ଭୁବନେଶ୍ୱର: କାଲି ଯେଉଁ ସମୟରେ ମନ୍ତ୍ରୀମଣ୍ଡଳରୁ ତଡ଼ା ଖାଇଥିଲେ ଆଜି ଠିକ୍ ସେହି ସମୟରେ ଦଳୀୟ ପଦପଦବୀରୁ ତଡ଼ା ଖାଇଛନ୍ତି ଦାମୋଦର ରାଉତ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳର ଉପସଭାପତି ଓ ଢ଼େଙ୍କାନାଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ତୁରନ୍ତ ଅବ୍ୟାହତି ଦେଇଛନ୍ତି । ଏଣିକି ଦାମ କେବଳ ଜଣେ ବିଜେଡ଼ି ବିଧାୟକ ଭାବେ ପରିଚିତ ହେବେ । ଆଉ ଅଧିକ ବକବାସ୍ କଲେ ତାଙ୍କୁ ଦଳରୁ ସସପେଣ୍ଡ କରାଯିବା ବି ଅସମ୍ଭବ ନୁହେଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ୍ କହୁଛି ।
ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ ହେଲା ପରେ ଦାମ ବିଚଳିତ ଜଣାପଡ଼ୁଥିଲେ ମଧ୍ୟ ତାଙ୍କ ତୋଡ଼ ଭାଙ୍ଗିନି । ଆଜି ସକାଳୁ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ଘରକୁ ବାଇଟ୍ ପାଇଁ ଯାଇଥିଲା ବେଳେ ସେ ଯାଛା ତା ବ୍ୟବହାର କରିଥିଲେ । କାହାରିକୁ ବାଇଟ୍ ଦେବେନି ବୋଲି କହି ଆଗ ଫେରାଇ ଦେଇଥିଲେ । ତେବେ ଯେଉଁ ଚାନେଲ ତାଙ୍କ ବିରୋଧରେ ପ୍ରଚାର କରୁଛି ବୋଲି ତିନି ଦିନ ହେଲା ଗର୍ଜୁଥିଲେ ସେହି ଚାନେଲକୁ ହିଁ ସାକ୍ଷାତକାର ଦେଇଥିଲେ । ଅନ୍ୟ ସାମ୍ବାଦିକମାନେ ଜିଦ୍ ଧରିବାରୁ ସେ ଦୁଇ ତିନି ପଦିଆ ବାଇଟ୍ ରେ କାମ ଚଳାଇ ଦେଇଥିଲେ । କହିଥିଲେ, ମୋର କିଛି ଅବଶୋଷ ନାହିଁ । ବିଜୁବାବୁଙ୍କ ଅନୁଗତ ଥିଲି ଏବଂ ରହିବି । ଅଧିକ ପ୍ରଶ୍ନର ଉତ୍ତର ନ ଦେଇ ଧମକେଇଥିଲେ । ଦାମଙ୍କ ମତିଗତି ଠିକ୍ ନ ଥିବା ଭାବି ସାମ୍ବାଦିକମାନେ ତାଙ୍କ ଘରୁ ପଳାଇ ଆସିଥିଲେ ।
ତେବେ ଯାହା ହେଉ, ମନ୍ତ୍ରୀମଣ୍ଡଳରୁ ବହିଷ୍କାର ହେଲା ପରେ ଗତକାଲି ଦାମ ହାମବଡ଼ା ହୋଇ ଯେଭଳି ପ୍ରତିକ୍ରିୟା ଦେଲେ ତାହା ସୁପ୍ରିମ୍ ଙ୍କ ନଜରରୁ ହଟି ନ ଥିଲା ବୋଲି ଜଣାପଡ଼ିଛି । ଦାମଙ୍କୁ ମନ୍ତ୍ରୀପଦରୁ ଖାଲି ବାହାର କରି ତାଙ୍କର ମନ ଶାନ୍ତି ହେଲାନି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳୀୟ ଚୋଟ ଲଗାଇଛନ୍ତି ।