ଭୁବନେଶ୍ୱର: ଦଳର ୨୦ତମ ପ୍ରତିଷ୍ଠା ଦିବସ ପାଳନରେ ବିଜେଡ଼ି ଯେଉଁଭଳି ପାଣି ପରି ଟଙ୍କା ଖର୍ଚ୍ଚ କଲା ତାହା ଏବେ ଚର୍ଚ୍ଚାରେ । ପୁରୀରେ ଆଡ଼ମ୍ବରପୂର୍ଣ୍ଣ ପ୍ରସ୍ତୁତି ଓ ଦଳର ପ୍ରଚାର, ପ୍ରସାରକୁ ଦେଖି ମୁଖ୍ୟ ବିରୋଧୀ ବିଜେପି ବି ଛାନିଆଁ ହୋଇଯାଇଛି । ଖାସ୍ କରି ବିଜେଡ଼ିର ମିଡ଼ିଆ ମାଇଲେଜ୍ ବିଜେପିକୁ ବିବ୍ରତ କରିଛି । ତେଲ ଟଙ୍କାରେ ଯେଉଁ ମିଡ଼ିଆ ମାଲିକଙ୍କୁ ପେଟୁଆ କଲା, ସେମାନେ ଯେ ନବୀନ ମାୟାରେ ଏମିତି ନାଚିବେ ତାହା ସେମାନଙ୍କର ବିଶ୍ୱାସ ହେଉନି । ଅର୍ଥ ଓ କ୍ଷମତା ଜାହିର ପାଇଁ ନୀତି, ଆଦର୍ଶ, ସ୍ନେହ, ସମ୍ପର୍କକୁ ସେମାନେ ଭୁଲି ଯାଇଥିବାରୁ ବିଜେପି ନେତାଙ୍କ ଛାତି ଫାଟିଯାଇଛି ।
ସେପଟେ ସବୁ ବାଛବିଚାର ଭୁଲି ଦିନକ ପାଇଁ ହେଉ ପଛେ, ସବୁ ଖବରକାଗଜକୁ ପକେଟ୍ ରେ ପୂରାଇ ଥିବାରୁ ବିଜେଡ଼ି ନେତାଙ୍କ ଛାତି କୁଣ୍ଢେମୋଟ ହୋଇଛି । ସୂଚନା ଅନୁଯାୟୀ, ଶ୍ରୀକ୍ଷେତ୍ରରେ ବିଜେଡ଼ି ପ୍ରତିଷ୍ଠା ଦିବସର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ବିଜେଡ଼ି ନେତାମାନେ ଜାନ୍ ଲଗାଇଦେଇଥିଲେ । ମନ୍ତ୍ରୀ ପ୍ରତାପ ଜେନା ଓ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ତାହାର ନେତୃତ୍ୱ ନେଇଥିଲେ । ଦିନରାତି ଏକ କରି ବିଜ୍ଞାପନ ବଣ୍ଟନ ଓ ତଦାରଖ କରିଥିଲେ । ସରକାର ଓ ବିଜେଡ଼ିର ଗେହ୍ଲାପୁଅ ହୋଇଥିବା ଏକ ମିଡ଼ିଆ ପ୍ରଡକ୍ସନ୍ ସଂସ୍ଥାକୁ ବିଜ୍ଞାପନ,ଫିଚର୍ ପ୍ରସ୍ତୁତିର ଦାୟିତ୍ୱ ଦିଆଯାଇଥିଲା । କୌଣସି ମିଡ଼ିଆ ହାଉସ୍ ମନରେ ଦୁଃଖ କି କଷ୍ଟ ଦିଆଯାଇ ନ ଥିଲା । ଏ ଘର ମାଉସୀ ସେ ଘର ପିଉସୀ ମାର୍କା କିଛି ବଡ଼ବଡ଼ିଆ ଖବରକାଗଜକୁ ବେଶୀ ପ୍ରାଧାନ୍ୟ ଦିଆଯାଇଥିଲା ।
ବିଜେଡ଼ି ପ୍ରତିଷ୍ଠା ଦିବସରେ ସବୁଠାରୁ ବେଶୀ ଆକର୍ଷଣୀୟ ଥିଲା ପ୍ରମୁଖ ଖବରକାଗଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତଥାକଥିତ ଏକ୍ସକ୍ଲୁସିଭ୍ ସାକ୍ଷାତକାର । ଏହି ସାକ୍ଷାତକାର ପାଇଁ ବିଜେଡ଼ି ଯେତିକି ଖୁସି ନୁହେଁ, ଖବରକାଗଜବାଲା ତାଠୁଁ ଅଧିକ ଖୁସି । ଖୁସିରେ ଗଦ୍ ଗଦ୍ ହୋଇ ଅନେକ ଭାବବିହ୍ୱଳ ହୋଇପଡ଼ିଥିଲେ । ସୂଚନା ଅନୁଯାୟୀ, ୫ ଟି ବଛା ଓଡ଼ିଆ ଖବରକାଗଜକୁ ମୁଖ୍ୟମନ୍ତ୍ରୀ ସାକ୍ଷାତକାର ଦେଇଥିଲେ । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ୨୪ ତାରିଖ ସଂଧ୍ୟାରେ ଏକା ସମୟରେ ଏହି ଖବରକାଗଜଗୁଡ଼ିର ପ୍ରତିନିଧିଙ୍କୁ ନବୀନ ନିବାସ ଡକାଯାଇଥିଲା । ଡ୍ରଇଁ ରୁମ୍ ରେ ବସିଥିବା ମୁଖ୍ୟମନ୍ତ୍ରୀ ଜଣ ଜଣ କରି ସମସ୍ତଙ୍କୁ ଭିତରକୁ ଡ଼ାକୁଥିଲେ । କେଇ ମିନିଟ୍ କଥା ହେଲା ଭିତରେ ତାଙ୍କ ସହ ଫଟୋ ଉଠାଇବାକୁ ଅନୁମତି ଦେଇ ବିଦାୟ ଜଣାଉଥିଲେ । ୨୬ ତାରିଖ ପ୍ରତିଷ୍ଠା ଦିବସ ଦିନ ମୁଖ୍ୟମନ୍ତ୍ରୀଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର ନାଁରେ ତାହା ଖବରକାଗଜର ପୃଷ୍ଠା ମଣ୍ଡନ କଲା । ଫେସ୍ ବୁକ୍ ରେ ବୁଲିଲା । ମୁଖ୍ୟମନ୍ତ୍ରୀଙ୍କ ସହ ଯୁଗ୍ମ ଫଟୋ ଫେସ୍ ବୁକ୍ ରେ ଛାଡ଼ି କିଛି ଗଣମାଧ୍ୟମ ବ୍ୟକ୍ତିତ୍ୱ ନିଜକୁ ବେଶ୍ ଗୌରାବନ୍ୱିତ ମନେକଲେ ।
କୌଣସି ଆଂଚଳିକ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଏହି ସାକ୍ଷାତକାର ଦେଇଛନ୍ତି କହି ପାଠକଙ୍କୁ ବୋକା ବନାଇବାକୁ ଉଦ୍ୟମ କରିଛି ଏକ ନମ୍ବର ଦାବି କରୁଥିବା ଖବରକାଗଜ । ୨୦୧୪ ମସିହା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଦିନ ମୁଖ୍ୟମନ୍ତ୍ରୀ ସବୁ ଓଡ଼ିଆ ଟିଭି ଚାନେଲ୍ କୁ ୱାନ୍ ଟୁ ୱାନ୍ ସାକ୍ଷାତକାର ଦେଇଥିବା ସମସ୍ତେ ଜାଣନ୍ତି । ତେବେ ସେ ଯାହା ହେଉ, ସଂପୃକ୍ତ କାଗଜର କର୍ମକର୍ତ୍ତା ଦାୟିତ୍ୱ ନିର୍ବାହ କରୁଥିବା ମାଲିକଙ୍କ ଝିଅ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କଠାରୁ ସାକ୍ଷାତକାର ଆଣିବା ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚାର ବିଷୟ ହୋଇଛି । ସାକ୍ଷାତକାରର ଇଣ୍ଟ୍ରୋ ଲେଖାରେ ମୁଖ୍ୟମନ୍ତ୍ରୀଙ୍କୁ ତେଲରେ ଭସାଇ ଦିଆଯାଇଛି । ୧୯୮୬ ମସିହାରେ ବାପାଙ୍କଠାରୁ ବାପା ସାକ୍ଷାତକାର ନେଇଥିଲେ । ୩୧ ବର୍ଷ ପରେ ପୁଅଙ୍କଠାରୁ ଝିଅ ସାକ୍ଷାତକାର ନେବାକୁ ଏକ ଉଲ୍ଲେଖନୀୟ ସଂଯୋଗ ବୋଲି ଦାବି କରାଯାଇଛି । ସାକ୍ଷାତକାରରେ ବି ମୁଖ୍ୟମନ୍ତ୍ରୀଙ୍କୁ ଖୁସି କଲାଭଳି ପ୍ରଶ୍ନସବୁ ପଚରାଯାଇଛି । ନିଜ ଖବରକାଗଜକୁ ସରକାରଙ୍କ ମୁଖ୍ୟ ସମାଲୋଚକ କହି ପ୍ରଶ୍ନକର୍ତ୍ତା ଅଭିମାନ ଢ଼ାଳିଛନ୍ତି ।
ଖବରକାଗଜରେ ବାହାରିିଥିବା ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାରକୁ ସମ୍ପୂର୍ଣ୍ଣ ପ୍ରାୟୋଜିତ କହି ଅନେକ ସମାଲୋଚନା କରିଛନ୍ତି । ମାତ୍ର ବିଜେଡ଼ି ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି । ଅନ୍ୟପକ୍ଷରେ କିଛି ଗଣମାଧ୍ୟମର ସୁବିଧାବାଦୀ ଆଭିମୁଖ୍ୟକୁ ସୋସିଆଲ୍ ମିଡ଼ିଆରେ ଖୁବ୍ ସମାଲୋଚନା କରାଯାଇଛି । ବର୍ଷା ଯୁଆଡ଼େ ଛତା ସିଆଡେ ନ୍ୟାୟରେ ଅର୍ଥ ଓ କ୍ଷମତା ପାଇଁ ମାଲିକମାନେ ନିଜର ନୈତିକତା ଓ ମୂଲ୍ୟବୋଧକୁ କିଭଳି ଜଳାଂଜଳି ଦେଇପାରନ୍ତି ତାହା ସ୍ପଷ୍ଟ ହୋଇଯାଇଥିବା କୁହାଯାଉଛି ।