ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଯୋଜନାକୁ କିଛି ନ୍ୟସ୍ତସ୍ୱାର୍ଥ ସରକାରୀ ଅଧିକାରୀ ମୋଡ଼ି ମକଚିବା ଆରମ୍ଭ କରିଛନ୍ତି । ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନକୁ ଆଖିରେ ରଖି ସରକାରୀ ଅନୁଗ୍ରହ ଢ଼ାଳିଛନ୍ତି । ଓଡ଼ିଆ ଭାଷାର ନିଉଜ୍ ୱେବ୍ ପୋର୍ଟାଲ୍ କୁ ପ୍ରୋତ୍ସାହିତ କରିବା ବଦଳରେ ନିର୍ଦ୍ଦିଷ୍ଟ ଇଂରାଜୀ ପୋର୍ଟାଲ୍ କୁ ଆଦରିଛନ୍ତି । ନିର୍ଦ୍ଦିଷ୍ଟ ଟିଭି ହାଉସ୍ ର ଦୁଇ ଦୁଇଟି ଶାଖାକୁ ପ୍ରୋତ୍ସାହନର ହାତ ବଢ଼ାଇଛନ୍ତି । ଏଭଳି ଭାବେ ଦୁଇଟି ମିଡ଼ିଆ ହାଉସ୍(ତିନିଟି ୱେବ୍ ସଂସ୍ଥା) ସରକାରୀ ବିଜ୍ଞାପନ ପାଇବାକୁ ଯାଉଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ତିନିଟି ସଂସ୍ଥାକୁ ଯୋଗ୍ୟ ଘୋଷଣା କରାଯାଇ ଅବଶିଷ୍ଟ ୨୦ ଆବେଦନକାରୀଙ୍କୁ ନିରାଶ କରାଯାଇଛି । ନିଜସ୍ୱ ଓଡ଼ିଆ ୱେବ୍ ପୋର୍ଟାଲ୍ ଆରମ୍ଭ କରିଥିବା ସାମ୍ବାଦିକଙ୍କ ମଧ୍ୟରେ ଏ ନେଇ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ନିର୍ଦ୍ଦିଷ୍ଟ ମିଡ଼ିଆ ହାଉସ୍ କୁ ଆଖିରେ ରଖି ସୂଚନା ଓ ଲୋକସମ୍ପର୍କ ୱେବ୍ ପୋର୍ଟାଲ୍ କୁ ସରକାରୀ ବିଜ୍ଞାପନ ପାଇଁ ଆବେଦନ ଆହ୍ୱାନ କରିଥିବା ମୂଳରୁ ଚର୍ଚ୍ଚା ହୋଇଥିଲା । ଏବେ ତାହା ସତ ପ୍ରମାଣିତ ହେଉଛି ।
ୱେବ୍ ପୋର୍ଟାଲ୍ ପାଇଁ ନୂଆ ନିୟମ ଆସିବା ପରେ ଗତ ଡିସେମ୍ବର ୫ରେ ସୂଚନା ଓ ଲୋକସମ୍ପର୍କ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିଲା । ବିଜ୍ଞାପନ ପାଇଁ ହିତାଧୀକାରୀଙ୍କଠାରୁ ଆବେଦନ ଆହ୍ୱାନ କରାଯାଇଥିଲା । ତେବେ ନିର୍ଦ୍ଧାରିତ ଯୋଗ୍ୟତାର ମାପକାଠିକୁ ନେଇ ଅନେକଙ୍କ ମନରେ ସନ୍ଦେହ ଓ ଦ୍ୱନ୍ଦ ସୃଷ୍ଟି କରିଥିଲା । ମୁଖ୍ୟ ମାପକାଠି ଭାବେ ୱେବ୍ ପୋର୍ଟାଲର ୟୁନିକ୍ ଭିଜିଟର ଗୁଗୁଲି ଆନାଲିଟିକ୍ସ ଟୁଲ୍ସରେ ମାସକୁ ସର୍ବନିମ୍ନ ୧୦ ହଜାର ସ୍ଥିର ହୋଇଥିଲା । ପୁଣି ଆଶ୍ଚର୍ଯ୍ୟର କଥା, ଠିକାଦାରୀ ସଂସ୍ଥା ଭଳି ସମସ୍ତଙ୍କଠାରୁ ରେଜିଷ୍ଟ୍ରି ପୋଷ୍ଟ ଯୋଗେ ବନ୍ଦ ଲଫାପାରେ ଡିସେମ୍ବର ୨୬ ଶେଷ ତାରିଖ ରଖାଯାଇ ଟେକନିକାଲ୍ ଓ ଫାଇନାନସିଆଲ୍ ବିଡ୍ ଆହ୍ୱାନ କରାଯାଇଥିଲା ।
୧୯ ଟି ସଂସ୍ଥା ଆବେଦନ କରିଥିଲେ ଏବଂ ୨୭ ତାରିଖରେ ସମସ୍ତଙ୍କ ଉପସ୍ଥିତିରେ ବିଡ୍ ଖୋଲିବା ପାଇଁ ସମୟଧାର୍ଯ୍ୟ କରାଯାଇଥିଲା ।
ସେଦିନ ବିଭାଗୀୟ ଅଫିସରଙ୍କ ସହ ନିଜେ ସଚିବ ଓ ନିର୍ଦ୍ଦେଶକ ଏହି ବନ୍ଦ ଲଫାପା ଖୋଲିବାକୁ ପ୍ରସ୍ତୁତି କରୁଥିଲା ବେଳେ ତିନିଟି ସଂସ୍ଥାର ଆବେଦନ ଲଫାପା ଆଗରୁ ଖୋଲା ହୋଇସାରିଥିବା ଦେଖିବାକୁ ମିଳିଲା । ରେଜିଷ୍ଟ୍ରି ପୋଷ୍ଟ ଯୋଗେ ଆସିଥିବା ଏହି ଲଫାପା କେମିତି ଖୋଲିଲା ତାହାର ଉତ୍ତର କାହା ପାଖରେ ନ ଥିଲା । ସଚିବ ତରବରିଆ ଭାବେ ସବୁ ଆବେଦନପତ୍ରକୁ ବାତିଲ କରି ଫ୍ରେସ୍ ଆବେଦନ ଆହ୍ୱାନ କରିଥିଲେ । ସେଥିପାଇଁ ଶେଷ ତାରିଖ ଜାନୁଆରୀ ୧୦କୁ ଧାର୍ଯ୍ୟ କରିଥିଲେ । ମାତ୍ର ୧୨ ତାରିଖରେ ସାନି ବିଜ୍ଞାପନ ବାହାରିଥିଲା । ସେଥିରେ ପ୍ରଥମ ମାନଦଣ୍ଡକୁ ଆହୁରି କଡ଼ା କରିଦିଆଗଲା । ଆବେଦନ ଗ୍ରହଣର ଶେଷ ତାରିଖ ଜାନୁଆରୀ ୨୭କୁ ଧାର୍ଯ୍ୟ କରାଗଲା । ସେଦିନ ଅପରାହ୍ନରେ ସମସ୍ତଙ୍କ ଉପସ୍ଥିତିରେ ଆବେଦନପତ୍ରଗୁଡ଼ିକ ଯାଞ୍ଚ କରାଗଲା ।
ପରବର୍ତ୍ତୀ ସମୟରେ ଫେବୃଆରୀ ୧୬ ତାରିଖ ଫାଇନାନସିଆଲ୍ ବିଡ୍ ଓପନ୍ ପାଇଁ ସମୟଧାର୍ଯ୍ୟ ହେଲା । ସେହି ଅନୁଯାୟୀ ଗତକାଲି ବିଡ୍ ଓପନ୍ କରାଯାଇ ୪ ଟି ଆବେଦନକୁ ସମ୍ପୂର୍ଣ୍ଣ ନାକଚ କରିଦିଆଗଲା । ସଂସ୍ଥାର କାଗଜପତ୍ର କିଛି ନାହିଁ ବୋଲି କୁହାଗଲା । ୧୬ ଟି ଆବେଦନକୁ ବି ବିଭିନ୍ନ କାରଣ ଦର୍ଶାଯାଇ ପ୍ରକ୍ରିୟାରୁ ବାଦ୍ ଦିଆଗଲା । ସେମାନେ କୁଆଡ଼େ ସରକାରୀ ମାନଦଣ୍ଡକୁ ପୂରଣ କରିପାରୁନାହାନ୍ତି ବୋଲି କୁହାଗଲା । କେବଳ ଓମ୍ କମ୍ ନିଉଜ୍, ଓଟିଭି ପୋର୍ଟାଲ୍ ଏବଂ ଓଡ଼ିଶା ରିପୋର୍ଟରକୁ ଯୋଗ୍ୟ ଭାବେ ଗ୍ରହଣ କରାଗଲା । ତାହାପୁଣି ସର୍ବୋଚ୍ଚ ବର୍ଗ ଅର୍ଥାତ୍ ‘ଏ’ କାଟାଗୋରିରେ । ରାଜ୍ୟ ସରକାରଙ୍କଠାରୁ ଅନୁମୋଦନ ମିଳିଲା ପରେ ସରକାରୀ ବିଜ୍ଞାପନ ପାଇଁ ଏମାନଙ୍କଠାରେ ମୋହର ଲାଗିବ ।
ପ୍ରଶ୍ନ ଉଠୁଛି,
(୧) ୱେବ୍ ପୋର୍ଟାଲ୍ ର ୟୁନିକ୍ ଭିଜିଟର୍ ପ୍ରଥମେ ସର୍ବନିମ୍ନ ୧୦ ହଜାର ସ୍ଥିର ହୋଇଥିଲା । ପରେ ତାହା ୧୫ ହଜାର ବଢ଼ିଗଲା କାହିଁକି ? କାହା ସ୍ୱାର୍ଥରେ ?
(୨) ଇଂରାଜୀ ଓ ଓଡ଼ିଆ ପୋର୍ଟାଲ୍ ପାଇଁ ସମାନ ମାନଦଣ୍ଡ ରଖିବା ପଛରେ କାହାର ସ୍ୱାର୍ଥ ନିହିତ ? ଓଡ଼ିଆ ପୋର୍ଟାଲ୍ କୁ ପ୍ରୋତ୍ସାହନ ଦେବାକୁ କହୁଥିବା ରାଜ୍ୟ ସରକାର ଇଂରାଜୀ ଭାଷାର ୱେବ୍ ପୋର୍ଟାଲ୍ ସହ ସେମାନଙ୍କୁ ସମାନ କରୁଛନ୍ତି କାହିଁକି ? ଇଂରାଜୀ ଭାଷାର ୱେବ୍ ପୋର୍ଟାଲ୍ କୁ ଜାତୀୟସ୍ତରର ଯୋଗ୍ୟତା ମାପକାଠିରେ ଚୟନ କରିବା ଉଚିତ୍ ନୁହେଁ କି ?
(୩) ୱେବ୍ ପୋର୍ଟାଲ୍ ପାଇଁ ଅଫିସ, କର୍ମଚାରୀ ଆଦି ଆନୁସଙ୍ଗିକ ବ୍ୟବସ୍ଥାର କଠୋର ମାନଦଣ୍ଡ ରଖାଯାଇଛି । ବିନା ସରକାରୀ ଅନୁଗ୍ରହରେ ଏବଂ ନିଜସ୍ୱ ଖର୍ଚ୍ଚ ଓ ଉଦ୍ୟମରେ ୱେବ୍ ସାଇଟ୍ କରିଥିବା ସାମ୍ବାଦିକଟିଏ ଛଅ ଛଅ ଜଣ ସାମ୍ବାଦିକଙ୍କୁ ନିଯୁକ୍ତି ଦେଇ ତାଙ୍କୁ ଦରମା ଦେବ କେଉଁଠୁ ? ସରକାର ଏହାର ବିଚାର କରିବା କଥା ନୁହେଁ କି ? ନିର୍ଦ୍ଦିଷ୍ଟ ସଂସ୍ଥାକୁ ଆଖିରେ ରଖି କିଛି ଅଫିସର ଏଭଳି ଚାଲବାଜି ଖେଳିନାହାନ୍ତି ତ ? ଖବରକାଗଜ ଓ ଟେଲିଭିଜିନ୍ କୁ ତାଲିକାଭୁକ୍ତ କଲାବେଳେ ଯଦି ଏଭଳି ବ୍ୟବସ୍ଥା ନାହିଁ ଛୋଟ ଛୋଟ ୱେବ୍ ପୋର୍ଟାଲ୍ ପାଇଁ ଏହା ଲାଗୁ ହେଉଛି କାହିଁକି ?
(୪) ଗୋଟେ ନିଉଜ୍ ପୋର୍ଟାଲ୍ କୁ କେତେଲୋକ ଦେଖୁଛନ୍ତି ତାହା ଗୁଗୁଲ୍ ଆନାଲିଟିକ୍ସ ଟୁଲ୍ସରୁ ସଠିକ୍ ଜଣାପଡ଼ିବ ବୋଲି ସରକାର ଗ୍ୟାରେଣ୍ଟି ଦେବେ କି ? ଗୁଗୁଲ୍ ରାଂଙ୍କିରେ ଅନିୟମିତା ହେଉଥିବା ଅଭିଯୋଗରେ ନିକଟରେ ଗୁଗୁଲ୍ ୧୩୬ କୋଟି ଟଙ୍କାର ଜରିମାନା ଖାଇବା ସରକାରଙ୍କୁ ଜଣା ଅଛି ତ ? ସୁତରାଂ କେଉଁ ଉଦେ୍ଦଶ୍ୟ ଓ କାହା ପ୍ରରୋଚନାରେ ସରକାର ଏହି ନୀତି ଧରିଛନ୍ତି ?
(୫) ସୋସିଆଲ୍ ମିଡ଼ିଆର ବହୁଳ ପ୍ରଚଳନ ପରେ ଓଡ଼ିଶାରେ ଯେଉଁ କେତୋଟି ନିଉଜ୍ ୱେବ୍ ପୋର୍ଟାଲ୍ ସମସ୍ତଙ୍କ ଦୃଷ୍ଟିକୁ ଆସୁଛି କିମ୍ବା ଲୋକ ପଡୁଛନ୍ତି ତାହା ସମସ୍ତେ ଜାଣନ୍ତି । ଓଡ଼ିଶା ଓ ଓଡ଼ିଶା ବାହାର ଖବରକୁ ସେମାନେ ନିରବଚ୍ଛିନ୍ନ ଭାବେ ପ୍ରକାଶ କରୁଛନ୍ତି । ଲୋକଙ୍କ ଦ୍ୱାରା କିଭଳି ଆଦୃତ ଏବଂ କେତେଲୋକ ତାକୁ ପଢ଼ୁଛନ୍ତି ସରକାର ମାପଦଣ୍ଡ ସ୍ଥିର କରିବାରେ ମନା ନାହିଁ । ଛୋଟ ଛୋଟ ମିଡ଼ିଆ ଉଦ୍ୟୋଗୀଙ୍କ ସ୍ୱାର୍ଥ ଓ ଓଡ଼ିଆ ୱେବ୍ ପୋର୍ଟାଲ୍ ର ଭବିଷ୍ୟତକୁ ଆଖିରେ ରଖି ସରକାର ତାହା ବିଚାର କରିବେ କି ?
(୬) ବିନା ଖାତା ଖତିଆନାରେ ୱେବ୍ ପୋର୍ଟାଲ୍ ଖଣ୍ଡେ ଖୋଲିଦେଇ ସରକାରୀ ବିଜ୍ଞାପନ ଦାବି କରିବା ସପକ୍ଷରେ ବି ଆମେ ନାହୁଁ । ସରକାର ତାହାର ପ୍ରକୃତ ଯାଞ୍ଚ କରି ସ୍ୱୀକୃତି ଦେଲେ କାହାର ଅଭିଯୋଗ ରହିବ ନାହିଁ । ସରକାର ଏଥିପାଇଁ ଏକ ସରଳ ନୀତି ବାହାର କରିବାରେ ଅସୁବିଧା କେଉଁଠି ?
ଠିକ୍ କଥା। ସରକାର ନିଜ ଉଦ୍ୟମରେ ଆରମ୍ଭ କରିଥିବା webportal ର ସାମ୍ବାଦିକ/ଉଦ୍ୟୋଗିଙ୍କ ପ୍ରତି କୋହଳ ମନୋଭାବ ପ୍ରକାଶ କରି ମୁକ୍ତ ବୢତି ସାମ୍ବାଦିକଙ୍କୁ ସହଯୋଗ କରନ୍ତୁ।