କୋଲକତା: ବୟୋବୃଦ୍ଧ ରାଜନେତା ତଥା ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କର ଆଜି ସକାଳେ ପରଲୋକ ଘଟିଛି । କୋଲକତାର ଏକ ଘରୋଇ ହସ୍ପିଟାଲ୍ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । କିଡ଼ନୀ ସମସ୍ୟାରେ ଆକ୍ରାନ୍ତ ଶ୍ରୀ ଚାଟାର୍ଜୀଙ୍କୁ ଗୁରୁତର ଅସୁସ୍ଥ ଅବସ୍ଥାରେ ଗତ ୮ ତାରିଖରୁ ଭେଣ୍ଟିଲେଟରରେ ରହି ଚିକିତ୍ସା କରାଯାଉଥିଲା । ତାଙ୍କ ମୃତ୍ୟୁରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।
୧୯୨୯ ରେ ଜନ୍ମିତ ସୋମନାଥ ଚାଟାର୍ଜୀ ବାମପନ୍ଥୀ ଆନ୍ଦୋଳନର ଜଣେ ମୁଖ୍ୟ ପୁରୋଧା ଥିଲେ । ସେ ୧୦ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଥରେ ମାତ୍ର ୧୯୯୪ ମସିହାରେ ଯାଦବପୁର ଲୋକସଭା ଆସନରୁ ସେ ମମତା ବାନାର୍ଜୀଙ୍କଠାରୁ ନିର୍ବାଚନ ହାରିଥିଲେ । ୨୦୦୪ ରୁ୨୦୦୯ ପର୍ଯ୍ୟନ୍ତ ସେ ଥିଲେ ଲୋକସଭାର ବାଚସ୍ପତି । ଲୋକସଭା ଅଧ୍ୟକ୍ଷ ଭାବେ ତାଙ୍କର କାର୍ଯ୍ୟକାଳ ସ୍ମରଣୀୟ । ତାଙ୍କର ନିରପେକ୍ଷତା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରହିଛି । ଜଣେ ଦୃଢ଼ମନା ଓ ନିର୍ଭିକ ରାଜନେତା ଭାବରେ ତାଙ୍କର ବେଶ୍ ସୁଖ୍ୟାତି ଥିଲା ।