– କ୍ୟାପିଟାଲ୍ ହସ୍ପିଟାଲ୍ ରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
– ୭୦ ଲକ୍ଷ ପରିବାରର ୩.୫ କୋଟି ଲୋକ ଉପକୃତ ହେବେ
ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । କ୍ୟାପିଟାଲ୍ ହସ୍ପିଟାଲ୍ ରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ହେଲପ୍ ଡେସ୍କ ର ଶୁଭାରମ୍ଭ କରିବା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲୋଗୋ ଉନ୍ମୋଚନ କରିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କାର୍ଡ ବଣ୍ଟନ କରିଥିଲେ ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାରର ସାଢ଼େ ତିନି କୋଟି ଲୋକ ଉପକୃତ ହେବେ । ପ୍ରତି ପରିବାରକୁ ବାର୍ଷକ ୫ ଲକ୍ଷ ଟଙ୍କାର ଦେୟମୁକ୍ତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯିବ । ହିତାଧିକାରୀ ପରିବାରର ମହିଳାମାନଙ୍କୁ ବାର୍ଷିକ ୭ ଲକ୍ଷ ଟଙ୍କାର ଦେୟମୁକ୍ତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯିବ । ରାଜ୍ୟର ଦେଢ଼ କୋଟି ମହିଳା ଏହି ଯୋଜନାରେ ଉପକୃତ ହୋଇପାରିବେ । ବର୍ତ୍ତମାନ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଓ ବିଜୁ କୃଷକ କଲ୍ୟାଣ ଯୋଜନାରେ ଅର୍ନ୍ତଭୁକ୍ତ ସମସ୍ତ ହିତାଧିକାରୀଙ୍କ ସମେତ ଅନ୍ୟାନ୍ୟ ସ୍ୱଳ୍ପ ଆୟକାରୀ ପରିବାରଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ରାଜ୍ୟର ସ୍ୱାସ୍ଥ୍ୟ ଉପକେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଏବଂ ତାଲିକାଭୁକ୍ତ ଘରୋଇ ଡାକ୍ତରଖାନାମାନଙ୍କରେ ମିଳିବ ।







