ଭୁବନେଶ୍ୱର: ଆସନ୍ତାକାଲି ସ୍ୱାଧୀନତା ଦିବସ ପରେଡ୍ ରେ ଭାଗନେବେନି ଛାତ୍ରଛାତ୍ରୀ । ପରେଡ୍ ରେ ଭାଗ ନେବାକୁ ସେମାନଙ୍କୁ ବାରଣ କରାଯାଇଛି । ସମ୍ଭାବ୍ୟ ବର୍ଷା ଓ ବଜ୍ରପାତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଗୃହ ବିଭାଗ ପକ୍ଷରୁ ଏ ନେଇ ସମସ୍ତ ଜିଲ୍ଲାପାଳ ଓ ଆରଡିସିଙ୍କୁ ଚିଠି କରାଯାଇଛି । ପରେଡ୍ ରେ କେବଳ ପୁଲିସ ଓ ପାରା ମିଲିଟାରୀ ଭାଗ ନେବେ ବୋଲି କୁହାଯାଇଛି । ପରେଡ୍ ରେ ସାଂସ୍କୃତିକ ଓ ଶାରୀରିକ କୌଶଳ ପ୍ରଦର୍ଶନ ଉପରେ ମଧ୍ୟ କଟକଣା ଲଗାଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ଆଜି ଓ ଆସନ୍ତାକାଲି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପରିସ୍ଥିତିର ମୁକାବିଲା ପାଇଁ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱାଧୀନତା ଦିବସ ପାଳନସ୍ଥଳରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ପରେଡରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।