ଭୁବନେଶ୍ୱର: ରାତି ପାହିଲେ ନିର୍ବାଚନ । କାହା ମୁଣ୍ଡରେ ବାଜିବ ମୁକୁଟ ଏବେ ସମସ୍ତଙ୍କ ଉକ୍ରଣ୍ଠା । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା ସମେତ ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୬୦ ଲକ୍ଷ ଲୋକ ବାଛିବେ ସେମାନଙ୍କ ପ୍ରତିନିଧି । କାଲି ଅନୁଷ୍ଠିତ ହେଉଥିବା ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିୱେଟ୍ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।
୪ଟି ଯାକ ଲୋକସଭା ଆସନରେ ବିଜେପି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ, କଡ଼ା ଟକ୍କର । କଳାହାଣ୍ଡି ଲୋକସଭା ଆସନରେ ତିନି ଦଳର ତିନି ରଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ବିଜେଡ଼ିରୁ ପୁଷ୍ପେନ୍ଦ୍ର ସିଂହଦେଓ, ବିଜେପିରୁ ବସନ୍ତ କୁମାର ପଣ୍ଡା ଏବଂ କଂଗ୍ରେସରୁ ଭକ୍ତ ଚରଣ ଦାସଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର । ନବରଙ୍ଗପୁରରେ ରମେଶ ଚନ୍ଦ୍ର ମାଝୀ, ବଳଭଦ୍ର ମାଝୀ, ପ୍ରଦୀପ ମାଝୀଙ୍କ ମଧ୍ୟରେ ଟକ୍କର ବି ଆହୁରି କଡ଼ା । କୋରାପୁଟରେ କୌଶଲ୍ୟା ହିକକା, ଜୟରାମ ପାଙ୍ଗୀ, ସପ୍ତଗିରି ଶଙ୍କର ଉଲାକା ଏବଂ ବ୍ରହ୍ମପୁରରେ ଚନ୍ଦ୍ରଶେଖର ସାହୁ, ଭୃଗୁ ବକ୍ସିପାତ୍ର ଏବଂ ଭି.ଚନ୍ଦ୍ରଶେଖର ନାଇଡୁଙ୍କ ମଧ୍ୟରେ ଜୋରଦାର ମୁକାବିଲା ।
ସେପଟେ ଏହି ୪ ଟି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଧାନସଭା କ୍ଷେତ୍ରରେ ମଧ୍ୟ ଲଢ଼େଇ କିଛି କମ ନାହିଁ । କିଛି ଜାଗାରେ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ତ ଆଉ କିଛି ଜାଗାରେ ବିଜେଡ଼ି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର । ବିଜେଡ଼ି ହେଭିୱେଟ୍ ସୂର୍ଯ୍ୟନାରାୟଣ ପାତ୍ର, ଶ୍ରୀମତୀ ଉଷା ଦେବୀ, ରବି ନାରାୟଣ ନନ୍ଦ, ଲାଲବିହାରୀ ହିମିରିକା, ପ୍ରଦୀପ ପାଣିଗ୍ରାହୀ, ଭୂପିନ୍ଦର ସିଂଙ୍କ ଭାଗ୍ୟ ନିର୍ଣ୍ଣୟ କରିବ ଏହି ଭୋଟ । ସେହିଭଳି ବିଜେପିର ପ୍ରଦୀପ୍ତ କୁମାର ନାଏକ, ପର୍ଶୁରାମ ମାଝୀ, ଅଭିନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ଦେବେ ଭାଗ୍ୟ ପରୀକ୍ଷା । କଂଗ୍ରେସରୁ ତାରାପ୍ରସାଦ ବାହିନୀପତି, ଭୁଜବଳ ମାଝୀ, ଚନ୍ଦ୍ରଶେଖର ମାଝୀ, କେ. ସୂର୍ଯ୍ୟ ରାଓ, କୈଳାସ କୁଲେସିକା, ଘାସିରାମ ମାଝୀଙ୍କ ଭାଗ୍ୟ କହିଦେବ କାଲିର ଭୋଟ ।
କାଲି ମତଦାନରେ ସମୁଦାୟ ୬୦,୦୩,୭୦୩ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୨୯,୭୨,୯୨୫ ପୁରୁଷ , ୩୦,୩୦,୨୨୨ ମହିଳା ଏବଂ ୫୬୦ ଜଣ କିନ୍ନର ଭୋଟର ଅଛନ୍ତି । ସମୁଦାୟ ୭,୨୩୩ ଭୋଟଗ୍ରହଣ କେନ୍ଦ୍ରରେ ସେମାନେ ଭୋଟ ଦେବେ । ଭୋଟ୍ଗ୍ରହଣ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୁଲିସ, ପାରାମିଲିଟାରି ଫୋର୍ସ, ଫ୍ଲାଇଂ ସ୍କ୍ୱାଡ୍ ଛାଇ ହୋଇଯାଇଛନ୍ତି । ସବୁ ବୁଥ୍ ରେ ଷ୍ଟାଟିକ୍ ସର୍ଭିଲାନସ୍, ଭିଡ଼ିଓଗ୍ରାଫି ଆଦି ବ୍ୟବସ୍ଥା କରାଯାଇଛି । ମାଓ ଉପଦ୍ରୁତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ସେନାବାହିନୀର ହେଲିକପ୍ଟର ପଇଁତରା ବ୍ୟବସ୍ଥା ହୋଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏଁ ଚାଲିବ । ମାଓ ଅଧ୍ୟୁଷିତ ଇଲାକାରେ ମତଦାନ ୫ଟା ବେଳେ ସରିଯିବ ।
ଆସନ୍ତାକାଲି ଭୋଟ୍ ହେଉଥିବା ଲୋକସଭା ଓ ବିଧାନସଭା ଆସନଗୁଡ଼ିକ ହେଲା-
କଳାହାଣ୍ଡି (ଲୋକସଭା): ନୂଆପଡ଼ା, ଖରିଆର,ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା(ବିଧାନସଭା ଆସନ) ।
ନବରଙ୍ଗପୁର (ଲୋକସଭା): ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, ପଟ୍ଟାଙ୍ଗୀ, ମାଲକାନଗିରି, ଚିତ୍ରକୋଣ୍ଡା(ବିଧାନସଭା ଆସନ) ।
ବ୍ରହ୍ମପୁର(ଲୋକସଭା): ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି(ବିଧାନସଭା ଆସନ) ।
କୋରାପୁଟ(ଲୋକସଭା): ଗୁଣୁପୁର, ବିଷମ କଟକ, ରାୟଗଡ଼ା, ଲକ୍ଷ୍ମୀପୁର,କୋଟପାଡ଼, ଜୟପୁର,କୋରାପୁଟ(ବିଧାନସଭା ଆସନ) ।