ଭୁବନେଶ୍ୱର: ତଥାଗତ ଶତପଥୀ କହିଛନ୍ତି ବିଜେଡ଼ିରେ ଚୋରଙ୍କ ସଂଖ୍ୟା କମ୍ ନାହାନ୍ତି । ନିକଟରେ ୪/୫ ଜଣ ଚୋରଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ବିଦା କଲେ । ସେମାନଙ୍କ ମଧ୍ୟରେ ଦେବୀ ମିଶ୍ର ଜଣେ । ଅନ୍ୟମାନଙ୍କ ନାଁ କହୁ କହୁ ଛେପ ଢ଼ୋକି ଅଟକି ଯାଇଛନ୍ତି ତଥାଗତ । ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିନ୍ଦୋଳ ଝାଡ଼ବନ୍ଧରେ ଆୟୋଜିତ ପୌଷ ମହୋତ୍ସବରେ ତଥାଗତଙ୍କ ଏହି ଭାଷଣ ବିଜେଡ଼ି ମହଲରେ ଝଡ଼ ସୃଷ୍ଟି କରିଛି ।
ଦଳର କିଛି ନେତା ତଥାଗତଙ୍କ ମନ୍ତବ୍ୟକୁ ଠିକ୍ ବୋଲି କହିଥିଲା ବେଳେ ଜନତା ଦରବାରରେ ଏହାକୁ ନେଇ ମଜାଦାର ଚର୍ଚ୍ଚା ହେଉଛି । ସ୍ପଷ୍ଟବାଦୀ ତଥାଗତ ମଂଜି କଥାଟି କହିଛନ୍ତି ବୋଲି ବିଭିନ୍ନସ୍ତରରେ ଆଲୋଚନା ହେଉଛି । ସେପଟେ ବିଜେଡ଼ିର କିଛି ନେତା ତଥାଗତଙ୍କ ସାଧୁତା ଓ ନୈତିକତାକୁ ଓଲଟି ପ୍ରଶ୍ନ କରିଛନ୍ତି । ନିଜ ମାଆଙ୍କ ନାଁରେ ଅଶ୍ଲୀଳ ମନ୍ତ୍ରବ୍ୟ ଦେଇଥିବା ବ୍ୟକ୍ତିଙ୍କଠାରୁ ଅଧିକ ଆଶା କରାଯାଇପାରେନା ବୋଲି ସେମାନେ ଆକ୍ଷେପ କରିଛନ୍ତି । ସିଧାସଳଖ ଭାବେ ଚୋର ଆଖ୍ୟାତ ଦେବୀ ମିଶ୍ର ନିଜର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶରଣ ପଶିଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ତଥାଗତଙ୍କ ମନ୍ତବ୍ୟକୁ ଗମ୍ଭୀରତା ଦେଖାଇ ମିଛ ବୋଲି କହିଛନ୍ତି । ସେ କାହିଁକି ଏଭଳି କହିଲେ ତାଙ୍କୁ ସୋ କଜ୍ ମଗାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବିଜେଡ଼ି ଆଭ୍ୟନ୍ତରୀଣ ବାରୁଦଗଦାରେ ନିଆଁ ଚେଙ୍ଗିବାରେ ତଥାଗତଙ୍କର ଏହା ପ୍ରଥମ ପ୍ରୟାସ ନୁହେଁ । ନିକଟରେ ନବୀନ ସରକାରଙ୍କ ଚତୁର୍ଥ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ସେ ବିସ୍ଫୋରକ ଭାଷଣ ଦେଇଥିଲେ । ବିଜେଡ଼ିରେ କନ୍ଦଳ ସାଂଘାତିକ ରୂପ ନେଇଛି । ମନ୍ତ୍ରୀ/ବିଧାୟକମାନେ ଠିକାଦାରୀ, ବଦଳିରେ ମାତିଛନ୍ତି । ସାଂସଦ ଓ ବିଧାୟକଙ୍କ ମଧ୍ୟରେ ସମନ୍ୱୟ ନାହିଁ । କର୍ମୀମାନେ ବହୁଧା ଗ୍ରୁପ୍ ରେ ବିଭକ୍ତ ହୋଇଛନ୍ତି । ନବୀନଙ୍କ ନାଁରେ ବିଜେଡ଼ି ନେତାମାନେ ଭୋଟ ପାଉଛନ୍ତି । ନଚେତ୍ ସଫା ହୋଇଯାଆନ୍ତେଣି । ବିଜେପି ପ୍ରତି ବିଜେଡ଼ିର ଆଭିମୁଖ୍ୟ ସ୍ପଷ୍ଟ ନାହିଁ । ଇତ୍ୟାଦି ଇତ୍ୟାଦି ବର୍ଷିଥିଲେ ତଥାଗତ । ତାହା ପୁଣି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ । କହିବା ବାହୁଲ୍ୟ, ତଥାଗତଙ୍କୁ ସେଦିନ ଭାଷଣରୁ ନିବୃତ୍ତ କରିବାକୁ ଚେଷ୍ଟା କରିଥିଲେ ସଭା ସଂଚାଳନ କରୁଥିବା ଦେବୀ ମିଶ୍ର । ତଥାଗତ ଏଥିରେ କ୍ଷୁବଧ ହୋଇ ଭାଷଣମଞ୍ଚ ଛାଡ଼ି ଚାଲିଯାଇଥିଲେ ।
ତା ପୂର୍ବରୁ ତଥାଗତ ଟ୍ୱିଟ୍ ଜରିଆରେ ବିଜେଡ଼ି ପାଇଁ ଅଡୁଆ ସୃଷ୍ଟି କରିଥିଲେ । ବିଜେଡ଼ି ସଂସଦୀୟ ଦଳ ବିଭାଜନ ହେଉଥିବା ସେ ସାଙ୍କେତିକ ସୂଚନା ଦେଇଥିଲେ । ଖାଲି ତଥାଗତ କାହିଁକି, ଭର୍ତ୍ତୃହରି ମହତାବ ଓ ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ୱିଟ୍ ଓ ପ୍ରବନ୍ଧ ମାଧ୍ୟମରେ ବିଜେଡ଼ି ଉପରେ ହମଲା କରୁଛନ୍ତି । ଭର୍ତ୍ତୃହରି ବେଳ ଦେଖି କେଂଚ ମାରୁଥିବା ବେଳେ ବୈଜୟନ୍ତ ଖୋଲାଖୋଲି ବିଦ୍ରୋହୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଯଦି ଭାବୁଛନ୍ତି କି ସାଂସଦମାନେ ମିଛ କହୁଛନ୍ତି ଏବଂ ଦଳକୁ ଅଧିକ କ୍ଷତି କରୁଛନ୍ତି ତେବେ ସେ ଚୁପ୍ ବସିଛନ୍ତି କାହିଁକି ବୋଲି ରାଜନୈତିକ ପଣ୍ଡିତମାନେ ପ୍ରଶ୍ନ କରିଛନ୍ତି । ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ଭର୍ତ୍ତୃହରିଙ୍କୁ ସୋ କଜ୍ ନୋଟିସ୍ ଦେଇଥିଲେ ଯାହା ଉପରଠାଉରିଆ ଥିଲା । ଭର୍ତ୍ତୃହରି ତାହାର ଜବାବ ଦେଲେନି କି ନବୀନ କାର୍ଯ୍ୟନୁଷ୍ଠାନ ନେଲେନି । ଆଜି ତଥାଗତ ବିଜେଡ଼ି ନେତାଙ୍କୁ ଚୋର କହିବା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଖାଇଥିଲେ ମଧ୍ୟ ତାହା ପାଣିଫୋଟକା ପରି ମିଳାଇଯିବ ବୋଲି ସେମାନେ ଆଶଙ୍କା କରିଛନ୍ତି । କାରଣ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଦମ୍ ନାହିଁ । ସେମାନେ ଖାଲି ସାଂସଦ ନୁହଁନ୍ତି, ପ୍ରଭାବଶାଳୀ ଖବରକାଗଜ ଓ ଟିଭି ସଂସ୍ଥାର ମାଲିକ । ସୁଯୋଗ ପାଇଲେ ସେମାନେ ଦଳକୁ ବରବାଦ କରିଦେବେ ବୋଲି ନବୀନଙ୍କର ଭୟ ଅଛି । ଖାସ୍ ଏହି କାରଣରୁ ଖୋଲା ଚାଲେଂଜ ଦେଇ ଆସୁଥିବା ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନବୀନ ଡରୁଥିବା ସେମାନେ କହିଛନ୍ତି ।
ବୈଜୟନ୍ତଙ୍କ ତଥାକଥିତ ଦଳବିରୋଧୀ ଆଭିମୁଖ୍ୟ ଜୋରଦାର ହୋଇଥିବା ବେଳେ ତଥାଗତଙ୍କ ଚୋର ଉପାଖ୍ୟାନ ବିଜେଡ଼ି ରାଜନୀତିକୁ କେଉଁ ମୋଡ଼ ଦେଉଛି ତାହା ଏବେ ଦେଖିବାର କଥା ।