ଭୁବନେଶ୍ୱର: ଦେଶବାସୀଙ୍କୁ ବିଜେପି ଭଣ୍ଡୋଉଛି । କ୍ଷମତା ନିଶାରେ ଅବାସ୍ତବ ଓ ଅସତ୍ୟ ପ୍ରତିଶ୍ରୁତି ଦେଇଚାଲିଛି । ରାଜନୀତି କରିବାରେ ମନା ନାହିଁ । ହେଲେ ରାଜନୀତିରେ ଆଦର୍ଶକୁ ଭୁଲି ବିଜେପି ସୁବିଧାବାଦୀ ରାଜନୀତିରେ ମାତିଛି ବୋଲି କହିଛନ୍ତି ଦେଶର ଏକଦା ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ଗଣାଯାଉଥିବା ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନିକ ସରକାର । ବିଜେପି ପ୍ରବଞ୍ଚନା ଛାଡ଼ି ଆଦର୍ଶ ଓ ବାସ୍ତବ ପଥରେ ଚାଲିବାକୁ ସେ ପରାମର୍ଶ ଦେଇଛନ୍ତି ।
ଆଜି ଭୁବନେଶ୍ୱରଠାରେ ରାଜକିଶୋର ନାୟକ ଜାତୀୟ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ପୁସ୍ତକ ଉନ୍ମୋଚନ ଓ ସ୍ମାରକୀ ବକ୍ତୃତାମାଳରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶର ଏହି ଆଦର୍ଶ ରାଜନେତା କହିଛନ୍ତି ଯେ ୭୧ ବର୍ଷର ସ୍ୱାଧୀନତା ପରେ ବି ଦେଶବାସୀ ସମସ୍ୟାରେ ବୁଡ଼ି ରହିଛନ୍ତି । ରାସ୍ତାଘାଟ, ବିଜୁଳି,ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ସମସ୍ତଙ୍କ ପାଖରେ ପହଞ୍ଚି ପାରିନି । ସ୍ୱାଧୀନତାର ସ୍ୱପ୍ନ ଓ ବାସ୍ତବତା ଭିତରେ ଆକାଶ ପାତାଳ ପ୍ରଭେଦ ରହିଛି । କଂଗ୍ରେସ ପାଖାପାଖି ୬ ଦଶନ୍ଧି ଧରି ଶାସନକ୍ଷମତାରେ ଥିଲେ ବି ଲୋକଙ୍କ ମୌଳିକ ସମସ୍ୟା ସମାଧନ କରିପାରିଲା ନାହିଁ । ଏବେ ବିଜେପି ୪ ବର୍ଷ ଧରି ଶାସନକ୍ଷମତାରେ ଥିଲେ ମଧ୍ୟ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିପାରିନାହାନ୍ତି । ଏହି ଜୁମଲା ସରକାର ମିଛ ପ୍ରତିଶ୍ରୁତିରେ ଚାଲିଛି ବୋଲି ସେ କହିଛନ୍ତି । ୨ କୋଟି ଯୁବକଙ୍କୁ ଚାକିରି, ପ୍ରତି ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଜମା କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଜାତି,ଧର୍ମ ନାଁରେ ବିଜେପି ସରକାର ଡିଭାଇଡ ଆଣ୍ଡ ରୁଲ୍ ପଲିସି ଧରିଥିବା ସେ କହିଛନ୍ତି । ବିଜେପିର ଅବାସ୍ତବ ଚିନ୍ତାଧାରା ଯୋଗୁଁ ଦେଶରେ ଅର୍ଥନୈତିକ ସଙ୍କଟ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ହୁ ହୁ ହୋଇ ବଢ଼ିଚାଲିଛି ବୋଲି ସେ କହିଛନ୍ତି ।
ତ୍ରିପୁରାରେ କ୍ରମାଗତ ଦୀର୍ଘ ୨୦ ବର୍ଷ ଶାସନ କ୍ଷମତାରେ ଥିଲେ ମାନିକ ସରକାର । ମାତ୍ର ନିକଟରେ ହୋଇଥିବା ନିର୍ବାଚନରେ ତାଙ୍କ ନେତୃତ୍ୱରେ ବାମମେଣ୍ଟର ପରାଜୟର କାରଣ ପଛରେ ବିଜେପିର ଅବାସ୍ତବ ଓ ଅସତ୍ୟ ପ୍ରତିଶ୍ରୁତିକୁ ସେ ଦାୟୀ କରିଛନ୍ତି । ତ୍ରିପୁରା ଭଳି ଏକ ଛୋଟ ରାଜ୍ୟରେ ବିଜେପି ଲୋକଙ୍କୁ ଗଦା ଗଦା ମିଥ୍ୟା ଓ ଅବାସ୍ତବ ପ୍ରତିଶ୍ରୁତି ଦେଇଛି । ୯ ଲକ୍ଷ ଯୁବକଙ୍କୁ ଚାକିରି ଦେବାର ଲୋଭ ଦେଖାଇଛି । ମାତ୍ର ଏହା କିଭଳି ସମ୍ଭବ ବୋଲି ଶ୍ରୀ ସରକାର ପ୍ରଶ୍ନ କରିଛନ୍ତି । ରାଜନୀତିରେ ମୂଲ୍ୟବୋଧକୁ ବିଜେପି ଭୁଲି ପ୍ରବଞ୍ଚନାରେ ମାତିଛି । ଏହା ଗଣତନ୍ତ୍ର ପ୍ରତି ବିପଦ ବୋଲି ମାନିକ କହିଛନ୍ତି ।






