ଭୁବନେଶ୍ୱର: ନିର୍ବାଚନ କମିଶନଙ୍କ ଆଦେଶକୁ ଦଳିଚକଟି ଦେଇଛି ବିଜେପି । ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ନିର୍ବାଚନ କମିଶନଙ୍କ ବାରଣ ସତ୍ତ୍ୱେ ଆଜି ବିଜେପି ଏକ ପ୍ରେସମିଟ୍ କରି ନିର୍ବାଚନ ନୀତିନିୟମକୁ ଜଳାଞ୍ଜଳି ଦେଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛି ।
ମତଦାନର ୪୮ ଘଣ୍ଟା ପୂର୍ବ ସମୟରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ଉପରେ ପ୍ରଚାର କଟକଣା ରହିଛି । ଚଳିତବର୍ଷ ନିର୍ବାଚନ କମିଶନ ଏଥିରେ ଆଉ ଏକ କଟକଣା ଲଗାଇଛନ୍ତି । ଏହି ସମୟରେ(ସାଇଲେନ୍ସ ପିରିୟର୍ଡ) ଷ୍ଟାର ପ୍ରଚାରକ ଏବଂ ଅନ୍ୟ ନେତାମାନେ କୌଣସି ସାମ୍ବାଦିକ ସମ୍ମିଳନୀ କିମ୍ବା ନିର୍ବାଚନ ସମ୍ପର୍କରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇପାରିବେ ନାହିଁ ବୋଲି କଡ଼ା କଟକଣା ଜାରି ହୋଇଛି । ଗତ ମାର୍ଚ୍ଚ ୧୫ ତାରିଖରେ ନିର୍ବାଚନ କମିଶନଙ୍କ ପକ୍ଷରୁ ସଚିବ ଶ୍ରୀ ଏନ.ଟି.ଭୂତିଆ ଚିଠି ନମ୍ବର ୩/ଇଆର/୨୦୧୮/ଏସଡିଆର/ଭଲ୍ୟୁମ୍-୧ ରେ ସବୁ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଏହାର ଆଦେଶନାମା ପଠାଇଛନ୍ତି ।
ମାତ୍ର ଉକ୍ତ ଆଦେଶକୁ ବିଜେପି ବେଖାତିର କରି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା । ନିର୍ବାଚନ କମିଶନଙ୍କ ଆଦେଶ ଏବଂ ନିର୍ବାଚନ ଗାଇଡଲାଇନର ଏହା ସାଘାଂତିକ ଉଲ୍ଲଂଘନ ବୋଲି ବିଜେଡ଼ି ପକ୍ଷରୁ ଦର୍ଶାଯିବା ସହ ବିଜେପି ବିରୋଧରେ କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଏବଂ ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହି ଦାବି ଜଣାଇଥିଲେ ।
ଅନ୍ୟପକ୍ଷରେ ଦଳ ପକ୍ଷରୁ ବିଜେପି ନେତା ସମୀର ମହାନ୍ତି, ଗୋଲକ ମହାପାତ୍ର ଏବଂ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଚିଟିଂ ଏବଂ ଫର୍ଜରି ଅଭିଯୋଗରେ ଖାରବେଳନଗର ଥାନାରେ ଏତଲା ଦିଆଯାଇଛି । ଆଜି ସେମାନେ ପ୍ରେସମିଟ୍ ରେ ପୁରୁଣା ଦସ୍ତାବିଜ୍ ଦେଖାଇ ବିଜେଡ଼ିକୁ ବଦନାମ କରିବାକୁ ଉଦ୍ୟମ କରିଛନ୍ତି ବୋଲି ଏତଲାରେ କୁହାଯାଇଛି ।