– ୪୦ ଲକ୍ଷ ଆସୁଥିଲା ଛତିଶଗଡ଼ରୁ
– ପଦ୍ମପୁର ଏସଡ଼ିପିଓଙ୍କ ଉପରେ ତାତିଲେ ବିଜେପି ନେତା
– ବିଜେଡ଼ି ଉପରକୁ ଦୋଷ ଠେଲିଲେ
ବରଗଡ଼: ଗତକାଲି ସଂଧ୍ୟାରେ ପଦ୍ମପୁର ଥାନା ମହୁଲପାଲି ଚେକପୋଷ୍ଟଠାରେ ଏକ ଜାଇଲୋ ଗାଡ଼ିରୁ ପୁଲିସ ଜବତ କରିଥିବା ୪୦ ଲକ୍ଷ ଟଙ୍କାର ଗୁମର ସ୍ପଷ୍ଟ ହୋଇଛି । ଏହି ଟଙ୍କା ଛତିଶଗଡ଼ରୁ ଆସିଥିବା ପୁଲିସରୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଟଙ୍କା ନେଉଥିବା ସୁନା ବେପାରୀ ଆକାଶ ଅଗ୍ରୱାଲ୍ ବଜରଙ୍ଗ ଦଳର ଜଣେ ସକ୍ରିୟ କର୍ମକର୍ତ୍ତା ବୋଲି ଜାଣିବାକୁ ପାଇଛି । ଖାଲି ସେତିକି ନୁହେଁ ଆକାଶଙ୍କ ବାପା ଓମପ୍ରକାଶ ଅଗ୍ରୱାଲ୍ ବିଶ୍ୱ ହିନ୍ଦୁ ପରିଷଦର ଜଣେ କର୍ମକର୍ତ୍ତା ବୋଲି ଜଣାପଡ଼ିଛି । ବିଜେପୁରରେ ବିଜେପିର ନିର୍ବାଚନୀ ଖର୍ଚ୍ଚ ପାଇଁ ଆକାଶ ଏହି ଟଙ୍କା ଛତିଶଗଡ଼ରୁ ଆଣିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି ।
ପୁଲିସ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ପଦ୍ମପୁରସ୍ଥିତ ମିନାକ୍ଷୀ ଜ୍ୱେଲାରୀ ଦୋକାନ ମାଲିକ ଆକାଶ ଅଗ୍ରୱାଲ୍ ବଜରଙ୍ଗ ଦଳର ଜଣେ ସକ୍ରିୟ କର୍ମୀ । ଗତବର୍ଷ ମ୍ଲେଚ୍ଛାମୁଣ୍ଡା ଅଞ୍ଚଳରେ ବଜରଙ୍ଗ ଦଳର ଏକ ରାସ୍ତାରୋକ ଆନ୍ଦୋଳନର ସେ ନେତୃତ୍ୱ ନେଇଥିଲେ । ଏ ନେଇ ମ୍ଲେଚ୍ଛାମୁଣ୍ଡା ଥାନା କେସ୍ ନଂ ୨୩/୨୦.୨୦.୧୭ ଏବଂ ଆଇପିସି ଧାରା ୧୪୭, ୩୪୧, ୨୯୪, ୨୮୩, ୫୦୬, ୧୪୯ ଏବଂ ୭ କ୍ରିମିନାଲ୍ ଆକ୍ଟରେ ମାମଲା ରୁଜୁ ହୋଇଥିଲା । ସେହିଭଳି ତାଙ୍କ ବାପା ଓମପ୍ରକାଶ ବିଶ୍ୱହିନ୍ଦୁ ପରିଷଦର ଟାଣୁଆ ନେତା । ୨୦୦୮ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ପରିପ୍ରେକ୍ଷୀରେ ପଦ୍ମପୁରରେ ଏକ ଚର୍ଚ୍ଚ ପୋଡ଼ି ମାମଲାରେ ସେ ଗିରଫ ହୋଇଥିଲେ । ତାଙ୍କ ବିରୋଧରେ ପଦ୍ମପୁର ଥାନା କେସ୍ ନଂ ୮୦/୨୦୦୮ ଏବଂ ଆଇପିସି ଧାରା ୧୪୭, ୧୪୮, ୧୪୯, ୪୩୫, ୪୩୬, ୪୨୭, ୪୫୨, ୩୩୭, ୩୩୨, ୩୫୩, ୧୫୩(ଏ), ୧୨୦(ବି) ଏବଂ ୭ କ୍ରିମିନାଲ୍ ଆକ୍ଟରେ ମାମଲା ରୁଜୁ ହୋଇଥିଲା । ଏହି ପୃଷ୍ଠଭୂମିରେ ଅଗ୍ରୱାଲ୍ ପରିବାରର ବିଜେପି ସହ ଯେ ନିବିଡ଼ ସମ୍ପର୍କ ଖାଲି ସ୍ପଷ୍ଟ ହୋଇନାହିଁ ଆକାଶ ମଧ୍ୟ ପୁଲିସ ନିକଟରେ ଏହାକୁ ସ୍ୱୀକାର କରିଛନ୍ତି ।
ଆକାଶ ମାନିଛନ୍ତି ଯେ ଗତ ୧୬ ତାରିଖରେ ସେ ଛତିଶଗଡ଼ ଯାଇ ଏହି ଟଙ୍କା ଆଣିଛନ୍ତି । ବିଜେପୁରରେ ବିଜେପି ଭୋଟ ପାଇଁ ଟଙ୍କା ବାଣ୍ଟିବାକୁ ଏହା ଅଣାଯାଇଥିଲା ବୋଲି ସେ ଜେରା ବେଳେ କହିଛନ୍ତି । ତେବେ ଛତିଶଗଡ଼ର କାହାଠାରୁ ଏହି ଟଙ୍କା ଆଣିଛନ୍ତି ତାହା ସେ ପ୍ରକାଶ କରିନାହାନ୍ତି । ଉଲ୍ଲେଖଯୋଗ୍ୟ, ବିଜେପୁରକୁ ବିଜେପି ପାଇଁ ହାୱାଲା ଟଙ୍କା ଆସିବାର ମାଧ୍ୟମ ଭାବେ ସୁନା ବେପାରୀ, ପେଟ୍ରୋଲ୍ ପମ୍ପ ମାଲିକ ଏବଂ ଗ୍ୟାସ୍ ଏଜେନ୍ସୀ ମାଲିକମାନେ କାର୍ଯ୍ୟ କରୁଥିବା ଗୁଇନ୍ଦା ପୁଲିସ ପାଖରେ ଖବର ଅଛି । ବିଜେପୁର ଉପନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ପାଖରେ ମଧ୍ୟ ଏହି ସୂଚନା ରହିଛି । ଆକାଶଙ୍କଠାରୁ ୪୦ ଲକ୍ଷ ଜବତ ପରେ ଏହାର ପ୍ରମାଣ ଲାଗିଛି ପୁଲିସ ହାତରେ ।
ସୂଚନା ଥାଉ କି ଗତକାଲି ରାତି ସାଢ଼େ ସାତଟାରେ ମହୁଲପାଲି ଚେକପୋଷ୍ଟରେ ପଦ୍ମପୁରରୁ ମ୍ଲେଚ୍ଛାମୁଣ୍ଡା ଆଡକୁ ଆସୁଥିବା ଏକ ମହିନ୍ଦ୍ରା ଜାଇଲୋ(ଓଡ଼ି ୧୭ଜି ୧୮୫୫) ଗାଡ଼ିଟିକୁ ସନ୍ଦେହଜନକ ଅବସ୍ଥାରେ ପୁଲିସ ଅଟକାଇଥିଲା । ମହୁଲପାଲିର ଗୋବର୍ଦ୍ଧନ ରଣା ଗାଡ଼ିଟିକୁ ଚଳାଉଥିବା ବେଳେ ପାଖ ସାମନା ସିଟ୍ ରେ ଆକାଶ ବସିଥିଲେ । ତନଖି ବେଳେ ଗାଡ଼ି ଭିତରେ ଏକ ଏୟାରବ୍ୟାଗରୁ ୫୦୦ ଓ ୨୦୦୦ ଟଙ୍କିଆ ବଣ୍ଡଲ୍ ସର୍ବମୋଟ ୪୦ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଥିଲା ।
ବିଜେପୁର ଉପନିର୍ବାଚନ ଖର୍ଚ୍ଚ ପାଇଁ ବିଜେପିର ଟଙ୍କା ଧରାପଡ଼ିବା ପରେ ନେତାମାନେ ରକ୍ତଚାଉଳ ଚୋବାଇଛନ୍ତି । ଭୁବନେଶ୍ୱରରେ ବିଜେପି ନେତାମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପଦ୍ମପୁର ଏସଡ଼ିପିଓଙ୍କୁ ବହିଷ୍କାର ପାଇଁ ଦାବି କରିଛନ୍ତି । ପଦ୍ମପୁର ଏନଏସି କର୍ମଚାରୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ ମଧ୍ୟ ସେମାନେ ପଛାଇନାହାନ୍ତି । ୪୦ ଲକ୍ଷ ଟଙ୍କା ଜବତ ପଛରେ ଓଲଟି ବିଜେଡ଼ି ନେତାଙ୍କ ସଂପୃକ୍ତି ଦାବି କରି ସେମାନଙ୍କୁ ଗିରଫ ଦାବି କରିଛନ୍ତି । ଅନ୍ୟପକ୍ଷରେ ବିଜେପିର ଏଭଳି ଅଭିଯୋଗକୁ ଚୋର ମଚାଏ ସୋର୍ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।