ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ତାରିଖ ତଥାପି ଘୋଷଣା ହେଲାନି । ଆରଥରକୁ ବାକି ରହିଲା । ଆଜି ରାଜସ୍ଥାନର ୨ଟି ଲୋକସଭା, ଗୋଟିଏ ବିଧାନସଭା ଆସନ ଏବଂ ପଶ୍ଚିମବଙ୍ଗର ଗୋଟିଏ ଲୋକସଭା ଓ ଗୋଟିଏ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି । ନିର୍ବାଚନ କମିଶନଙ୍କ ପକ୍ଷରୁ ସଂଧ୍ୟାରେ ଏହି ଘୋଷଣା କରାଯାଇଛି । ଆଶ୍ଚର୍ଯ୍ୟର କଥା ଏହି ତାଲିକାରେ ବିଜେପୁର ନାହିଁ । ଅଗଷ୍ଟ ୨୧ ତାରିଖରୁ ଖାଲିପଡ଼ିଥିବା ବିଜେପୁର ଆସନ କଥା କମିଶନ ଯାଇଛନ୍ତି ।
ବିଜେପୁର ବିଧାୟକ ସୁବଳ ସାହୁଙ୍କର ଅଗଷ୍ଟ ୨୧ ତାରିଖରେ ମୃତ୍ୟୁ ହୋଇଥିଲା । ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ, ଖାଲି ପଡୁଥିବା ଲୋକସଭା କିମ୍ବା ବିଧାନସଭା ଆସନ ପାଇଁ ୬ ମାସ ଭିତରେ ନିର୍ବାଚନ ହେବା କଥା । ସେହି ଦୃଷ୍ଟିରୁ ବିଜେପୁର ଉପନିର୍ବାଚନ ତାରିଖ ମିଆଦ ଫେବୃଆରୀ ୨୧ ରେ ପୂରିଯିବ । ଦେଶର ଅନ୍ୟ ରାଜ୍ୟର ଖାଲି ପଡ଼ିଥିବା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହେଉଥିଲେ ମଧ୍ୟ ବିଜେପୁର ବାଦ୍ ପଡ଼ିବା ଭ୍ରୃକୁଞ୍ଚନ ସୃଷ୍ଟି କରିଛି । ପୂର୍ବରୁ ବିଜେଡ଼ି ଅଭିଯୋଗ କରିଛି ଯେ ରାଜନୈତିକ ଅଭିସନ୍ଧି ରଖି ବିଜେପୁର ଉପନିର୍ବାଚନ ତାରିଖ ଘୋଷଣା କରାଯାଉନି । ବିଜେଡ଼ି ନେତାଙ୍କ କହିବା କଥା, ବିଜେପୁରରେ ବିଜେପିର ସ୍ଥିତି ଭଲ ନ ଥିବାରୁ ସେଠାରେ ନିର୍ବାଚନ ସାମନା କରିବାକୁ ଡରୁଛି । ନିର୍ବାଚନ କମିଶନଙ୍କୁ ପ୍ରଭାବିତ କରି ତାରିଖ ଘୋଷଣା ହେଉନି ବୋଲି ସେମାନଙ୍କ ଅଭିଯୋଗ । ବିଜେପି ଏହାକୁ ଖଣ୍ଡନ କରିଥିଲେ ମଧ୍ୟ ଜନସାଧାରଣ ବାସ୍ତବତା ବୁଝିଗଲେଣି । ବିଜେପୁର ଉପନିର୍ବାଚନ ତାରିଖ ଘୋଷଣା ବିଳମ୍ବ ପଛରେ ଯେ ହାତସଫେଇ ରହିଛି ତାହା ସାଧାରଣରେ ବୁଝାପଡ଼ିଯାଉଛି ।