ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ବିଜେପିର ଟାଣୁଆ ସଂଗଠକ ତଥା ମଧ୍ୟ ଆସନରୁ ଦୁଇ ଦୁଇ ଥର ବିଧାୟକ ପ୍ରାର୍ଥୀ ଥିବା ଜଗନ୍ନାଥ ପ୍ରଧାନ ଦଳରୁ ଇସ୍ତଫା ଦେବେ । ଆଜି ଶ୍ରୀ ପ୍ରଧାନ ନିଜ ଫେସବୁକ୍ ଆକାଉଣ୍ଟରେ ଏହା ଘୋଷଣା କରିଛନ୍ତି । ଲେଖିଛନ୍ତି, ମୁଁ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେବା ପାଇଁ ମନସ୍ଥ କଲି ।
ଅପରାହ୍ନ ୩.୫୩ ମିନିଟ୍ ରେ ଶ୍ରୀ ପ୍ରଧାନ ନିଜ ଫେସବୁକ୍ ଆକାଉଣ୍ଟ୍ ରେ ଏହା ଲେଖି ପୋଷ୍ଟ କରିଥିଲେ । ତେବେ ୧୦ ମିନିଟ୍ ପରେ ପୋଷ୍ଟ୍ ଟି ଗାଏବ ହୋଇଯାଇଛି । କୌଣସି କାରଣରୁ ସେ ଏହାକୁ ଡିଲିଟ୍ କରିଦେଇଛନ୍ତି । ଘଟଣା କ’ଣ ଜାଣିବା ପାଇଁ ଆମେ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇନାହିଁ । ସେ ତାଙ୍କ ବନ୍ଧୁଙ୍କର ଏକ ପାରିବାରିକ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବା ଜାଣିଲୁ ।
ଅନ୍ୟପକ୍ଷରେ ତାଙ୍କର କିଛି ନିକଟତମ ମହଲର ସୂଚନା ଅନୁଯାୟୀ, ଶ୍ରୀ ପ୍ରଧାନଙ୍କୁ ଦଳରେ କୋଣଠେସା କରାଯାଇଥିବାରୁ ସେ କ୍ଷୁବ୍ଧ ଅଛନ୍ତି । ହୁଏତ ସେଥିପାଇଁ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇ ପାରିଥାନ୍ତି । ତେବେ ଫେସବୁକ୍ ରେ ସେ ନିଜେ ଦଳ ଛାଡ଼ିବା ପାଇଁ ମନସ୍ଥିର କରିଥିବା ଜଣାଇବା ଏବଂ କିଛି ସମୟ ପରେ ତାକୁ ହଟାଇ ଦେବା ପଛର ରହସ୍ୟ ସମ୍ପର୍କରେ ସେମାନେ କିଛି କହିନାହାନ୍ତି ।