ଭୁବନେଶ୍ୱର: ଗତବର୍ଷ ଅଗଷ୍ଟ ମାସରେ ଛତିଶଗଡ଼ ଯାଇଥିଲେ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜେଡ଼ିର ୧୨ ଜଣିଆ ଟିମ୍ । ମନ୍ତ୍ରୀ ଦେବୀ ମିଶ୍ର, ପ୍ରଦୀପ ଅମାତ, ସଞ୍ଜୟ ଦାସବର୍ମାଙ୍କ ସମେତ ୬ ବିଧାୟକ ସେହି ଚକାଚକ ଗସ୍ତରେ ସାମିଲ ଥିଲେ । ୯ ଓ ୧୦ ତାରିଖ ଦୁଇଦିନ ଧରି ସେମାନେ ମହାନଦୀ ଉପରେ ନିର୍ମାଣ ହେଉଥିବା ବିଭିନ୍ନ ପ୍ରକଳ୍ପକୁ ବୁଲି ଦେଖିଥିଲେ । ଛତିଶଗଡ଼ ସରକାରଙ୍କ ଅଫିସର, ଇଂଜିନିୟରଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ । ଛତିଶଗଡ଼ ସରକାର ବେଆଇନ ଭାବେ ୧୧ଟି ବୃହତ୍ତ ପ୍ରକଳ୍ପ, ୮ ଟି ମଧ୍ୟମ ପ୍ରକଳ୍ପ ଏବଂ ୭ ଟି ଚେକ୍ ଡ୍ୟାମ୍ ନିର୍ମାଣ କରିଥିବା ବିଜେଡ଼ି ଟିମ୍ ପରିଦର୍ଶନ କାଳରେ ଦେଖିଥିଲେ । ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ମହାନଦୀ ଜଳକୁ ଛତିଶଗଡ଼ ସରକାର କିଭଳି ଅଟକାଉଛି ତାହାର ନିଚ୍ଛକ ପ୍ରମାଣ ପାଇଥିବା ଦାବି କରିଥିଲେ ।
ଓଡ଼ିଶା ଫେରିଲା ପରେ ଟିମ୍ ର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରାଥମିକ ସୂଚନା ଅବଗତ କରାଇଥିଲେ । ଏକ ରିପୋର୍ଟ ପ୍ରସ୍ତୁତ କରି ଦେବାକୁ ମାସେ ପରେ ସମୟ ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦେଲେ ସତ ହେଲେ କ’ଣ ଦେଲେ ତାହା ଏ ଯାଏଁ ଓଡ଼ିଶାବାସୀ ଜାଣିପାରିନାହାନ୍ତି । ଓଡ଼ିଶାର ସ୍ୱାର୍ଥ ଜଡ଼ିତ ମହାନଦୀକୁ ନେଇ ବିଜେଡ଼ି ଲଢ଼େଇ କରୁଥିଲା ବେଳେ ସେ ସମ୍ପର୍କିତ ଅନୁସନ୍ଧାନ ରିପୋର୍ଟକୁ କ’ଣ ପାଇଁ ସାର୍ବଜନୀନ କରୁନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୂଚନାଯୋଗ୍ୟ, ଯୋଜନାବଦ୍ଧ ଭାବେ କଲମା ବ୍ୟାରେଜ୍ ନିକଟରେ ଛତିଶଗଡ଼ ପାଣି ଅଟକାଇ ରଖିବା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ବେଳେ ରାଜନୈତିକ ବୟାନବାଜି ତୀବ୍ର ହୋଇଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଓ ସର୍ବୋଚ୍ଚ ଯନ୍ତ୍ରୀ ଏଚ.ସି.କୋଠାରେଙ୍କ କଥାରେ ତାଳମେଳ ରହୁନି । ଆମ ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ଛତିଶଗଡ଼ ଖାତିର କରୁନାହିଁ । ମହାନଦୀ ପାଣିକୁ ନେଇ ଯୁଦ୍ଧ ଚାଲିଥିବା ବେଳେ ଓଡ଼ିଶାବାସୀ ସମ୍ପୂର୍ଣ୍ଣ ତଥ୍ୟକୁ ନେଇ ଅନ୍ଧାରରେ ରହିଛନ୍ତି । ଏହାକୁ ଚପାଇ ରଖିବା ପଛରେ ବିଜେଡ଼ିର କ’ଣ ଉଦ୍ଦେଶ୍ୟ ରହିଛି ବୁଝାପଡୁନାହିଁ ।