ଭୁୁବନେଶ୍ୱର: ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରେ ଅମୀୟ ଦାସଙ୍କୁ ଟିକେଟ ମିଳିନାହିଁ । ସପ୍ତାହ ତଳେ ବିଜେଡ଼ିରୁ ଆସି ଯୋଗଦେଇଥିବା ବାବୁ ସିଂଙ୍କୁ ମିଳିଛି ବିଜେପି ଟିକେଟ । ଦୁଇଦିନ ତଳେ ବିଜେଡ଼ି ଛାଡ଼ି ଆସିଥିବା କୁସୁମ ଟେଟେଙ୍କୁ ସୁନ୍ଦରଗଡ଼ ଏବଂ କେ.ନାରାୟଣ ରାଓଙ୍କୁ ପାରଳାଖେମୁଣ୍ଡିରେ ବିଜେପି ପ୍ରାର୍ଥୀ କରିଛି । ତିନି ଦିନ ତଳେ ବିଜେପିକୁ ଆସିଥିବା କଂଗ୍ରେସ ବିଧାୟକ ପ୍ରକାଶ ବେହେରାଙ୍କୁ ସାଲେପୁର ଆସନ ଛଡ଼ାଯାଇଛି । ବଡ଼ଚଣାରେ ପ୍ରାର୍ଥୀ ହେବାକୁ ପୁଣି ଆଶା ବାନ୍ଧିଥିବା ଗତଥରର ପ୍ରାର୍ଥୀ ଶ୍ରୀମତୀ ସୀମନ୍ତିନୀ ଜେନା ନିରାଶ ହୋଇଛନ୍ତି । ସେଠାରେ ଅମର ନାୟକଙ୍କୁ ଟିକେଟ ମିଳିଛି ।
ବହୁ ବିଳମ୍ବରେ ପୁରୁଣା, ନୂଆ ଓ ଆମଦାନୀ ନେତାଙ୍କୁ ମିଶାଇ ବିଜେପି ପ୍ରଥମ ଦଫାରେ ୧୦୦ ଜଣିଆ ବିଧାୟକ ପ୍ରାର୍ଥୀ ତାଲିକା ଗତକାଲି ରାତିରେ ଘୋଷଣା କରିଥିଲା । ମାତ୍ର କେଇ ଘଣ୍ଟା ପରେ ଆସିକା ଆସନକୁ ତାଲିକାରୁ ବାଦ୍ ଦିଆଯାଇଛି । ସେଠାରେ ସରୋଜ ପାଢ଼ୀଙ୍କ ନାଁ ଘୋଷଣା କରାଯାଇଥିଲା । ୯୯ ଜଣିଆ ତାଲିକାରେ ୬୩ ଟି ବିଧାନସଭା ଆସନରେ ନୂଆ ମୁହଁଙ୍କୁ ସୁଯୋଗ ଦିଆଯାଇଛି । ଯାଜପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ଟି ଯାକ ଆସନରେ ଲଢ଼ିବେ ନୂଆ ପ୍ରାର୍ଥୀ । ମୋଟାମୋଟି ଦଳ ପାଇଁ ଲଢ଼ି ଆସୁଥିବା କିଛି ଯୋଗ୍ୟ ନେତାଙ୍କୁ ଅଣଦେଖା କରାଯାଇଥିଲେ ମଧ୍ୟ ତାଲିକାରେ ଅଯୋଗ୍ୟ ନେତା ପଶିନାହାନ୍ତି । ବିଜେଡ଼ିକୁ ଟକ୍କର ଦେଲା ପ୍ରତି ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛି ବିଜେପି । ତେବେ ମହିଳାଙ୍କ ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦିଆଯାଇନି । ତାଲିକାରେ ମାତ୍ର ୯ ଜଣ ମହିଳା ପ୍ରାର୍ଥୀଙ୍କୁ ସ୍ଥାନ ମିଳିଛି ।
ଆସିକା ଭଳି କିଛି ଜାଗାରେ ଦ୍ୱନ୍ଦ ରହିଥିବା କାରଣରୁ ପ୍ରାର୍ଥୀ ଚୟନ ଅଟକି ରହିଛି । କନକ ବର୍ଦ୍ଧନ ସିଂହଦେଓଙ୍କୁ ମିଶାଇ ୫ ବିଧାୟକଙ୍କୁ ପୁନର୍ବାର ଟିକେଟ ମିଳିଥିଲେ ମଧ୍ୟ ରାଜ୍ୟ ସଭାପତି ତଥା ବିଧାୟକ ବସନ୍ତ ପଣ୍ଡାଙ୍କ ଟିକେଟ ଚୂଡ଼ାନ୍ତ ହୋଇପାରିନାହିଁ । ଦେବଗଡ଼ ଆସନରେ ବି ପ୍ରାର୍ଥୀ ସ୍ଥିର ହୋଇପାରିନାହାନ୍ତି ।
ବିଜେପିରେ ଯୋଗଦେଇଥିବା ବରିଷ୍ଠ ନେତା ଦାମୋଦର ରାଉତ ବାଲିକୁଦା –ଏରସମାରୁ ଲଢ଼ିବା ପାଇଁ ଚାହିଁଥିଲେ । ତାଙ୍କୁ ତାହା ଦିଆଯାଇଛି । ବାରବାଟୀ କଟକରୁ ସମୀର ଦେ, ସମ୍ବଲପୁରରୁ ଜୟ ନାରାୟଣ ମିଶ୍ରଙ୍କ ଭଳି ଭେଟରାନ୍ ଲଢ଼ିବେ । ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ପୁଣି ଲଢ଼ିବେ ନିମାପଡ଼ାରୁ । ତେବେ ଲେଖାଶ୍ରୀ ସାମନ୍ତରାୟଙ୍କ କଥା ଜଣାପଡ଼ିନାହିଁ । ସେ ବାଲେଶ୍ୱର ଲୋକସଭା ଆସନରୁ ଲଢ଼ିବାକୁ ଚାହୁଁଥିଲେ । ମାତ୍ର ସେଠାରୁ ପ୍ରତାପ ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିବାରୁ ଲେଖାଶ୍ରୀଙ୍କୁ ନୀଳଗିରି ଆସନରେ ଥଇଥାନ କରାଯାଇପାରେ । ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେଇଥିବା ପୂର୍ବତନ ବିଧାୟକ ରମାରଂଜନ ବଳିୟାରସିଂଙ୍କୁ ନିରାଶ ହେବାକୁ ପଡ଼ିଛି । ସତ୍ୟବାଦୀରେ ଓମପ୍ରକାଶ ମିଶ୍ରଙ୍କୁ ମିଳିଛି ଟିକେଟ ।
ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ଗତକାଲି ସଂଧ୍ୟାରେ ୧୦ଟି ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା । ସୁନ୍ଦରଗଡ଼ରୁ ଜୁଏଲ୍ ଓରାମ୍, ଭୁବନେଶ୍ୱରରୁ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, ଢ଼େଙ୍କାନାଳରୁ ରୁଦ୍ରନାରାୟଣ ପାଣି, ନବରଙ୍ଗପୁରରୁ ବଳଭଦ୍ର ମାଝୀ, ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର, ବଲାଙ୍ଗୀରରୁ ଶ୍ରୀମତୀ ସଙ୍ଗୀତା ସିଂହଦେଓ, ଆସିକାରରୁ ଶ୍ରୀମତୀ ଅନୀତା ପ୍ରିୟଦର୍ଶିନୀ ଏବଂ କେନ୍ଦୁଝରରୁ ଅନନ୍ତ ନାୟକଙ୍କୁ ପ୍ରାର୍ଥୀ କରାଯାଇଛି ।