ଭୁବନେଶ୍ୱର: ୨୦୧୪ ମସିହାରେ ବ୍ରଜରାଜନଗରରୁ ରାଧାରାଣୀ ପଣ୍ଡା ୫୦,୭୩୬ ଭୋଟ ପାଇ ଜିତିଥିଲେ । ବିଜେଡ଼ିର ଅନୁପ ସାଏଙ୍କ ଠାରୁ ତାଙ୍କର ଭୋଟ ବ୍ୟବଧାନ ଥିଲା ପ୍ରାୟ ୭ ହଜାର । ଏଥର ରାଧାରାଣୀ ୬୮,୫୧୮ ଖଣ୍ଡ ଭୋଟ ପାଇଥିଲେ ବି ବିଜେଡ଼ି ପ୍ରାର୍ଥୀ କିଶୋର ମହାନ୍ତିଙ୍କଠାରୁ ୧୧ ହଜାର ଭୋଟ ବ୍ୟବଧାନରେ ହାରିଛନ୍ତି । ତେବେ ରାଧାରାଣୀ ପାଇଥିବା ଭୋଟଠାରୁ ତାଙ୍କ ଦଳର ସାଂସଦ ପ୍ରାର୍ଥୀ ସୁରେଶ ପୂଜାରୀ ୨୨ ହଜାର ଅଧିକ ଭୋଟ ପାଇଛନ୍ତି । ଏମିତି କାହିଁକି ହେଲା? କିଭଳି ହେଲା?
ଏହି ପ୍ରଶ୍ନ ରାଧାରାଣୀ ପଣ୍ଡା ପଚାରିଛନ୍ତି । ଆଉ ପ୍ରଶ୍ନର ଉତ୍ତର ବି ନିଜେ ରଖିଛନ୍ତି । ଦଳ ଭିତରେ ଅନ୍ତର୍ଘାତୀ କାର୍ଯ୍ୟର ଶିକାର ହୋଇଥିବା ସିଧା ସିଧା କହିଛନ୍ତି । ସେତିକିରେ କଥା ନ ସରେଇ ତାକୁ ଭଲ କରି ବ୍ୟାଖ୍ୟା କରିଛନ୍ତି । କହିଛନ୍ତି, ବିଜେଡ଼ି- ବିଜେପି ନେତାଙ୍କ ମଧ୍ୟରେ ଅଘୋଷିତ ମେଣ୍ଟ ହୋଇଥିଲା । ବିଧାନସଭା ପାଇଁ ଶଙ୍ଖ ଏବଂ ଲୋକସଭା ପାଇଁ ପଦ୍ମରେ ଭୋଟ କରିବାକୁ ଚକ୍ରବ୍ୟୁହ ହୋଇଥିଲା । ତେବେ ଅଘୋଷିତ ମେଣ୍ଟ କରିଥିବା ତାଙ୍କ ଦଳର ନେତା କିଏ ତାହାକୁ ଉହ୍ୟ ରଖିଛନ୍ତି ବିଜେପିର ଏହି ଫାୟାର ବ୍ରାଣ୍ଡ ନେତ୍ରୀ ।
ଭୋଟ ଫଳ ଆସିବାର ୧୫ ଦିନ ପରେ ବିଜେପି ନେତୃତ୍ୱ ଆଜି ପରାଜୟର ସମୀକ୍ଷା କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କୋର୍ କମିଟି ସଦସ୍ୟମାନେ ପ୍ରଥମେ ରୁଦ୍ଧଦ୍ୱାର ବୈଠକ କରିବା ପରେ ଜିଲ୍ଲାୱାରୀ ପରାଜିତ ନେତା, ଦଳୀୟ ପଦାଧିକାରୀଙ୍କୁ ଭେଟି ପରାଜୟର କାରଣ ଖୋଜିଥିଲେ । ତିନୋଟି ପର୍ଯ୍ୟାୟରେ ୬ ଘଣ୍ଟା ଧରି ଚାଲିଥିଲା ସମୀକ୍ଷା । ବୈଠକରେ ନିଜର କ୍ଷୋଭ ଉଦଗୀରଣ କରିଥିଲେ ରାଧାରାଣୀ । ମୁଖିଆମାନଙ୍କ ଆଗରେ କ୍ଷୋଭ ଓଗାଳିଥିଲେ । ଦଳରେ ଅର୍ନ୍ତଘାତୀ କାର୍ଯ୍ୟକୁ ପରାଜୟର ପ୍ରମୁଖ କାରଣ ଦର୍ଶାଇଥିବା ବେଳେ ବିଜେଡ଼ି ଟଙ୍କା ଦେଇ ଭୋଟ କିଣିଥିବା ଏବଂ ଶାସନକଳର ଅପବ୍ୟବହାର କରିଥିବା ପ୍ରସଙ୍ଗକୁ ସାନ୍ତ୍ୱନାମୂଳକ ଅଭିଯୋଗ ଭାବେ ଉପସ୍ଥାପିତ କରିଥିଲେ ।
ପଦ୍ମପୁରରୁ ହାରିଥିବା ପ୍ରଦୀପ ପୁରୋହିତ ତାଙ୍କ ପରାଜୟ ପାଇଁ ଆଉ ଏକ କାରଣ ଯୋଡିଥିଲେ । କହିଥିଲେ, କଂଗ୍ରେସ ଭୋଟ ବିଜେଡ଼ି ଖାତାକୁ ଚାଲିଗଲା । ରବି ନାଏକ(କୁଚିଣ୍ଡା), ସୁରମା ପାଢ଼ୀ(ରଣପୁର), ବିଶ୍ୱରଂଜନ ମଲ୍ଲିକ(ବରୀ), ଅମର ନାୟକ(ବଡ଼ଚଣା)ଙ୍କ ଭଳି ପରାଜିତ ନେତାମାନେ ମଧ୍ୟ ଦଳୀୟ ଅନ୍ତର୍ଘାତୀକୁ ପରାଜୟର ପ୍ରମୁଖ କାରଣ ବୋଲି ଅଙ୍କ ରଖିଥିଲେ ।
ବିଜେପି ଲୋକସଭାରେ ୮ଟି ସିଟ୍ ହାସଲ କରିଥିବା ବେଳେ ୨୩ ଟି ସିଟ୍ ପାଇଛି । ବିଜେପି ନେତାମାନଙ୍କ କହିବା କଥା, ଲୋକସଭା ଆସନ ଦୃଷ୍ଟିରୁ ବିଧାନସଭାରେ ଆମେ ୫୬ ଟି ସିଟ୍ ପାଇବା କଥା । ମାତ୍ର ପାଇଲୁ ନାହିଁ । ଅର୍ଥାତ୍ ଏମପି ପାଇଁ ପଦ୍ମ ଚିହ୍ନରେ ଭୋଟ ଦେଇଥିବା ଅଧିକାଂଶ ଭୋଟର ଏମଏଲଏ ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେଇଛନ୍ତି । ତେବେ ଓଡ଼ିଶାରେ ନବୀନ ହାୱା ଏବଂ କେନ୍ଦ୍ରରେ ମୋଦି ହାୱା ପାଇଁ ଏଭଳି ଭୋଟ ବିଭାଜନ ହୋଇଥିବା ନିରୋଳା ସତକୁ ବିଜେପିର ପରାଜିତ ପ୍ରାର୍ଥୀମାନେ ହଜମ କରିପାରୁନାହାନ୍ତି । ଅଧିକାଂଶ ପରାଜିତ ପ୍ରାର୍ଥୀ ବିଜେଡ଼ି ତାକତ୍ ଠାରୁ ଦଳୀୟ ଅର୍ନ୍ତଘାତୀକୁ ଅଧିକ ଦାୟୀ କରିଛନ୍ତି । ଘର ଢ଼ିଙ୍କି କୁମ୍ଭୀର ସାଜିଲେ ବୋଲି ସେମାନେ ସଙ୍ଗୀନ ଆରୋପ ଲଗାଇଛନ୍ତି । ସର୍ବୋପରି ନିର୍ବାଚନ ପରିଚାଳନାରେ ବ୍ୟାପକ ତ୍ରୁଟି ବିଚ୍ୟୁତି ହୋଇଥିବା ନେତାମାନେ ସ୍ୱୀକାର କରିଛନ୍ତି ।
ସୂଚନାଯୋଗ୍ୟ, ବିଜେପି ୨୩ ଟି ଆସନରେ ଜିତିଥିବା ବେଳେ ୮୧ ଟି ଆସନରେ ଦ୍ୱିତୀୟ ସ୍ଥାନରେ ରହିଛି । ୧୧ଟି ଆସନରେ ବିଜେପି ପ୍ରାର୍ଥୀମାନେ ୫ ହଜାରରୁ କମ୍ ଭୋଟରେ ହାରିଥିବା ବେଳେ ୧୩ ଟି ଆସନରେ ୫ ରୁ ୧୦ ହଜାର ଭୋଟ ବ୍ୟବଧାନରେ ହାରିଛନ୍ତି ।