ଭୁବନେଶ୍ୱର: ନବୀନ ସରକାରଙ୍କ ଚତୁର୍ଥ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ବିଜେଡ଼ିର ମାନସ ମନ୍ଥନ ମିଟିଂରେ ସାଂସଦ ତଥାଗତ ଶତପଥୀ ଦଳର ନେତା ଓ ମୁଣ୍ଡିଆଳମାନଙ୍କ କଛା ଖୋଲିଦେଇଛନ୍ତି । ସେ ତାଙ୍କ ଭାଷଣରେ କହିଛନ୍ତି, ବିଜେଡ଼ିରେ କର୍ମୀ ଓ ନେତାଙ୍କ ମଧ୍ୟରେ ସମ୍ପର୍କ ନାହିଁ । ବିଧାୟକ ଓ ସାଂସଦଙ୍କ ମଧ୍ୟରେ ସମନ୍ୱୟ ନାହିଁ । ବିଧାୟକ ଗୋଟେ ପଟେ ଓ ସାଂସଦ ଗୋଟେ ପଟେ । ନେତାମାନେ ବଦଳି ଓ ଠିକାଦାରିରେ ମାତିଛନ୍ତି । ଏହାଦ୍ୱାରା ସମସ୍ତଙ୍କର ବ୍ୟକ୍ତିଗତ କ୍ଷତି ହେଉଛି । ଉପରକୁ ମିଠା କଥା କହିଲେ କିଛି ଲାଭ ନାହିଁ । ଆମେ ଗର୍ବ ଓ ଅହଂକାରରେ ଡୁବିଛେ । ଜିତିବା ପାଇଁ ଆମକୁ ନମ୍ର ହେବାକୁ ପଡ଼ିବ । ନବୀନ ବାବୁଙ୍କ ପାଇଁ ବଞ୍ଚିଛେ ନଚେତ୍ ସଫା ହୋଇଯିବା ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେପି ସହ ବିଜେଡ଼ିର ଗଠବନ୍ଧନ ହେବ ନାହିଁ ବୋଲି ସୁପ୍ରିମୋ ଆଗ ସ୍ପଷ୍ଟ କରିବା ଦରକାର ବୋଲି ତଥାଗତ କହିଛନ୍ତି । ଏହା ନହେଲେ କର୍ମୀଙ୍କ ମନରେ ଦ୍ୱନ୍ଦ ରହୁଛି ଏବଂ ଆମେ ସେମାନଙ୍କୁ କି ବାର୍ତ୍ତା ଦେବା ବୋଲି ସେ ପ୍ରଶ୍ନ ପଚାରିଛନ୍ତି । ତଥାଗତଙ୍କ କଛାପିଟା ବକ୍ତବ୍ୟ ରୋକିବାକୁ ଚେଷ୍ଟା କରିଥିଲେ ସଭାର ସଂଚାଳକ ଦେବୀପ୍ରସାଦ ମିଶ୍ର । ତଥାଗତଙ୍କ କାନ ପାଖକୁ ଯାଇ କିଛି କହିବା ମାତ୍ରେ ସେ ରାଗ ତମ ତମ ହୋଇ ଅଧାରୁ ଭାଷଣ ବନ୍ଦ କରିଦେଇଥିଲେ ଏବଂ ନିଜ ଆସକୁ ଫେରିଯାଇଥିଲେ । ବିଜେଡ଼ି ମାନସମନ୍ଥନ ସଭାରେ ତଥାଗତଙ୍କ ଭାଷଣ ଦଳୀୟ ମହଲରେ ହଇଚଇ ସୃଷ୍ଟି କରିଛି । ତଥାଗତ ଯେଉଁସବୁ କଥା କହିଛନ୍ତି ସେଥିରେ ସମ୍ପୂର୍ଣ୍ଣ ସତ୍ୟତା ରହିଛି ବୋଲି ଅନେକ ନେତା ସ୍ୱୀକାର କରିଛନ୍ତି । ବିଜେପି ସହ ଗଠବନ୍ଧନର ଆଶଙ୍କା ତଥାଗତ କାହିଁକି କଲେ ଏବଂ ନବୀନଙ୍କଠାରୁ କ’ଣ ପାଇଁ ଜବାବ ଚାହିଁଲେ ତାହା ମଧ୍ୟ ଦଳୀୟ ନେତାଙ୍କ ମନକୁ ଆନେ୍ଦାଳିତ କରିଛି । ତଥାଗତଙ୍କ ଭଳି ଟାଣ ନ ହେଲେ ମଧ୍ୟ ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ତାଙ୍କ ଭାଷଣରେ ହାଲକେଇ ତେର୍ଚ୍ଛା ବାଣ ଛାଡ଼ିବାକୁ ଭୁଲି ନ ଥିଲେ ।
ଆତ୍ମସମୀକ୍ଷା ବୈଠକରେ ଦଳୀୟ ଅର୍ନ୍ତଦ୍ୱନ୍ଦ ନେଇ ସବୁ ଗୁମର ଖୋଲିବେ ବୋଲି ବାହାଦୁରି ମାରୁଥିଲେ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ । ମାତ୍ର ସେ ତାଙ୍କ ଭାଷଣରେ ସେମିତି କିଛି କହି ନ ଥିଲେ । ବିଜେଡ଼ି ସରକାରର ସଫଳତା ସାଙ୍ଗକୁ ବିଜେପିକୁ କାଗଜ ବାଘ ଓ ଇତ୍ୟାଦି ଇତ୍ୟାଦି କହି ସମାଲୋଚନା କରିବାରେ ଭାଷଣ ସୀମିତ ରଖିଥିଲେ । ନିକଟରେ ମନ୍ତ୍ରୀମଣ୍ଡଳ ବିଭାଗ ଅଦଳବଦଳରେ ଦୁଧିଆଳ ବିଭାଗ ପାଇଥିବାରୁ ଦାମ ଶାନ୍ତ ପଡ଼ିଛନ୍ତି ଏବଂ ସେଭଳି କିଛି କହି ନବୀନଙ୍କ କୋପ ଦୃଷ୍ଟିକୁ ଆସିବାକୁ ଚାହିଁ ନ ଥିବା ବାରି ହୋଇପଡ଼ିଥିଲା ।
ଅନ୍ୟପକ୍ଷରେ ବହୁ ଚର୍ଚ୍ଚିତ ସାଂସଦ ବୈଜୟନ୍ତ ପଣ୍ଡା ଦଳର ଏହି ଗୁରୁତ୍ୱପୂର୍ଣ୍ଣ ମାନସ ମନ୍ଥନ ସଭାକୁ ନ ଆସିବା ଚର୍ଚ୍ଚାର ବିଷୟ ହୋଇଛି । ପଞ୍ଚାୟତ ନିର୍ବାଚନରେ ଦଳର ବିପର୍ଯ୍ୟୟ ପାଇଁ ବିଜେଡ଼ିରେ ଆତ୍ମସମୀକ୍ଷା ଆବଶ୍ୟକ ବୋଲି ମତ ଦେଇଥିବା ବୈଜୟନ୍ତ କାହିଁକି ନିକୁ ଦୂରେଇ ରଖିଲେ ତାହା ସ୍ପଷ୍ଟ କରିନାହାନ୍ତି । ତେବେ ଦଳରେ ସେ ଏବେ ଏକଘରିକିଆ ଏବଂ ତାଙ୍କଠାରେ ଗେରୁଆ ଛାପ ଲାଗିସାରିଲାଣି ବୋଲି ସଭାରେ ନେତାମାନେ ଟୁପରୁଟାପର ହେଉଥିଲେ ।





