ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରବଳ ମାମଲତିକାରକୁ ଆଉ ଗ୍ରହଣ କରିବା ଅବସ୍ଥାରେ ନାହାନ୍ତି ତୃଣମୂଳ ନେତା ଓ କର୍ମୀ । ଦଳରେ ପ୍ରକୃତ କର୍ମୀଙ୍କୁ କୋଣଠେସା କରାଯାଇ ଆମଦାନି ତଥା ବୋଲକରା ନେତାଙ୍କୁ ପ୍ରାଧାନ୍ୟ ଦିଆଯାଉଥିବାରୁ ରାଜ୍ୟର କୋଣ ଅନୁକୋଣରେ ଦଳ ଭିତରେ ଅସନ୍ତୋଷ ବଢ଼ିଚାଲିଛି । କିଛି ଦିନ ତଳେ ଯାଜପୁରରେ ଏହାର ଛବି ସାମନାକୁ ଆସିଥିବା ବେଳେ ଏବେ ସାମଗ୍ରିକ ବିଦ୍ରୋହ ରୂପ ଦଳୀୟ ହାଇକମାଣ୍ଡଙ୍କ ପାଖକୁ ଆସିଛି । ଆଜି ୨୫ଟି ମଣ୍ଡଳର ପୂର୍ବତନ ସଭାପତି ଭୁବନେଶ୍ୱରରେ ଦଳୀୟ ସହ ପ୍ରଭାରୀ ସୌଦାନ ସିଂଙ୍କୁ ଭେଟି ସେମାନଙ୍କ ଅସନ୍ତୋଷ ଲିଖିତ ଆକାରରେ ଜଣାଇଛନ୍ତି । ସମସ୍ୟାର ସମାଧାନ ନହେଲେ ଅନ୍ୟ କେନ୍ଦ୍ରୀୟ ନେତୃତ୍ୱଙ୍କ ଆଗରେ ଖୁବ୍ ଶୀଘ୍ର ଫେରାଦ ହେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
ଅଭିଯୋଗ ଅନୁଯାୟୀ, ରାଜ୍ୟ ବିଜେପିରେ ୪୧ଟି ମଣ୍ଡଳ ମଧ୍ୟରୁ ୨୯ ଟି ମଣ୍ଡଳର ସଭାପତିଙ୍କୁ ବିନା କାରଣରେ ହଟାଇ ଦିଆଯାଇଛି । ସେମାନଙ୍କ ଜାଗାରେ ବିଜେପିର ନୂଆ ଖାତା ଖତିଆନ ଧରିଥିବା ନେତାଙ୍କୁ ବସାଯାଇଛି । ମୂଳତଃ ସେମାନେ ବିଜେଡ଼ି କିମ୍ବା କଂଗ୍ରେସ ଲୋକ । ବିଜେପି ସେମାନଙ୍କୁ ଆମଦାନି କରିଆଣିଛି । ଏହି ବର୍ଗର ତୋଷାମଦକାରୀ ଓ ବୋଲକରା ନେତାଙ୍କୁ ମଣ୍ଡଳ ସଭାପତି ଆସନ ଦେଇ ପୁରସ୍କୃତ କରାଯାଇଛି । ଯେଉଁଥିରେ ବଳି ପଡ଼ିଛନ୍ତି ବିଜେପିରେ ବଢ଼ିଥିବା, ରକ୍ତ ଦେଇଆସୁଥିବା ନେତା ।
ବଳିପଡ଼ିଥିବା ୨୯ଟି ମଣ୍ଡଳ ସଭାପତିଙ୍କ ମଧ୍ୟରୁ ଆଜି ୨୫ଟି ମଣ୍ଡଳର ସଭାପତି ଭୁବନେଶ୍ୱରରେ ସୌଦାନ ସିଂଙ୍କୁ ଭେଟି ଲିଖିତ ଅସନ୍ତୋଷ ଜଣାଇଛନ୍ତି । କହିଛନ୍ତି, ମଣ୍ଡଳ ସଭାପତି ନିଯୁକ୍ତିରେ ପ୍ରବଳ ବେନିୟମ କାର୍ଯ୍ୟ ହୋଇଛି । ଦଳରେ ଅନ୍ୟୁନ ୩ ବର୍ଷ ସଦସ୍ୟ ଥିବା ବ୍ୟକ୍ତି ମଣ୍ଡଳ ସଭାପତି ହେବା କଥା । ମାତ୍ର ଏଠି ୩ ଦିନର ସଦସ୍ୟ ନ ଥିବା ଆମଦାନି ନେତାଙ୍କୁ ସଭାପତି କରାଯାଇଛି । ଏହାଦ୍ୱାରା ଆମଭଳି ଅରଜିନାଲ୍ ବିଜେପି ଲୋକ ଦାଣ୍ଡରେ ବୁଲୁଛନ୍ତି । ଆମକୁ ନ୍ୟାୟ ଦିଆଯାଉ । ନଚେତ୍ ଅବସ୍ଥା ଅସମ୍ଭାଳ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
ବିଜେପିର ବିତାଡ଼ିତ ମଣ୍ଡଳ ସଭାପତିମାନଙ୍କ ତୀର ଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଡକୁ । ନାଁ କୁ ରାଜ୍ୟ ସଭାପତି ଥିବା ବସନ୍ତ ପଣ୍ଡା କେନ୍ଦ୍ରମନ୍ତ୍ରୀଙ୍କ ଇସାରାରେ ସବୁ ନିଷ୍ପତ୍ତି ନେଉଛନ୍ତି । ସେଥିରେ ସଚ୍ଚା ଓ ସ୍ୱାଭିମାନୀ ବିଜେପି ଲୋକଙ୍କୁ ବଳି ପକାଯାଉଛି ବୋଲି କିଛି ବିତାଡ଼ିତ ମଣ୍ଡଳ ସଭାପତି ସଫା ସଫା ଜଣାଇ ଦେଇଥିଲେ । ଆଗାମୀ ଦିନରେ ଦଳ ପାଇଁ ଏହା ବେଶ୍ ମହଙ୍ଗା ପଡ଼ିବ ବୋଲି ସେମାନେ ସତର୍କ କରାଇଥିଲେ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମନମାନି ଯୋଗୁଁ ବିଜେପିର ବରିଷ୍ଠ ନେତାଙ୍କ ମଧ୍ୟରେ ଅସନ୍ତୋଷ ଛାଇ ହୋଇ ରହିଥିବା ବେଳେ ତୃଣମୂଳସ୍ତରରେ ଉପେକ୍ଷିତ ନେତାମାନେ ବିଦ୍ରୋହର ରାସ୍ତା ଧରିଲେଣି । କିଛିଦିନ ତଳେ ଯାଜପୁରରେ ଗୌତମ ରାୟଙ୍କ ନେତୃତ୍ୱକୁ ଏକ ସମାନ୍ତରାଳ ସଭା ମାଧ୍ୟମରେ ଖୋଲା ଚାଂଲେଜ ଆସିଥିଲା ବେଳେ ସବୁ ଜିଲ୍ଲାରେ ବିଜେପି ସଂଗଠନକୁ ଏହି ବ୍ୟାପିଲାଣି । ହାଇକମାଣ୍ଡ ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ସାଧାରଣ ନିର୍ବାଚନବେଳକୁ ଦଳରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହେବ ବୋଲି ଖୋଦ୍ ବିଜେପି ମହଲରେ ଆଲୋଚନା ହେଉଛି ।