ଭୁୁବନେଶ୍ୱର: ଲକ୍ ଡାଉନ୍ ଯୋଗୁଁ ଓଡ଼ିଶା ଆସି ନ ପାରି ମୁମ୍ବାଇରେ ଅଟକି ରହିଥିବା ଓଡ଼ିଶା-ମୋ ପରିବାର ଆବାହକ ତଥା ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ବଡ଼ କାମରେ ଲଗାଇଛନ୍ତି । ଗୁଜୁରାଟର ସୁରଟ ସମେତ ଅନ୍ୟାନ୍ୟ ଜାଗାରେ ଫସି ରହିଥିବା ହଜାର ହଜାର ଗରିବ ଓଡ଼ିଆ ଶ୍ରମିକଙ୍କ ସ୍ୱାର୍ଥରେ ଛିଡ଼ା ହେବେ ଅରୂପ । ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଓଡ଼ିଆ ଶ୍ରମିକଙ୍କ ରହିବା, ଖାଇବା ଆଦିର ବନ୍ଦୋବସ୍ତ କରିବାର ଦାୟିତ୍ୱ ଦିଆଯାଇଛି ।
ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ଏ ମର୍ମରେ ଗୁଜୁରାଟ ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖି ଅବଗତ କରିଛନ୍ତି । ଶ୍ରୀଯୁକ୍ତ ପଟ୍ଟନାୟକ ମୁମ୍ବାଇରୁ ଏକ ହୋଣ୍ଡା ସିଟି କାର୍ ଯୋଗେ ସୁରଟ୍ ଯାଉଛନ୍ତି । ସେଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହଯୋଗ ଏବଂ ପୁଲିସ ଏସକର୍ଟ ଯୋଗାଇଦେବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, ଦେଶରେ ଲକ୍ ଡାଉନ୍ ଘୋଷଣା ଯୋଗୁଁ ମୁମ୍ବାଇ ଯାଇଥିବା ଅରୂପ ପଟ୍ଟନାୟକ ଓଡ଼ିଶା ଫେରି ପାରି ନ ଥିଲେ ମଧ୍ୟ ସେଠାରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ସୁବିଧା ପାଇଁ ବିଭିନ୍ନ ସଂଗଠନକୁ କାମରେ ଲଗାଇଛନ୍ତି । ଅତୀତର ମୁମ୍ବାଇ ପୁଲିସ କମିଶନର ଭାବେ ତାଙ୍କର ଖ୍ୟାତି ଏବଂ ପ୍ରଶାସନିକ କଳ ସହ ସୁସମ୍ପର୍କ ଓଡ଼ିଆ ଶ୍ରମିକଙ୍କୁ ବେଶ୍ ସହାୟ ହେଉଛି ।
ଅନ୍ୟପକ୍ଷରେ ଗୁଜୁରାଟର ସୁରଟ୍ ସମେତ ଅନ୍ୟାନ୍ୟ ସ୍ଥାନରେ ସବୁଠାରୁ ବେଶୀ ଓଡ଼ିଆ ଶ୍ରମିକ କାର୍ଯ୍ୟ କରୁଛନ୍ତି ଏବଂ ଲକ୍ ଡାଉନ୍ ଯୋଗୁଁ ଅଶେଷ ଯନ୍ତ୍ରଣା ଭୋଗୁଛନ୍ତି । ଓଡ଼ିଶା ସରକାର ସେମାନଙ୍କ ଦାୟିତ୍ୱ ଏବେ ଅରୂପ ପଟ୍ଟନାୟକଙ୍କ ହାତରେ ଛାଡ଼ିଛନ୍ତି ।