ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ଦଳର ହେଭିୱେଟ୍ ନେତାମାନଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନବୀନ ନିବାସରେ ଅନୁଷ୍ଠିତ ଦ୍ୱିତୀୟ କସରତ୍ ବୈଠକରେ ଏହି ନେତାଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟାଯାଇଥିବା ସୂଚନା ମିଳିଛି । ତେବେ ଔପଚାରିକ ଭାବେ ଏହା ଘୋଷଣା ହୋଇନାହିଁ ।
ସୂଚନା ଅନୁଯାୟୀ ବିଜେପୁର ବ୍ଲକ୍ ଦାୟିତ୍ୱ ମନ୍ତ୍ରୀ ସୁଶାନ୍ତ ସିଂ, ଡ. ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର ଓ ବିଧାୟକ କିଶୋର ମହାନ୍ତିଙ୍କ ଉପରେ ନ୍ୟସ୍ତ ଥିବା ବେଳେ ବରପାଲି ବ୍ଲକ୍ ଦାୟିତ୍ୱ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏବଂ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦିଆଯାଇଛି । ଗାଈସିଲଟ୍ ବ୍ଲକ୍ ଦାୟିତ୍ୱରେ ରହିବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନବ ଦାସ ଏବଂ ପୂର୍ବତନ ସାଂସଦ କଳିକେଶ ସିଂହଦେଓ । ବରପାଲି ଏନଏସି ଦାୟିତ୍ୱରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏବଂ ଦେବେଶ ଆଚାର୍ଯ୍ୟ ଥିବା ବେଳେ ବିଜେପୁର ଏନଏସି ଦାୟିତ୍ୱରେ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଏବଂ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ରହିବେ ।
ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଧାୟକ ପ୍ରଣବ ପ୍ରକାଶ ଦାସ ସମଗ୍ର ନିର୍ବାଚନମଣ୍ଡଳୀର ପରିଚାଳନାଭାର ସମ୍ଭାଳିବେ ବୋଲି ଦଳ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ।
ରୀତା ସାହୁଙ୍କୁ ଦଳର ପ୍ରାର୍ଥୀ କରିବାକୁ ଏକ ପ୍ରକାର ଚୂଡ଼ାନ୍ତ ହୋଇଥିବା କୁହାଯାଉଛି । ଯେ କୌଣସି ମୁହୁର୍ତ୍ତରେ ମୁଖ୍ୟମନ୍ତ୍ରୀ ତାଙ୍କ ନାଁ ଘୋଷଣା କରିପାରନ୍ତି । ଆସନ୍ତା ୩୦ ତାରିଖରେ ଦଳୀୟ ପ୍ରାର୍ଥୀ ନାମାଙ୍କାନପତ୍ର ଦାଖଲ କରିବେ ବୋଲି ଆଜି ନବୀନ ନିବାସ ବୈଠକ ସରିଲା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।
ପ୍ରାର୍ଥୀ ଘୋଷଣାରେ ଆଗୁଆ ଥିବା କଂଗ୍ରେସ ମଧ୍ୟ ବିଜେପୁର ପାଇଁ ଅଣ୍ଟା ଭିଡ଼ିଛି । ୯ ଜଣ ବରିଷ୍ଠ ନେତାଙ୍କୁ ପରିଚାଳନା ଦାୟିତ୍ୱ ଦିଆଯାଇଛି । ଗାଈସିଲଟ ବ୍ଲକ୍ ପାଇଁ ପୂର୍ବତନ ମନ୍ତ୍ରୀ ପ୍ରକାଶ ଦେବତା ଓ ସମରେନ୍ଦ୍ର ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବିଜେପୁର ବ୍ଲକ୍ ଦାୟିତ୍ୱ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ବିଧାୟକ ରମେଶ ଜେନା ଓ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଦିଆଯାଇଛି । ବରପାଲି ବ୍ଲକ୍ ଦାୟିତ୍ୱ ପୂର୍ବତନ ବିଧାୟକ ନିହାର ମହାନନ୍ଦ ଓ ସରୋଜ ମହାପାତ୍ରଙ୍କୁ ଦିଆଯାଇଛି । ବିଜେପୁର ଏନଏସି ଦାୟିତ୍ୱ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଏବଂ ବରପାଲି ଏନଏସି ଦାୟିତ୍ୱ ପ୍ରଦୀପ ଦେବତାଙ୍କ ଉପରେ ନ୍ୟସ୍ତ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ବିଜେପି ପକ୍ଷରୁ ଏ ପର୍ଯ୍ୟନ୍ତ କାହାରିକୁ ଦାୟିତ୍ୱ ବଣ୍ଟାଯାଇନାହିଁ । ଆସନ୍ତାକାଲି ଦଳ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ସାଂସଦ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।