ୍ ରିପ୍ରେଜେଣ୍ଟିଭ୍, ଔଷଧ ଦୋକାନୀ ଅନେକ ଜଡ଼ିତ । ତେଣୁ ଏହି ରାକେଟ୍ ଭାଙ୍ଗି ଦଲାଲଙ୍କୁ ସାବାଡ଼ କରିବା ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ହେବ । ‘ମୋ ସରକାର’ କାର୍ଯ୍ୟକ୍ରମ ଜରିଆରେ ଦଲାଲି ଦମନ ଅଭିଯାନ ଜାରି ରହିଲେ ଦଲାଲ ସଫା ହେବେ ନହେଲେ ନାହିଁ ।
ପୁଲିସ ଓ ଡାକ୍ତରଙ୍କ ପରେ ମୁଖ୍ୟମନ୍ତ୍ରୀ ଆଜି ଲୋକସେବା ଭବନରେ ଭିଡ଼ିଓ କନଫରେନିସଂ ଜରିଆରେ ଆରଟିଓ ଅଫିସକୁ ଦଲାଲମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସେଥିପାଇଁ ୧୫ ଦିନିଆ ଡେଡଲାଇନ୍ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୁଲିସ ଆରଟିଓ ଅଫିସଗୁଡ଼ିକରେ ଚଢ଼ାଉ ଆରମ୍ଭ କରିଛି । ବଲାଙ୍ଗୀର ଆରଟିଓ ଅଫିସରୁ ୫ ଜଣ ଦଲାଲ ଧରାପଡ଼ିଥିବା ବେଳେ ରାଉରକେଲା ଆରଟିଓ ଅଫିସରୁ ୮ ଜଣ ଦଲାଲ ଧରାପଡ଼ି ଗିରଫ ହୋଇଛନ୍ତି ।
ଦିନକ ପୂର୍ବରୁ ପୁଲିସ ଡିଜି ବିଜୟ କୁମାର ଶର୍ମା ରାଜ୍ୟ କ୍ରାଇମ୍ ରେକର୍ଡ ବ୍ୟୁରୋ ଅଫିସ୍ ରେ ଥିବା କଲ୍ ସେଣ୍ଟରରେ ଅଚାନକ ପହଞ୍ଚି ଭୁବନେଶ୍ୱର, ନୟାଗଡ଼ ଓ ନବରଙ୍ଗପୁରର ତିନୋଟି ଥାନାରୁ ୩ ଅଭିଯୋଗକାରୀଙ୍କ ସହ ଟେଲିଫୋନ୍ ରେ କଥା ହୋଇ ଥାନାବାବୁଙ୍କ କାର୍ଯ୍ୟର ଫିଡ଼ବ୍ୟାକ୍ ନେଇଥିଲେ । ଏବଂ ଫିଡ଼ବ୍ୟାକ୍ ଆଧାରରେ କାର୍ଯ୍ୟାନୁଷ୍ଠାନ ବି ଆରମ୍ଭ କରିଛନ୍ତି ।