ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କୁ ନେଇ ସୋସିଆଲ୍ ମିଡ଼ିଆରେ ଏକ ଚିଠି ଭାଇରାଲ୍ ହୋଇଛି । “ବିଜେପି(ବୈଜୟନ୍ତ ଜୟ ପଣ୍ଡା)ର ମନକଥା” ଶୀର୍ଷକରେ ଏହି ଚିଠି ଲେଖାଯାଇଛି । ମୁଁ କାହିଁକି ମୁଖ୍ୟମନ୍ତ୍ରୀ ହେବି ନାହିଁ ବିଷୟବସ୍ତୁର ଚିଠିଟି ବୈଜୟନ୍ତଙ୍କ ମୁହଁରେ ଡିଜାଇନ୍ କରାଯାଇଛି । ଲେଖାରେ ବୈଜୟନ୍ତଙ୍କୁ ଅତ୍ୟନ୍ତ ଶାଣିତ ଢ଼ଙ୍ଗରେ ମାଡ଼ ହୋଇଛି । ସୋସିଆଲ୍ ମିଡ଼ିଆରେ ଘୂରୁଥିବା ଏହି ଲେଖାଟି ପାଠକଙ୍କ ମନରେ କୌତୁହଳ ସୃଷ୍ଟି କରିଛି ।
ତିନି ଦିନ ତଳେ ବୈଜୟନ୍ତଙ୍କ ଜିଗିରି ଦୋସ୍ତ ଅର୍ଣ୍ଣବ ଗୋସ୍ୱାମୀଙ୍କ ଚାନେଲ ରିପବ୍ଲିକ୍ ରେ ଏକ ବ୍ରେକିଂ ନିଉଜ୍ ବିଷୟରେ ସମସ୍ତେ ଅବଗତ ଥିବେ । ବୈଜୟନ୍ତ ବିଜେପିରେ ମିଶୁଛନ୍ତି ବୋଲି ସେଥିରେ ବ୍ରେକିଂ ଖବର ଆସିଥିଲା । ଏହାକୁ ନେଇ ସବୁଆଡେ ଚର୍ଚ୍ଚା ଲାଗିରହିବା ପରେ ବୈଜୟନ୍ତଙ୍କ ଅଫିସ ପକ୍ଷରୁ ଉକ୍ତ ଖବରକୁ ଖଣ୍ଡନ କରାଯାଇଥିଲା । ତେବେ ଯେତେ ଖଣ୍ଡନ କଲେ ବି ରାଜନୈତିକ ମହଲରେ ଏହା ଜମାରୁ ବିଶ୍ୱାସ ହେଉନାହିଁ । ଗୋଟେ ପଟେ ବୈଜୟନ୍ତ ନରେନ୍ଦ୍ର ମୋଦିଙ୍କ ସ୍ତାବକ ପାଲଟିଥିବା ବେଳେ ନିଜ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ପରୋକ୍ଷରେ ଅଙ୍ଗୁଳି ଉଠାଇ ଚାଲିଛନ୍ତି । ନିଜ ଦଳ ବିଜେଡ଼ିକୁ ପ୍ରତିଦିନ ଲଙ୍ଗଳା କରୁଛନ୍ତି । ସୁତରାଂ ସେ ବିଜେପିରେ ଯୋଗଦେଉଥିବା ଚର୍ଚ୍ଚା ବହୁ ଦିନୁ ଲାଗିରହିଛି । ଯୋଗକୁ ଅର୍ଣ୍ଣବ ଗୋସ୍ୱାମୀଙ୍କ ଚାନେଲରେ ଏହି ଖବର ପ୍ରକାଶ ପାଇବା ପଛରେ ସତ୍ୟତା ଯେ ରହିଛି ତାହା ଅନେକ ବିଶ୍ୱାସ କରୁଛନ୍ତି । ଅନେକ କହୁଛନ୍ତି ହୋଇପାରେ ନବୀନ ପଟ୍ଟନାୟକଙ୍କୁ ବ୍ଲାକ୍ ମେଲିଂ କରିବାକୁ ବୈଜୟନ୍ତ ଏଭଳି ବାଟ ଧରିଛନ୍ତି ।