ଆକ୍ରାଙ୍କ ସଂଖ୍ୟା ୩୯ରେ ପହଞ୍ଚିଥିଲା, ଭୁବନେଶ୍ୱରରୁ ୩୨
୧୬ ଜଣଙ୍କ ମଧ୍ୟରେ ବମିଖାଲର ୧୫
ଭୁବନେଶ୍ୱର: କରୋନା ସ୍ଥିତି ବିଗିଡ଼ିଯାଇଛି । ଆଜି ଦିନବେଳେ ଭୁବନେଶ୍ୱରର ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ରାତିରେ ପୁଣି ୧୬ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ବମିଖାଲର ୧୫ ଜଣ ଅଛନ୍ତି । ରାତିରେ ଆସିଥିବା କୋଭିଡ୍ ନମୁନା ପରୀକ୍ଷା ରିପୋର୍ଟରେ ସେମାନଙ୍କର ପଜିଟିଭ୍ ବାହାରିଛି । ସ୍ୱାସ୍ଥ୍ୟ ବିଭାଗର ଏହି ଟ୍ୱିଟ୍ ପରେ ଭୁବନେଶ୍ୱରରେ କରୋନା ଭୟ ବଢ଼ିଯାଇଛି ।
ଆଜି ଗୋଟିଏ ଦିନରେ କେବଳ ଭୁବନେଶ୍ୱରରୁ ୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ସମସ୍ତଙ୍କର ଚିନ୍ତା ବଢ଼େଇଛି । ସେମାନଙ୍କ ମଧ୍ୟରୁ ବମିଖାଲରୁ ସକାଳେ ଜଣେ ଏବଂ ରାତିରେ ୧୫ ଜଣ ଚିହ୍ନଟ ହୋଇଛନ୍ତି । ଦୁଇ ଦିନ ତଳେ ବମିଖାଲର ଏକ ପରିବାରର ତିନି ଭାଇ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରଠାରୁ ବମିଖାଲ୍ ରୁ କରୋନା ପଜିଟିଭିଙ୍କ ସଂଖ୍ୟା ବଢ଼ିଚାଲିଛି । ଆଜି ଦିନରେ ବମିଖାଲରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଦୁଇଦିନ ହେଲା ବମିଖାଲ ଅଞ୍ଚଳକୁ ସିଲ୍ କରାଯାଇ ଆକ୍ଟିଭ୍ ସର୍ଭେଲାନ୍ସ ଜୋରଦାର କରାଯାଇଥିଲା । ରୋଗ ନିରୀକ୍ଷଣ ଦଳ କୋଭିଡ୍-୧୯ ପଜିଟିଭ କେସ୍ ର ଅନୁସନ୍ଧାନ ସହ ଘର ଘର ବୁଲି ନିରୀକ୍ଷଣ କାର୍ଯ୍ୟ ଚଳାଇଛନ୍ତି । କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବାରେ ଏହା ସହାୟ ହୋଇଛି । ଆଜି ବିଏମସି ପକ୍ଷରୁ ଯଦୁପୁର ଏବଂ ସୁନ୍ଦରପଦା ଅଞ୍ଚଳକୁ ମଧ୍ୟ ସିଲ୍ କରାଯାଇ ଆକ୍ଟିଭ୍ ସର୍ଭେଲାନ୍ସ ଆରମ୍ଭ ହୋଇଛି । କରୋନା ସଂକ୍ରମଣ ଆଶଙ୍କାରେ ସରକାରଙ୍କ ଏହା ସତର୍କତାମୂଳକ ପଦକ୍ଷେପ ବୋଲି କୁହାଯାଇଥିଲା ।
କରୋନା ସନ୍ଦିଗ୍ଧ ଏବଂ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଆଇସୋଲେଟ୍ କରାଯାଇ ପରୀକ୍ଷା କରାଯାଉଥିବାରୁ ଲୋକମାନେ ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ସମସ୍ତେ ଘରେ ରହି ସହଯୋଗ କରନ୍ତୁ ବୋଲି ନିବେଦନ କରାଯାଇଛି ।