ଭୁବନେଶ୍ୱର: ତେଲେଙ୍ଗାନା ଜିଲ୍ଲା ଆସିଫାବାଦ ଜିଲ୍ଲାର ଖଇରିଗୁଡ଼ା ମାଇନସ୍ ରେ କାମ କରୁଥିବା ୨୨ ଜଣ ଓଡ଼ିଆ ଶ୍ରମିକ ଲକ୍ ଡାଉନ୍ ରେ ଫସି ରହିଛନ୍ତି । କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଦୁଇଓଳି ଖାଇବାକୁ ଦେଉଥିଲେ ମଧ୍ୟ ଯେ କୌଣସି ମୁହୁର୍ତ୍ତରେ ତାହା ବନ୍ଦ ହୋଇଯିବାର ଆଶଙ୍କା କରୁଛନ୍ତି । ଖାଲି ଆସିଫାବାଦ ନୁହେଁ, ମଂଚିରାଲ୍ ଜିଲ୍ଲାରେ ମଧ୍ୟ ୫୦ରୁ ଅଧିକ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି ।
ଏ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ପହଞ୍ଚି ନ ଥିବାରୁ ସେମାନଙ୍କର ଭାଳେଣି ପଡ଼ିଛି । ପାଖରେ ଟଙ୍କାଟିଏ ନାହିଁ । ତେଣୁ କମ୍ପାନୀବାଲା ଖାଇବାକୁ ଦେବା ବନ୍ଦ କରିଦେଲେ କ’ଣ କରିବେ ସେହି ଚିନ୍ତାରେ ପଡ଼ିଛନ୍ତି । ଓଡ଼ିଶା ସରକାର ଜାରି କରିଥିବା ହେଲପ୍ ଲାଇନ୍ ରେ କଲ୍ କରୁଥିଲେ ମଧ୍ୟ ବିଜି ଦେଖାଉଥିବାରୁ ଯୋଗାଯୋଗ ସମ୍ଭବ ହେଉ ନ ଥିବା ସେମାନେ ଜଣାଇଛନ୍ତି ।
ତେଲେଙ୍ଗାନା ଭଳି ଦିଲ୍ଲୀ, ଗୁଜୁରାଟ, ମୁମ୍ବାଇ ପ୍ରଭୃତି ଜାଗାରେ ବେଶୀ ଓଡ଼ିଆ ଫସି ରହିଛନ୍ତି । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକରେ ଏହାର ସମୀକ୍ଷା କରାଯାଇଛି । ବିଭିନ୍ନ ରାଜ୍ୟରେ ଦେଢ଼ଲକ୍ଷ ଓଡ଼ିଆ ଲକ୍ ଡାଉନ୍ ରେ ଫସି ରହିଥିବା ଗୃହ ସଚିବ ସଞ୍ଜୀବ ଚୋପ୍ରା ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ କଣ୍ଟ୍ରୋଲ୍ ରୁମ୍ କୁ ୫,୨୦୦ ଫୋନ୍ କଲ ଆସିଛି । ବିଭିନ୍ନ ରାଜ୍ୟ ପାଇଁ ଥିବା ନୋଡାଲ୍ ଅଫିସର ସମନ୍ୱୟ ରକ୍ଷା କରି ସେମାନଙ୍କ ସୁବିଧା ବ୍ୟବସ୍ଥା କରୁଛନ୍ତି । ଏ ପର୍ଯ୍ୟନ୍ତ ୪୦ ହଜାର ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚି ସାରିଛି । ୧୦୦ରୁ ଅଧିକ ଲୋକ ଏକାଠି ଥିବା ୨୩୦ଟି ଓଡ଼ିଆ ଗ୍ରୁପ୍ ଚିହ୍ନଟ କରାଯାଇଛି । ସମସ୍ୟା ସମାଧାନ ନ ହେବା ଯାଏଁ ପ୍ରଶାସନ କାର୍ଯ୍ୟ ଜାରି ରହିବ ବୋଲି ଗୃହ ସଚିବ କହିଛନ୍ତି ।
ଏସସିବିରେ କରୋନା ପରୀକ୍ଷା: କଟକ ଏସସିବି ମେଡ଼ିକାଲ୍ କଲେଜରେ କରୋନା(କୋଭିଡ୍-୧୯) ପରୀକ୍ଷା ହେବ । ଏଥିପାଇର୍ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁମତି ଦେଇଛି । ଏବେ ଭୁବନେଶ୍ୱରର ଆରଏମଆରସି ଓ ଏମସ୍ ରେ କରୋନା ପରୀକ୍ଷା ହେଉଛି । ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲ୍ ରେ କରୋନା ପରୀକ୍ଷା ପାଇଁ ଅନୁମତି ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।
ଗାଡ଼ି ପରମିଟ୍, ଡିଏଲ୍ ଅବଧି ବଢ଼ିଲା: ଫେବୃଆରୀ ୧ରୁ ସରୁଥିବା ଗାଡ଼ି କାଗଜପତ୍ରକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୈଧ କରାଯାଇଛି । ଗାଡ଼ି ପରମିଟ୍, ଡ୍ରାଇଭିଂ ଲାଇସେନସ୍, ରେଜିଷ୍ଟ୍ରେସନ୍, ଫିଟନେସ୍ ପାଇଁ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ କୋହଳ କରାଯାଇଛି । ଦେଶରେ ଲକ୍ ଡାଉନ୍ ଦୃଷ୍ଟିରୁ କାଗଜପତ୍ର ନବୀକରଣ ସମ୍ଭବ ହେଉ ନ ଥିବାରୁ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ରର ନିର୍ଦ୍ଦେଶ ପାଇବା ପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏହାକୁ ପାଳନ କରିବା ସହ ଲର୍ଣ୍ଣିଂ ଲାଇସେନସ୍ ଓ ପଲ୍ୟୁସନ ସାର୍ଟିଫିକେଟ ଅବଧି ମଧ୍ୟ ବଢ଼ାଇଛନ୍ତି । ଜୁନ୍ ୩୦ ପର୍ଯ୍ୟନ୍ତ ଲର୍ଣ୍ଣିଂ ଲାଇସେନସ୍ ଓ ପଲ୍ୟୁସନ୍ ସାର୍ଟିଫିକେଟ୍ ବୈଧ ଘୋଷଣା କରିଛନ୍ତି ।