ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ବିଜେଡ଼ି-ବୈଜୟନ୍ତ କଳି ଅତି ନୀଚ ସ୍ତରକୁ ଚାଲିଗଲାଣି । ମାର୍ଶାଘାଇ ପୁରୁଷୋତ୍ତମପୁରରେ ସରକାରୀ ଅର୍ଥରେ ନିର୍ମିତ ପାଣିଟାଙ୍କି ଦୁଇମାସ ତଳେ ଉଦଘାଟିତ ହୋଇ ଲୋକ ପାଣି ପାଉଥିଲେ ମଧ୍ୟ ସାଂସଦ ବୈଜୟନ୍ତ ପଣ୍ଡା ତାହାକୁ ପୁନର୍ବାର ଉଦଘାଟନ କରିଛନ୍ତି । ସାଂସଦ ପାଣ୍ଠିରେ ନିର୍ମିତ ଏହି ପାଣିଟାଙ୍କିଟିକୁ ତାଙ୍କୁ ନ ପଚାରି ଉଦଘାଟନ କରାଯାଇଥିବାରୁ ବୈଜୟନ୍ତ ଜିଦ୍ ରେ ଆଜି ଆଉ ଥରେ ଉଦଘାଟନ କରିଥିଲେ । ତେବେ ବିଜେଡ଼ିରୁ ନିଲମ୍ବିତ ସାଂସଦଙ୍କର ଏଭଳି କାର୍ଯ୍ୟକୁ ସ୍ଥାନୀୟ ବିଜେଡ଼ି କର୍ମୀମାନେ ବିରୋଧ କରି କିଛି ଘଣ୍ଟା ପରେ ଉଦଘାଟନ ଫଳକ ତାଡ଼ି ଦେଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି । ବୈଜୟନ୍ତଙ୍କ ସମର୍ଥକ କୁହାଯାଉଥିବା କିଛି ବିଜେପି କର୍ମୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି ବିଜେଡ଼ି ସମର୍ଥକ ।
ପୁରୁଷୋତ୍ତମପୁରରେ ସାଂସଦ ପାଣ୍ଠିରୁ ୨୮ ଲକ୍ଷ ଟଙ୍କାରେ ନିର୍ମିତ ହୋଇଛି ପାଣିଟାଙ୍କି । ଉକ୍ତ ପାଣିଟାଙ୍କିଟି ୪ ମାସ ପୂର୍ବରୁ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇ ନ ଥିଲା । ସାଂସଦ ପାଣ୍ଠିରେ ନିର୍ମିତ ସବୁ ପ୍ରକଳ୍ପ ଉଦଘାଟନ କରୁଥିବା ବୈଜୟନ୍ତ ବିଜେଡ଼ିରୁ ନିଲମ୍ବିତ ହୋଇଥିବାରୁ ତାଙ୍କ ହାତରେ ପୁରୁଷୋତ୍ତମ ପାଣିଟାଙ୍କି ଉଦଘାଟନ କରାଇ ନ ଦେବାକୁ ବିଜେଡ଼ି ନେତା ଓ କର୍ମୀମାନେ ଚାହିଁଥିଲେ । ଫେବୃଆରୀ ୭ ତାରିଖରେ ସ୍ଥାନୀୟ ବିଜେଡ଼ି ଲୋକପ୍ରତିନିଧିଙ୍କୁ ଧରି ମାର୍ଶାଘାଇ ବ୍ଲକ୍ ଅଧ୍ୟକ୍ଷା ସୀତାଲତା ପରିଡ଼ା ଏହାର ଉଦଘାଟନ କରିଥିଲେ । ଏମପି ଲାଡଫଣ୍ଡରେ ନିର୍ମିତ ପ୍ରକଳ୍ପକୁ ସାଂସଦ ନିଜର ପ୍ରକଳ୍ପ ଦର୍ଶାଇ ଲୋକଙ୍କୁ ଭୂଆଁ ବୁଲାଇବାର ମାନସିକତା ଛାଡ଼ନ୍ତୁ ବୋଲି ବିଜେଡ଼ି ନେତାମାନେ କହିଥିଲେ ।
ତେବେ ବିଜେଡ଼ିବାଲାଙ୍କୁ ପାନେ ଚଖାଇବା ପାଇଁ ବୈଜୟନ୍ତ ଦୁଇମାସ ପରେ ଆଜି ସେହି ପାଣିଟାଙ୍କିକୁ ପୁନର୍ବାର ଉଦଘାଟନ କରିଛନ୍ତି । ଫେବୃଆରୀ ୭ ତାରିଖ ଉଦଘାଟନ ପର୍ବକୁ ସେ ଅନଧିକୃତ ଘୋଷଣା କରି ନିଜ ଦ୍ୱାରା ଉଦଘାଟନ ପର୍ବକୁ ଅଧିକୃତ ବା ଅଫିସିଆଲ୍ ଦର୍ଶାଇଛନ୍ତି । ସାଂସଦଙ୍କର ଏହି ଆୟୋଜନ ଦେଖି ଗତକାଲିଠାରୁ ବିଜେଡ଼ି କର୍ମୀମାନେ ତାତି ଯାଇଥିଲେ । କୌଣସି ଅଘଟଣ ଘଟିପାରେ ବୋଲି ନିଜେ ସାଂସଦ ମଧ୍ୟ ନିଶ୍ଚିତ ଥିଲେ । ତେବେ ଏମିତି ଅଘଟଣର ମୌକା ଖୋଜୁଥିବା ସାଂସଦ ତାଙ୍କ ଲକ୍ଷ୍ୟରେ ପହଞ୍ଚିଛନ୍ତି । ବିଜେଡ଼ି କର୍ମୀଙ୍କ ପ୍ରବଳ ବିରୋଧ ଭିତରେ ସାଂସଦ ପାଣିଟାଙ୍କି ଉଦଘାଟନ କରିବା ସହ ଉଦଘାଟନ ନାମଫଳକକୁ ବିଜେଡ଼ି କର୍ମୀମାନେ ତାଡ଼ି ନେବାର ବଦନାମ ପ୍ରଚାର କରିବାରେ ସମର୍ଥ ହୋଇଛନ୍ତି ।
ରୋଚକ କଥାଟି ହେଉଛି, ପାଣିଟାଙ୍କି ଉଦଘାଟନ ରାଜନୀତିରେ ନିଜକୁ ବିଜୟୀ ମନେ କରୁଥିବା ବୈଜୟନ୍ତ ଆଜି ପୁଣି ତୃତୀୟ ମହଲା ଅଫିସରଙ୍କ ଉପରେ ବର୍ଷିଛନ୍ତି । ବିଜେଡ଼ିର ଗୁଣ୍ଡାଗର୍ଦ୍ଦି ପଛରେ ସେ ସେହି ତୃତୀୟ ମହଲା ଥିଓରି ଶୁଣାଇଛନ୍ତି । ବିଜେଡ଼ି-ବୈଜୟନ୍ତଙ୍କ କଳି ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବୈଜୟନ୍ତ ତୃତୀୟ ମହଲା ଅଫିସରଙ୍କ ପଛରେ ଟିଙ୍କ ପରି ଲାଗି ନିଜକୁ ଶସ୍ତା କରିଦେଇଥିବା ଆଲୋଚନା ହେଉଛି ।
ଉଲ୍ଲେଖଯୋଗ୍ୟ, ସାଂସଦ ପାଣ୍ଠିରେ ନିର୍ମିତ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଅର୍ଥରେ ନିର୍ମିତ ହୋଇଥାଏ । ସାଂସଦଙ୍କ ଅନୁମୋଦନରେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରୀ ଦାୟିତ୍ୱ ଜିଲ୍ଲା ପ୍ରଶାସନର । ଜିଲ୍ଲାପାଳ ଏହାର ଇମ୍ପ୍ଲିମେଣ୍ଟିଂ ଅଥରିଟି । କେନ୍ଦ୍ରାପଡ଼ାରେ ସାଂସଦ ପାଣ୍ଠିରେ ନିର୍ମିତ ସବୁ ପ୍ରକଳ୍ପର ଉଦଘାଟନ ବୈଜୟନ୍ତଙ୍କ ଦ୍ୱାରା ହୋଇ ଆସୁଥିଲେ ମଧ୍ୟ ସେ ବିଜେଡ଼ିରୁ ନିଲମ୍ବିତ ହେବା ପରେ ବିବାଦ ସୃଷ୍ଟି ହୋଇଛି । ତାଙ୍କ ଅଜାଣତରେ ପୁରୁଷୋତ୍ତମପୁର ପାଣିଟାଙ୍କି ପ୍ରକଳ୍ପ ଉଦଘାଟନକୁ ବୈଜୟନ୍ତ ଆଦୌ ବରଦାସ୍ତ କରି ନ ଥିଲେ । ଆଜି ଏହାର ପୁନର୍ବାର ଉଦଘାଟନ କରି ସେ ନିଜର ରାଗ ସୁଝାଇଛନ୍ତି ।