ଭୁବନେଶ୍ୱର: ବିଜେପି ବିରୋଧରେ ନିର୍ବାଚନ ଆଦର୍ଶ ଆଚରଣ ଉଲ୍ଲଂଘନର ଗଣ୍ଡା ଗଣ୍ଡା ମାମଲା ଆସୁଥିଲା ବେଳେ ନିର୍ବାଚନ କମିଶନଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାର ବିଜେପି ଚାପରେ ସମ୍ପୂର୍ଣ୍ଣ ଚାପି ହୋଇଯାଇଛନ୍ତି । ଗତ ଦୁଇ ସପ୍ତାହ ଭିତରେ ୧୧ଟି ମାମଲା ଧରି ବିଜେଡ଼ି ସିଇଓଙ୍କ ଦ୍ୱାରସ୍ଥ ହୋଇଥିଲା । ମାତ୍ର କୌଣସି ଗୋଟିକରେ ବି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ସିଇଓଙ୍କର ଏଭଳି ଆଭିମୁଖ୍ୟ ଓଡ଼ିଶାରେ ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ ସନ୍ଦେହ ସୃଷ୍ଟି କରିଛି ବୋଲି ବିଜେଡ଼ି ଅଭିଯୋଗ କରିଛି ।
ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ । ସେ କହିଛନ୍ତି, ବିଜେଡ଼ିର ଅଭିଯୋଗଗୁଡ଼ିକ ଉପରେ ସିଇଓ ଆଖି ବୁଜି ଦେଇ ବିଜେପି ଏବଂ ତାଙ୍କ ନେତାଙ୍କ ସମର୍ଥନରେ ମତ ଜାହିର କରୁଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପ୍ରତି ଶକ୍ତ ଧକ୍କା ବୋଲି କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଡ. ପାତ୍ର ବିଜେଡ଼ି ପକ୍ଷରୁ ତଥ୍ୟ ପ୍ରମାଣ ସହ ସିଇଓଙ୍କ ପାଖରେ ଏ ପର୍ଯ୍ୟନ୍ତ ଦାଖଲ ହୋଇଥିବା ୧୧ଟି ପ୍ରସଙ୍ଗର ଅବତାରଣା କରିଛନ୍ତି ।
୧- କାଳିଆ ଯୋଜନା: ମାର୍ଚ୍ଚ ୩୧ ପରେ ‘କାଳିଆ’ ସହାୟତାର ଦ୍ୱିତୀୟ କିସ୍ତି ୨୦ ଲକ୍ଷ ଚାଷୀ ପାଇବା କଥା । ମାତ୍ର ଏହାପୂର୍ବରୁ ‘କାଳିଆ’ ଯୋଜନାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେପି ଚାପରେ ବନ୍ଦ କରିଦେଲେ । ୩୦ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଏହାକୁ ସ୍ୱୀକାର କଲା । ‘କାଳିଆ’ ଯୋଜନା ବନ୍ଦ ଉପରେ ସିଇଓ ସାମ୍ବାଦିକ ସମ୍ମିଳନୀ ଡାକି ସ୍ପଷ୍ଟୀକରଣ ଦେବା ପଛରେ ସେମାନଙ୍କ ଚାପ ଥିଲା ବୋଲି ବିଜେପି ପକ୍ଷରୁ ଦାବି କରାଗଲା । ସୁତରାଂ ବିଜେଡ଼ ଯାହା କହୁଛି ତାହା ସତ୍ୟ ବୋଲି ପ୍ରମାଣିତ ହୋଇଛି । ଆଶ୍ଚର୍ଯ୍ୟର କଥା, ‘କାଳିଆ’ ଯୋଜନାର ଦୁଇ ମାସ ପରେ ପିଏମ୍-କିଷାନ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ତାହାକୁ ବନ୍ଦ କରାଯାଇନାହିଁ । ସିଇଓଙ୍କ ଉପରେ ଚାପ ପକାଇ୨୦ ଲକ୍ଷ ଚାଷୀଙ୍କୁ ସହାୟତାରୁ ବଞ୍ଚିତ କରିଥିବା ବିଜେପିକୁ ଆଗାମୀ ନିର୍ବାଚନରେ ଓଡ଼ିଶାବାସୀ ଉଚିତ ଜବାବ ଦେବେ ।
୨- ଜାଲ୍ ଗୁଇନ୍ଦା ଚିଠି: ଗତ ୧୮ ତାରିଖରେ ବିଜେପି ସାମ୍ବାଦିକ କରି ଏକ ଜାଲ୍ ଗୁଇନ୍ଦା ରିପୋର୍ଟ ଦେଖାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ସିଇଓଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଦୋଷୀ ବିଜେପି ନେତାମାନେ ଖୁଲମ ଖୋଲା ବୁଲୁଛନ୍ତି । ବିଜେଡ଼ି ଏ ସମ୍ପର୍କରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବିଜେପି ଚାପରେ ସିଇଓ ଚୁପ୍ ବସିଛନ୍ତି ।
୩- ପୀତାମ୍ବର ଆଚାର୍ଯ୍ୟଙ୍କ ମାମଲା: ହିଞ୍ଜିଳି ଆସନରୁ ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ଜଣେ କାର୍ଯ୍ୟରତ ପୁଲିସ ଅଧିକାରୀଙ୍କୁ ଖୋଲାଖୋଲି ଧମକ ଦେବା ସହ ଏକଜୁ୍ୟଟିଭ୍ ମାଜିଷ୍ଟ୍ରେଟ୍ ଙ୍କୁ ସହଯୋଗ କରିବାକୁ ମନା କରିଦେଲେ । ମାତ୍ର ଏ ଯାଏଁ ସିଇଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ । ନିର୍ବାଚନ ଗାଇଡଲାଇନ୍ କୁ ଉଲ୍ଲଂଘନ କରୁଥିବା ବିଜେପି ନେତାମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସିଇଓ ଅସମର୍ଥ ବୋଲି ପୁଣି ଏହି ଘଟଣା ପ୍ରମାଣିତ କରୁଛି ।
୪- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ପେଟ୍ରୋଲ ପମ୍ପ ଏବଂ ଗ୍ୟାସ୍ ଏଜେନ୍ସୀଗୁଡ଼ିକୁ ବିଜେପି ପାଇଁ ବ୍ୟବହାର କରାଯାଉଛି: ପେଟ୍ରୋଲ୍ ପମ୍ପ ଏବଂ ଗ୍ୟାସ୍ ଏଜେନ୍ସୀଗୁଡ଼ିକ ଉପରେ ଭିଡ଼ିଓ ନିରୀକ୍ଷଣ ବ୍ୟବସ୍ଥା ପାଇଁ ବିଜେଡ଼ି ଦାବି କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ପେଟ୍ରୋଲ୍ ପମ୍ପ ଏବଂ ଗ୍ୟାସ୍ ଏଜେନ୍ସୀଗୁଡ଼ିକ ବିଜେପିର ନିର୍ବାଚନ ପାଣ୍ଠି ଠୁଳ ଏବଂ ବିତରଣ କେନ୍ଦ୍ର ଭାବେ ବ୍ୟବହାର କରିବାକୁ ଯୋଜନା କରାଯାଇଥିବା ସିଇଓଙ୍କ ପାଖରେ ବିଜେଡ଼ି ଜଣାଇଥିଲା । ଇତିମଧ୍ୟରେ ବରଗଡ଼ ଜିଲ୍ଲାର ଜନୈକ ପେଟ୍ରୋଲ୍ ପମ୍ପ ମାଲିକ ତଥା ବିଜେପି ସମର୍ଥକ ସଞ୍ଜୀବ ମହାପାତ୍ରଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ ହୋଇ ଏହାର ସତ୍ୟାସତ୍ୟ ଧରାପଡ଼ିଛି । ମାତ୍ର ଏ ପର୍ଯ୍ୟନ୍ତ ଅଭିଯୁକ୍ତ ବିରୋଧରେ ସିଇଓ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ କରିବାକୁ ସିଇଓଙ୍କ ଉପରେ ଚାପ ରହିଛି ।
୫- ହଟୁନାହିଁ ହୋର୍ଡିଂସ୍, ବ୍ୟାନର୍ସ: ବିଜେଡ଼ି ପକ୍ଷରୁ ବାରମ୍ବାର ଦାବି ସତ୍ତ୍ୱେ ପେଟ୍ରୋଲ୍ ପମ୍ପ, ଗ୍ୟାସ୍ ଏଜେନ୍ସୀ, ବିମାନବନ୍ଦର ପ୍ରଭୃତ ଜାଗାରେ ବିଜେପି ପ୍ରସ୍ତୁତ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକର ହୋର୍ଡିଂସ୍ ଏବଂ ଇଲେକଟ୍ରୋନିକ୍ ଡିସପ୍ଲେଗୁଡ଼ିକ ଏପର୍ଯ୍ୟନ୍ତ ହଟାଯାଇନାହିଁ । ଖାଲି ସେତିକି ନୁହେଁ ଟିଭିରେ ମଧ୍ୟ ବିଜେପି କେନ୍ଦ୍ର ସରକାରଙ୍କ ଯୋଜନାର ଛାୟା ବିଜ୍ଞାପନ ଛାଇ ହେଉଛି । ନିର୍ବାଚନ ଆଚରଣ ବିଧିର ଏହା ଉଲ୍ଲଂଘନ କରୁଥିଲେ ମଧ୍ୟ ବିଜେପି ଚାପରେ ସିଇଓ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ।
୬- ସୀମା ସିଲ୍: କଳାଟଙ୍କା ଏବଂ ଅପରାଧୀମାନଙ୍କ ପ୍ରବେଶ ରୋକିବାକୁ ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ସହ ଓଡ଼ିଶା ସୀମାକୁ ସିଲ୍ କରିବା ପାଇଁ ବିଜେଡ଼ିର ଦାବିକୁ ମଧ୍ୟ ସିଇଓ ଗ୍ରହଣ କରିନାହାନ୍ତି ।
୭- ଉଜ୍ଜଳା ସଂଯୋଗ: ନିର୍ବାଚନ ଆଚରଣ ବିଧି ଲାଗୁ ସତ୍ତ୍ୱେ ଆଇଓସିଏଲ୍ ପକ୍ଷରୁ ଉଜ୍ଜଳା ଯୋଜନାରେ ନୂଆ ହିତାଧିକାରୀଙ୍କୁ ଚିହ୍ନଟ କରି ଗ୍ୟାସ୍ ସଂଯୋଗ ଦିଆଯାଉଛି । ଗ୍ୟାସ୍ କିଟସ୍ ରେ ବିଜେପି ନତାଙ୍କ ଫଟୋ ଲଗାଯାଉଛି । ବିଜେଡ଼ି ଏ ସମ୍ପର୍କରେ ସିଇଓଙ୍କ ଦୃଷ୍ଟି ଆକର୍ଷଣ କରି ଆଇଓସିଏଲ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି । ମାତ୍ର ବିଜେପି ଚାପରେ ସିଇଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ।
୮-‘ ପ୍ରତିଶ୍ରୁତି ପତ୍ର’ରେ ବିଜେପିର ସାଂଘାତିକ ଉଲ୍ଲଂଘନ: ବିଜେପି ଦ୍ୱାରା ‘ପ୍ରତିଶ୍ରୁତି ପତ୍ର’ ନାଁରେ ଏକ ଫର୍ମ ଜରିଆରେ ଭୋଟରଙ୍କ ସମସ୍ତ ବିବରଣୀ ସଂଗ୍ରହ କରାଯାଉଛି । ଗରିବଙ୍କୁ ପକ୍କା ଘର ଏବଂ ଜମିପଟ୍ଟା ଦେବାକୁ ପ୍ରତିଶ୍ରୁତି ଦିଆଯାଉଛି । ନିର୍ବାଚନ ଆଚରଣ ବିଧିର ଏହା ଏକ ସାଘାଂତିକ ଉଲ୍ଲଂଘନ ହୋଇଥିଲେ ମଧ୍ୟ ବିଜେପି ଓ ଏହାର ନେତାମାନଙ୍କ ଚାପରେ ସିଇଓ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ।
୯- ଦୂରଦର୍ଶନ: ବିଜୁ ଜନତା ଦଳକୁ ଦୂରଦର୍ଶନ୍ ବ୍ଲାକ୍ ଆଉଟ୍ କରି କେବଳ ବିଜେପି ପ୍ରଚାରରେ ମାତିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର ପାଇଁ ସର୍ବାଧିକ ସମୟ ଦେଉଛି । ବିଜେପି ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ମର୍ଜିରେ ଦୂରଦର୍ଶନ ଖବର ପ୍ରସାରିତ ହେଉଥିବା ନେଇ ବିଜେଡ଼ି ବାରମ୍ବାର ସିଇଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ଚାପରେ ସିଇଓ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ।
୧୦- ବୈଜୟନ୍ତ ପଣ୍ଡାଙ୍କ ଭିଡ଼ିଓ ଭ୍ୟାନ୍: ନିର୍ବାଚନ କମିଶନଙ୍କ ବିନା ଅନୁମତିରେ ବୈଜୟନ୍ତ ପଣ୍ଡା ତାଙ୍କ ପ୍ରଚାରରେ ଭିଡ଼ିଓ ଭ୍ୟାନ୍ ବ୍ୟବହାର କରିଛନ୍ତି । ଏହା ନିର୍ବାଚନ ଆଚରଣ ବିଧି ର ଉଲ୍ଲଂଘନ ହୋଇଥିବାରୁ ବିଜେଡ଼ି ସିଇଓଙ୍କ ନଜରକୁ ଆଣିଛି । ମାତ୍ର ବୈଜୟନ୍ତ ପଣ୍ଡା ବିଜେପିର ରାଷ୍ଟ୍ରୀୟ ଉପସଭାପତି ଏବଂ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ନେବାକୁ ସିଇଓ ଡରିଛନ୍ତି । ବିଜେପି ଚାପରେ ସିଇଓ ଚୁପ୍ ରହିବାକୁ ପସନ୍ଦ କରିଛନ୍ତି ।
୧୧- ସ୍କିଲ୍ ଇଣ୍ଡିଆ ଉଲ୍ଲଂଘନ: ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ କେନ୍ଦ୍ର ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍କିଲ୍ ମିଶନ ଅଭିଯାନ ଜାରି ରଖିଛନ୍ତି । ତାଙ୍କ ସଭାରେ ଲାଗୁଛି ‘ସ୍କିଲ୍ ଇଣ୍ଡିଆ’ ଲୋଗୋ । ଗତକାଲି ରାଜ୍ୟ ଘରୋଇ ଆଇଟିଆଇ ସଂଘର ଏକ କର୍ମଶାଳାରେ ଯୋଗଦେଇ ଶ୍ରୀ ପ୍ରଧାନ କେନ୍ଦ୍ର ସରକାରଙ୍କ ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମର ପ୍ରଚାର କରିଥିଲେ । ବିଜେଡ଼ି ଏହା ସିଇଓଙ୍କ ନଜରକୁ ଆଣିଥିଲେ ମଧ୍ୟ ବିଜେପି ଚାପରେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ସିଇଓ ।
ଉପରୋକ୍ତ ୧୧ଟି ଉଦାହରଣରୁ ଏହା ସ୍ପଷ୍ଟ ଯେ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେପି ଚାପରେ ରହିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏଭଳି ଆଚରଣ ଓଡ଼ିଶାବାସୀଙ୍କୁ ମର୍ମାହତ କରିଛି । ବିଜେପି ଇଚ୍ଛାରେ ମୁଖ୍ୟ ନିର୍ବାଚନ ଅଧିକାରୀ ପରିଚାଳିତ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ସ୍ୱଚ୍ଛ ଓ ଅବାଧ ନିର୍ବାଚନର ପରିପନ୍ଥୀ ବୋଲି ବିଜେଡ଼ି ମୁଖପାତ୍ର ଡ. ପାତ୍ର କହିଛନ୍ତି ।
ବିଜେଡ଼ିର ଅଭିଯୋଗ ଉପରେ ବିଜେପିର ପ୍ରତିକ୍ରିୟା ମିଳିପାରିନାହିଁ ।