ଭୁବନେଶ୍ୱର: ଆଜି ରାତି ଠିକ୍ ୯ଟା ସମୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶବାସୀ ୯ ମିନିଟ୍ ପାଇଁ ଘରେ ଘରେ ଦ୍ୱୀପ ଜାଳିଛନ୍ତି । ଓଡ଼ିଶାର ଘରେ ଘରେ ଲୋକମାନେ ଘରର ଲାଇଟ୍ ସୁଇଚ୍ ଅଫ୍ କରି ଦ୍ୱୀପ, ଟର୍ଚ୍ଚ ଏବଂ ମୋବାଇଲ୍ ଲାଇଟ୍ ଜାଳିଛନ୍ତି ।
ଭୁବନେଶ୍ୱରରେ ଅଧିକାଂଶ ଘରର ଛାତ ଓ ବାଲକୋନିରୁ ଏହି ଦୃଶ୍ୟ ଏକ ଭାବାବେଗ ପରିସ୍ଥିତି ସୃଷ୍ଟି କରିଥିଲା । ଅନେକ ଘରେ ମହିଳାମାନେ ଦ୍ୱୀପ ଜାଳି ଠାକୁରଙ୍କୁ ପ୍ରାର୍ଥନା କରୁଥିଲେ । କରୋନା ବିପଦରୁ ରକ୍ଷା କରିବା ସହ ଜଗତର ମଙ୍ଗଳ କାମନା କରିଥିଲେ । କରୋନା ଯୁଦ୍ଧରେ ଲଢ଼ୁଥିବା ଯୋଦ୍ଧାମାନଙ୍କୁ ଧନ୍ୟବାଦ ଜଣାଇ ସେମାନଙ୍କର ଶୁଭ ମନାସୀ ଥିଲେ ଲୋକେ ।
ସରକାରଙ୍କ ନିୟମ ପାଳନ କରି ଲୋକମାନେ ଘରର ଲାଇଟ୍ ବନ୍ଦ କରିଥିଲେ ମଧ୍ୟ ଫ୍ୟାନ୍, ଫ୍ରିଜ୍,ଏସି ଏବଂ ଟିଭି ସୁଇଚ୍ ଅନ୍ ରଖିଥିଲେ । ଷ୍ଟ୍ରିଟ୍ ଲାଇଟ୍ ବି ଜଳୁଥିଲା ।