ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପରବର୍ତ୍ତୀ ଓଡ଼ିଶା ରାଜନୀତିରେ ଏବେ ତମ୍ବିତୋଫାନ । ବିଜେଡ଼ି ଓ ବିଜେପି ଭିତରେ ତଥାକଥିତ ସଲାସୁତୁରାକୁ ନେଇ କଂଗ୍ରେସ କମ୍ପମାନ କରୁଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିଦିନ ଟୁଇଟ୍ ଝଡ଼ କରୁଛନ୍ତି । ଟୁଇଟ୍ କରିବାରେ ସେ ଟୁଇଟ୍ ମାଷ୍ଟର ବୈଜୟନ୍ତ ପଣ୍ଡାଙ୍କଠୁ ବି ବଳିପଡ଼ିଲେଣି । ଆଜି ଓଡ଼ିଶା ଆସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି-ବିଜେଡ଼ି ମଧ୍ୟରେ ମ୍ୟାଚ୍ ଫିକ୍ସିଂ ହୋଇଥିବା କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଦଳର ଆତ୍ମରକ୍ଷା ପାଇଁ ବିଜେଡ଼ି ବିରୋଧରେ ଓଡ଼ିଆ କାର୍ଡ ଖେଳିଛନ୍ତି । ବିଜେଡ଼ି ମୁଖପାତ୍ର ନିଜ ଦଳର ସ୍ଲୋଗାନ୍ ଘୋଷି ଚାଲିଛନ୍ତି- “ଆମେ ବିଜେପି ଓ କଂଗ୍ରେସଠାରୁ ସମଦୂରତା ରକ୍ଷା କରି ଆସିଛୁ ଏବଂ ଆଗକୁ କରିବୁ ମଧ୍ୟ ।”
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ସମର୍ଥନର ନିଆଁ ଏବେ ଓଡ଼ିଶାର ରାଜନୈତିକ ମଇଦାନକୁ ଏମିତି ତତେଇ ଦେଇଛି । ସୋସିଆଲ୍ ମିଡ଼ିଆରେ ବିଜେପି ଓ ବିଜେଡ଼ିକୁ ଭୀଷଣ ଗାଳି ହେଉଛି । ଉଭୟ ଦଳ ନିଜ ନିଜର ସ୍ୱାର୍ଥ ପାଇଁ ସଲାସୁତୁରାରେ ରହି ଓଡ଼ିଶାବାସୀଙ୍କୁ ଭକୁଆ ବନେଇଛନ୍ତି ବୋଲି କଡ଼ା ଟୀପ୍ପଣୀମାନ ଆସୁଛି । ସେପଟେ କଂଗ୍ରେସ ପରିସ୍ଥିତିରୁ ଫାଇଦା ଉଠାଇବାକୁ ଲାଗିପଡ଼ିଛି । ରାଜନୈତିକ ସମୀକ୍ଷକଙ୍କ ମତରେ ଏଭଳି ପରିସ୍ଥିତି କଂଗ୍ରେସକୁ ଟୀକା ଟୀପ୍ପଣୀରେ ଫାଇଦା ଦେଇଛି ସତ ହେଲେ ଭୋଟ ରାଜନୀତିରେ ଦଳ ଆଦୌ ଲାଭବାନ ହେବନି । ବିଜେଡ଼ି ପାଇଁ ଏହା ଅପବାଦ ଆଣିଥିଲେ ମଧ୍ୟ ନେତା ଓ କର୍ମୀଙ୍କ ଉପରେ ଏହାର କିଛି ପ୍ରଭାବ ନାହିଁ । ଓଲଟି ନବୀନ ହୀରୋ ବୋଲି ସେମାନେ କହି ବୁଲିଲେଣି । ସେପଟେ ନେତା ଓ କର୍ମୀଙ୍କ ମନୋବଳ ଦୃଷ୍ଟିରୁ ଏହା ବିଜେପିକୁ ଭୀଷଣ କ୍ଷତି ପହଞ୍ଚାଇଛି ।
ଗତ ୪ ବର୍ଷ ଧରି ରାଜ୍ୟ ରାଜନୈତିକ ମଇଦାନରେ ବିଜେଡ଼ିର ମୁଖ୍ୟ ଶତ୍ରୁ ଭାବେ ବିଜେପିକୁ ଗଣାଯାଉଛି । ବିଜେପି ନିଜକୁ ମୁଖ୍ୟ ବିରୋଧୀ ଭାବେ ଦାବି କରି ଆସୁଛି । ଏଇ ସମୟ ଭିତରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟୁ ସମାଲୋଚନା କରିଛନ୍ତି । ନବୀନଙ୍କୁ ପୋଡ଼ା ଟ୍ରାନସଫରମର ବୋଲି ଆକ୍ଷେପ କରିଛନ୍ତି । ନବୀନଙ୍କୁ ଅପାରଗ ଓ ଦୁର୍ନୀତିଗ୍ରସ୍ତ କହି ବଙ୍ଗୋପସାଗରରେ ଫିଙ୍ଗି ଦେବାକୁ ସେ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ବିଜେଡ଼ି ବିରୋଧରେ ସଂଗ୍ରାମ ଡାକରା ଦେଇ ବିଜେପି ନେତା ଓ କର୍ମୀଙ୍କ ମନରେ ବରାବର ମିଶନ ୧୨୦ ମନ୍ତ୍ର ଫୁଙ୍କି ଆସୁଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ବାହିନୀ କଥା ନ କହିବା ଭଲ । ନବୀନଙ୍କୁ ଗାଳି କରିବା ପାଇଁ ଧର୍ମେନ୍ଦ୍ର ମାସରେ ଅର୍ଦ୍ଧାଧିକ ଦିନ ଦିଲ୍ଲୀ ଛାଡ଼ି ଓଡ଼ିଶାରେ ରହୁଥିବା ବେଳେ ତାଙ୍କ ଚେଲା ଚାମଣ୍ଡା ନବୀନଙ୍କୁ ମଲା ଘୋଡ଼ା କହି ଆକ୍ଷେପ କରିଛନ୍ତି ।
ରାଜ୍ୟସଭା ଉପାଧ୍ୟକ୍ଷ ପଦ ହାତେଇବା ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ୍ ଶାହା ନବୀନ ପଟ୍ଟନାୟକଙ୍କ ଶରଣ ପଶିବା ଓ ନବୀନ ସେମାନଙ୍କ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଅଜାଡ଼ି ଦେବା ପରେ ବିଜେଡ଼ି ଓ ବିଜେପିର ପୂର୍ବ ରାଜନୈତିକ ସମୀକରଣ ବଦଳିଯାଇଥିବା କୁହାଯାଉଛି । ଅର୍ଥାତ୍ ଏଠି ବିଜେଡ଼ି-ବିଜେପି ଯେତେ ବାଡ଼ିଆପିଟା ହେଲେ ବି ଦିଲ୍ଲୀରେ ମୋଦୀ ଓ ଶାହାଙ୍କ ଗେହ୍ଲା ଭାଇ ଭାବେ ନବୀନଙ୍କୁ କୁହାଗଲାଣି । ଏ ପ୍ରସଙ୍ଗରେ ଓଡ଼ିଶାରେ ଦୁଇ ଦଳ ପକ୍ଷରୁ ଯେତେ ସଫେଇ ଦିଆଗଲେ ମଧ୍ୟ ବାସ୍ତବ ସ୍ଥିତି ସେୟା ନୁହେଁ । କେନ୍ଦ୍ର ସରକାରଙ୍କ ଅବହେଳା ନାରା ଦେଇ ଆସୁଥିବା ବିଜେଡ଼ି କର୍ମୀଙ୍କ ମୁହଁ ବଙ୍କା ହୋଇଗଲାଣି । ନବୀନଙ୍କ ପାଖରେ ବିଜେପି ସରେଣ୍ଡର କରିଥିବା କହି ଦଳର ନେତା ଓ କର୍ମୀମାନେ ଅବଶ୍ୟ ଉଲ୍ଲସିତ ହେଉଛନ୍ତି । ହେଲେ ବିଜେପି ନେତା ଓ କର୍ମୀମାନେ କିନ୍ତୁ ନିଜକୁ ଅଭାଗା କରିଦେଇଛନ୍ତି । ନବୀନଙ୍କୁ ଗାଦିଚ୍ୟୁତ କରିବାକୁ ଆମେ ଏଠି ଯେତେ ଲଢ଼େଇ କଲେ ବି ତାହା ପାଣିଫୋଟକା ବୋଲି ବିଜେପିର ଅନେକ ନେତା କ୍ଷୋଭ ପ୍ରକାଶ କରିଛନ୍ତି । ଏଥିରେ ଦିଲ୍ଲୀବାଲାଙ୍କର ସିନା ଲାଭ ହେଲେ ଆମର କ୍ଷତି ହିଁ କ୍ଷତି । ଆମ କର୍ମୀଙ୍କୁ ଏହା ବିବସ୍ତ୍ର କରିଛି ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି ।