ଭୁବନେଶ୍ୱର: ଛାତି ଥରେଇ ଦେଲା ଭଳି ଦୃଶ୍ୟ । କୋଟି କୋଟି ଓଡ଼ିଶାବାସୀଙ୍କ ବିଶ୍ୱାସ ପାଉଥିବା ଭିଜିଲାନସ୍ ବିଭାଗର କିଛି ଅଫିସର ଓ କର୍ମଚାରୀଙ୍କ କୁତ୍ସିତ ଚେହେରାର ଦୃଶ୍ୟ ଧରିଛି ସିସିଟିଭି କ୍ୟାମେରାରେ କଏଦ ୧୭ ମିନିଟ୍ ର ଭିଜୁଆଲ । ଜନୈକ ଠିକାଦାରଙ୍କ ଇଙ୍ଗିତ ଓ ସଲାସୁତୁରାରେ ଜଣେ ଜୁନିୟର୍ ଇଂଜିନିୟରଙ୍କୁ କିଭଳି ଫସାଯାଉଛି ତାହାର ଟିକନିକ୍ ଦୃଶ୍ୟ ରହିଛି ସେଥିରେ । ଆମେ ଏଠାରେ ସେହି ସିସିଟିଭିର ଦୃଶ୍ୟକୁ ହିଁ ଅବିକଳ ଉପସ୍ଥାପନ କରୁଛୁ ।
ଘଟଣାଟି ହେଉଛି ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗରର । ଗତ ମାର୍ଚ୍ଚ ୨୪ ତାରିଖ ସଂଧ୍ୟା ୫ଟା ୪୫ ମିନିଟରେ ଭିଜିଲାନସ ଟିମ୍ ରେଡ କରିଥିଲା କାମାକ୍ଷାନଗର ଏନଏସିରେ କାର୍ଯ୍ୟରତ ଜୁନିୟର୍ ଇଂଜିନିୟର ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କ ଅଫିସ୍ ଚାମ୍ବର । ଢ଼େଙ୍କାନାଳ ଭିଜିଲାନସ୍ ଡିଏସପି ହିମାଂଶୁ ଶେଖର ମିଶ୍ର(ଟୋପିପିନ୍ଧା ବାବୁ)ଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ ଏହି ଚଢ଼ାଉ କରିଥିଲେ । ଜେଇଙ୍କ ଅଫିସ ଚାମ୍ବର ଭିତରକୁ ବାଟ କଢ଼ାଇ ନେଇଥିଲେ ସେଠିକାର ଡି-କ୍ଲାସ୍ ଠିକାଦାର ସୁରେଶ ନାୟକ । ଠିକାଦାର ବାବୁଜଣଙ୍କ ଜେଇଙ୍କ ଚେୟାର ପଛରେ ପଡ଼ିଥିବା ଆଉ ଏକ ଚେୟାରରେ ଗଜପତି ଷ୍ଟାଇଲରେ ବସିଯାଇଥିଲେ । ହାବଭାବ ଠାଣିମାଣି ଥିଲା କୌଣସି ଫିଲ୍ମର ନିର୍ଦ୍ଦେଶକ ଭଳି । ଆଉ ଡିଏସପି ମହୋଦୟ ତାଙ୍କ ସହଯୋଗୀଙ୍କୁ ଧରି ଚାମ୍ବର ଭିତରେ ଛାନଭିନ୍ ଆରମ୍ଭ କରିଦେଇଥିଲେ । ଜେଇଙ୍କ ଆଲମାରି, ଟେବୁଲ୍ ଡ୍ରୟାରରେ ଥିବା କୌଣସି ଫାଇଲ୍ ଛାଡ଼ି ନ ଥିଲେ । ଡ୍ରୟାରରୁ ସବୁ ଫାଇଲ ପୋଛି ଆଣିଥିଲେ । ଗୋଟେ ପଟେ ଭିଜିଲାନସ ବାବୁଙ୍କ ତନଖି ଚାଲୁଥିଲା, ଆଉ ସେପଟେ ଠିକାଦାର ନାୟକ ଚଲାଇଥିଲେ ଗୁଣ୍ଡାଗର୍ଦ୍ଦି । ଜେଇ ଶ୍ରୀ ମିଶ୍ରଙ୍କୁ ହଲାପଟା କରୁଥିଲେ । କେତେବେଳେ ଧକ୍କିଆ ମାରୁଥିଲେ ତ ଆଉ କେତେବେଳେ ଗାଲକୁ ଢ଼ୋ ଢ଼ା ଚାପୁଡ଼ା । ଅଫିସ କବାଟ କଡ଼ରେ ଥିବା ଏକ ଲମ୍ବା ଲୁହା ରଡରେ ବି ପିଟିଥିଲେ । କଥାକଥାକେ ଜେଇଙ୍କ ଆଡକୁ ଉହୁଁକି ଆସୁଥିଲେ । ଠିକାଦାରଙ୍କୁ ଖୁସି କରାଇବାର କୌଣସି ସୁଯୋଗକୁ ଡିଏସପି ମହୋଦୟ ବି ହାତଛଡ଼ା କରୁ ନ ଥିଲେ । ଅତ୍ୟନ୍ତ ନିର୍ଦ୍ଦୟ ଓ ଅମାନବୀୟ ଢ଼ଙ୍ଗରେ ସେ ଜେଇଙ୍କ ସାର୍ଟ କଲର୍ ଧରି ତଣ୍ଟିଆ ମାରୁଥିଲେ । ସାକ୍ଷୀ ହୋଇ ସେଠାକୁ ଯାଇଥିବା ଅଫିସ ପିଅନ୍ ମଧ୍ୟ ଜେଇଙ୍କୁ କୁକୁର ମାଙ୍କଡ଼ ଭଳି ବ୍ୟବହାର କରି ନାଲିଆଖି ଦେଖାଉଥିଲେ ।
ପ୍ରାୟ ୧୦ ମିନିଟ୍ ଧରି ଚାଲିଥିଲା ଏହି ସତସତିକା ନାଟକବାଜି । ଛାନଭିନରୁ କିଛି ମିଳିଲାନି । ଠିକାଦାରଙ୍କ ମାର୍ଫତଦାରରେ ଜେଇଙ୍କୁ ସାଷ୍ଟାଙ୍ଗ ଛିଡ଼ା କରି ଭିଜିଲାନସ ବାବୁମାନେ ରୁମ୍ ବାହାରକୁ ପଳାଇଗଲେ । ତେବେ ମାତ୍ର କେଇ ମିନିଟ୍ ପରେ ପୁଣି ଫେରିଥିଲେ ସେହି ରୁମ୍ କୁ । ଫେରିଲା ବେଳକୁ କନେଷ୍ଟବଳ ଉଦ୍ଧବ ଚରଣ ଲେଙ୍କାଙ୍କ ହାତରେ ଥିଲା ଏକ ଲମ୍ବା ବ୍ୟାଙ୍କ ପାସବୁକ । ପାସବୁକ୍ ଟି ଫୁଲୁକା ଦିଶୁଥିଲା । ପୂରା ଷ୍ଟେଜ୍ ସୋ ଭଳି ଡିଏସପିଙ୍କ ସମେତ ଅନ୍ୟ କର୍ମଚାରୀମାନେ ପୁଣି ଆରମ୍ଭ କଲେ ଛାନଭିନ । ସେତିକିବେଳେ ପୂର୍ବରୁ ଖାଲି କରାଯାଇ ତାଲା ଠୁଙ୍କାଯାଇଥିବା ଜେଇଙ୍କ ଟେବୁଲ୍ ଡ୍ରୟାର ପୁଣି ଖୋଲିଥିଲେ କନେଷ୍ଟବଳ ଉଦ୍ଧବ । ଡ୍ରୟାର ଖୋଲି ଭିତରେ ସର୍ କିନା ପାସବୁକଟିକୁ ଝାଡ଼ିଦେଲେ । କିଛି ନ ଜାଣିଲା ଭଳି ଅନ୍ୟତ୍ର ଆସିବା ପରେ ସେଠାରେ ସାକ୍ଷୀ ଭାବେ ଉପସ୍ଥିତ ପିଅନକୁ ନିର୍ଦ୍ଦେଶ ଦିଆଗଲା ଟେବୁଲ ଡ୍ରୟାର ଖୋଲିବାକୁ । ଆଉ ଚଟାପଟ ସେ ଡ୍ରୟାର ଖୋଲି ଦି ହଜାର ଟଙ୍କିଆ ଏକ ବଣ୍ଡଲ୍ ବାହାର କଲେ । ତାପରେ ସମସ୍ତେ ଚିଲାଇଲେ । ଜେଇଙ୍କୁ ବାଧ୍ୟ କରି ତାଙ୍କ ହାତରେ ଟଙ୍କା ଗଣାଗଲା । ଯେଉଁଥିରେ ଥିଲା ୨୫ ହଜାର ଟଙ୍କା । ସେହି ସମୟକୁ ନିର୍ଦ୍ଦେଶକ ସାଜିଥିବା ଠିକାଦାର ଛାତି ଫୁଲାଇ ଲଙ୍କାଗଡ଼ ଜୟ କଲା ଭଳି ସଁ ସଁ ହେଉଥିଲେ । “ସଳା ମନା କରୁଥିଲା ହେଇ ହେଇ ଟଙ୍କା ଖାଇବା ଧରାପଡ଼ିଲା” କହି ଜେଇଙ୍କ ଉପରକୁ ମାଡ଼ି ଆସିଥିଲେ । ଡିଏସପି, କନେଷ୍ଟବଳ, ଅଫିସ୍ ପିଅନ ସମସ୍ତଙ୍କର ମିଜାଜ୍ ସମାନ ଥିଲା । ଲଙ୍କାଗଡ଼ ଜୟ କଲା ଭଳି ସେମାନଙ୍କ ଆଚରଣ କହୁଥିଲା । ବିଚାରା ଜେଇ ଏହି ଦୃଶ୍ୟ ଦେଖି ହତବାକ୍ ହୋଇଯାଇଥିଲେ । “ଆଜ୍ଞା ଏବେ ତ ଡ୍ରୟାର ଖାଲି ଥିଲା । ତାହେଲେ ଟଙ୍କା ଆସିଲା କୁଆଡୁ । ଆପଣମାନେ ହିଁ ଟଙ୍କା ରଖିଛନ୍ତି” ବୋଲି ଚିତ୍କାର୍ କରିଥିଲେ । ଡିଏସପି ତାଙ୍କୁ ଫୁରସତ୍ ନ ଦେଇ ଗାଡ଼ି ଆଡକୁ ଭିଡ଼ି ନେଲେ । ଆଉ ପରଦିନ କୋର୍ଟ ଫରୱାର୍ଡ କରି ଜେଲ୍ ପଠାଇଦେଲେ ।
୧୪ ଦିନ ଜେଲରେ କାଟି ଏପ୍ରିଲ୍ ୭ ତାରିଖରେ ଜାମିନ୍ ପାଇଥିଲେ ଜେଇ ରାଜେନ୍ଦ୍ର ମିଶ୍ର । ଲାଞ୍ଚ ଖାଇବା ଅଭିଯୋଗରେ ଭିଜିଲାନସ ଦ୍ୱାରା ଗିରଫ ପରେ ଚାକିରିରୁ ସସପେଣ୍ଡ ହୋଇଥିବା ରାଜେନ୍ଦ୍ର ଏବେ ସରକାରଙ୍କ ପାଖରେ ନ୍ୟାୟଭିକ୍ଷା କରିଛନ୍ତି । ଠିକାଦାର ସୁରେଶ ନାୟକଙ୍କ ନିମ୍ନମାନର କାମ ଓ ଫଲସ୍ ବିଲ୍ କୁ ସେ ବିରୋଧ କରିବାରୁ ତାଙ୍କୁ ଫସାଇ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଖାଲି ଅଭିଯୋଗ ନୁହେଁ, ଭିଜିଲାନସ୍ ରେଡର ମୂଳରୁ ଶେଷ ଯାଏଁ ସିସିଟିଭି କ୍ୟାମେରାର ଫୁଟେଜ୍ ମଧ ସରକାରଙ୍କୁ ପଠାଇଛନ୍ତି । ସିସିଟିଭି କ୍ୟାମେରାରେ ଅତ୍ୟନ୍ତ ସ୍ପଷ୍ଟ ଓ ପ୍ରାଞ୍ଜଳ ଥିବା ଚିତ୍ରକୁ ଦେଖିଲେ ଠିକାଦାର-ଭିଜିଲାନସ ସାଂଘାତିକ ସେଟିଂ ଧରାପଡ଼ିଯାଉଛି । ବାଡ ହୋଇ ଭିଜିଲାନସ କିଭଳି କ୍ଷେତ ଖାଉଛି ତାହା ଏହି ଫୁଟେଜ ହିଁ ବୟାନ କରୁଛି । ଏହା ଉପରେ ସରକାର କିଭଳି କାର୍ଯ୍ୟାନୁଷ୍ଠାନ କରିବେ ତାହା ତ ଦେଖିବାର କଥା । ହେଲେ ଦଶମ ସିବିଏସଇ ପରୀକ୍ଷା ବେଳେ ବାପାଙ୍କର ଜେଲ୍ ଯିବାର ଦୃଶ୍ୟକୁ ଭୁଲିପାରୁନାହାନ୍ତି ରାଜେନ୍ଦ୍ରଙ୍କ ଝିଅ । ସାହିପଡ଼ିଶା ଓ ବନ୍ଧୁବାନ୍ଧବରେ ମୁହଁ ଦେଖାଇ ପାରୁନାହାନ୍ତି ପରିବାର ।