ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଣ୍ଡା ମାରିଥିଲେ ହୁଏତ ବିଜେଡ଼ିକୁ ଏମିତି ବଦନାମ ସହିବାକୁ ପଡ଼ି ନ ଥାଆନ୍ତା । ମାତ୍ର ଜୁଏଲ୍ ଓରାମଙ୍କୁ ଅଣ୍ଡା ମାଡ଼ ଘଟଣା ବିଜେଡ଼ିକୁ ନିନ୍ଦିତ କରିଛି । କାରଣ ଏଥିପାଇଁ କି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଜଣେ ଆଦିବାସୀ ନେତା । ବିଜେପିରେ ସରଳ, ଅମାୟିକ ଚେହେରା । ଜନସାଧାରଣଙ୍କ ସାମନାରେ ଜଣେ ସ୍ପଷ୍ଟବାଦୀ ଓ ଦରଦୀ ନେତା ଭାବରେ ତାଙ୍କର ପରିଚିତି ରହିଛି । ତେଣୁ ଆଳିରେ ତଥାକଥିତ ବିଜେଡ଼ି କର୍ମୀମାନେ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିବା ଦଳ ପାଇଁ ବୁମେରାଂ ହୋଇଯାଇଛି ।
ଅଣ୍ଡାମାଡ଼ ଖାଇଥିବା ଜୁଏଲ୍ ବ୍ୟକ୍ତିଗତ ଭାବେ ଲୋକଙ୍କଠାରୁ ସମବେଦନା ପାଇଥିଲା ବେଳେ ଏହା ସାମଗ୍ରିକ ଭାବେ ବିଜେପିକୁ ଲାଭବାନ କରିଛି । ପୂର୍ବରୁ ବରଗଡ଼ରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ବିଜେଡ଼ି କର୍ମୀମାନଙ୍କ ଆକ୍ରମଣରେ ଦଳ ଯେତିକି ବଦନାମ ପାଇ ନ ଥିଲା ଏଥର ଜୁଏଲ୍ ଙ୍କୁ ଅଣ୍ଡାମାରି କାହିଁ କେତେଗୁଣା ବଦନାମ ପାଇଛି । ଏ ମର୍ମରେ ଜୁଏଲ୍ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡିବା ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେବା ବିଜେଡ଼ିକୁ ଅଣନିଶ୍ୱାସୀ କରିଛି ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବିଜେଡ଼ି ଏହା ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିପାରିନି । ମାନେ ଅଣ୍ଡାମାଡ଼ ଘଟଣାକୁ ସମର୍ଥନ କରିପାରୁନି କି ନିନ୍ଦା କରିପାରୁନି । ବିଜେଡ଼ି ଅଣ୍ଡାମାଡ଼ରେ ବିଶ୍ୱାସ କରେନାହିଁ ବୋଲି ଦଳର ମୁଖପାତ୍ର ଓ ବରିଷ୍ଠ ମନ୍ତ୍ରୀମାନେ ଗାଲୁ ପେଲିଛନ୍ତି । ଆଳିରେ ଯାହା ଘଟିଲା ତାହା ଜନତାଙ୍କ ସ୍ୱତଃସ୍ଫୂର୍ତ୍ତ ପ୍ରତିକ୍ରିୟା ବୋଲି ମୁଖପାତ୍ର ପ୍ରତାପ ଦେବ ସଫେଇ ଦେଇଛନ୍ତି । ଅବଶ୍ୟ ଅଣ୍ଡାମାଡ଼ କରିଥିବା ଲୋକଙ୍କ ମଧ୍ୟରେ ତାଙ୍କ ଦଳର କର୍ମୀମାନେ ରହିଥିବା ସେ ମାନିଛନ୍ତି । ଅତଏବ କେନ୍ଦ୍ରମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ଼ ବିଜେଡ଼ିର ଦଳୀୟ ନିଷ୍ପତ୍ତି ନୁହେଁ ବୋଲି ମୁଖପାତ୍ର ବୁଝାଇବାକୁ ଚେଷ୍ଟା କରିଛନ୍ତି ।
ତେବେ ଅଣ୍ଡାମାଡ଼ ଘଟଣାକୁ ବିଜେଡ଼ି ପର କରୁଥିବା ବେଳେ ଦଳର ଛାମୁଆ ଯୁବ ସଂଗଠନ ଅଣ୍ଡାମାଡ଼ ସପକ୍ଷରେ ଖୋଲାଖୋଲି ବିବୃତି ଦେଇଛି । ରାୟଗଡ଼ାଠାରେ ଯୁବ ବିଜେଡ଼ି ସଭାପତି ଅମରେଶ ପତ୍ରୀ ଘୋଷଣା କରିଛନ୍ତି, ଏଭଳି ଅଣ୍ଡାମାଡ଼ ଅବ୍ୟାହତ ରହିବ । ଓଡ଼ିଶାକୁ ଯେଉଁ କେନ୍ଦ୍ରମନ୍ତ୍ରୀ ଆସିବେ ତାଙ୍କୁ ଅଣ୍ଡାମାଡ଼ ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ଏପରିକି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ସାହାଙ୍କୁ ଓଡ଼ିଶାରେ ଅଣ୍ଡାମାଡ଼ ହେବ ବୋଲି ଧମକ ଦେଇଛନ୍ତି । ଯୁବ ବିଜେଡ଼ି ସଭାପତିଙ୍କ ଏଭଳି ବୟାନ ବିଜେଡ଼ିର ଦୋମୁହାଁ ନୀତିକୁ ପଦାରେ ପକାଇଛି । ଗୋଟିଏ ପଟେ ଦଳ ଅଣ୍ଡାମାଡ଼ ବିପକ୍ଷରେ ବିବୃତି ଦେଉଥିବା ବେଳେ ଆରପଟେ ଦଳର ଛାମୁଆ ସଂଗଠନ ଅଣ୍ଡାମାଡ଼ କରିବାକୁ ଧମକ ଦେବା ଦଳର ଗୋପନ ଏଜେଣ୍ଡାଙ୍କୁ ପଦାରେ ପକାଇଛି । ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ବିଜେଡ଼ିର ଏଭଳି ଆଚରଣ ଦଳ ପାଇଁ ମହଙ୍ଗା ପଡ଼ିବ ବୋଲି କୁହାଯାଉଛି ।