ଭୁବନେଶ୍ୱର: ରାଜ୍ୟ ବିଜେପିରେ କୋଣଠେସା ହୋଇଥିବା ବିଜୟ ମହାପାତ୍ରଙ୍କୁ ଆଜି ବିମାନବନ୍ଦରରେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଲଜ୍ଜିତ ହେବାକୁ ପଡ଼ିଛି । ଅନ୍ୟ ନେତାମାନଙ୍କ ସହ ବହୁ ଉତ୍ସାହରେ ବିଜୟ ଫୁଲତୋଡ଼ା ଧରି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଛିଡ଼ା ହୋଇଥିଲେ । ମୋଦି ସମସ୍ତଙ୍କଠାରୁ ଫୁଲତୋଡ଼ା ଗ୍ରହଣ କରି କରମର୍ଦ୍ଦନ କରିଥିଲେ । ଅନେକ ନେତାଙ୍କ ସହ କଥା ବି ହୋଇଥିଲେ । ମାତ୍ର ବିଜୟଙ୍କ ପାଳି ଆସିଲା ବେଳକୁ ପ୍ରଧାନମନ୍ତ୍ରୀ ବିଷର୍ଣ୍ଣ ହୋଇଯାଇଥିଲେ । ବିଜୟ ତାଙ୍କୁ ଫୁଲତୋଡ଼ା ବଢ଼ାଇଲା ବେଳକୁ ମୋଦି ନାକ ଟେକି ଦେଇଥିଲେ । ଏପରିକି ଫୁଲତୋଡ଼ାଟିକୁ ମଧ୍ୟ ଗ୍ରହଣ କରି ନ ଥିଲେ । ବିଚାରା ବିଜୟ ମହାପାତ୍ର ଅତ୍ୟନ୍ତ ଅପମାନିତ ହୋଇ ଲାଲ ପଡ଼ିଯାଇଥିଲେ । ବନ୍ଧୁ ଦିଲ୍ଲୀପ ରାୟଙ୍କ ସହ ମୋଦି ହାତମିଳାଇ ଖସଗୁସିରେ ଗପୁଥିଲା ବେଳେ ପାଖରେ ଛିଡା ହୋଇଥିବା ବିଜୟଙ୍କ ପ୍ରତି ଏଭଳି ବ୍ୟବହାର ସେଠାରେ ଅନ୍ୟ ବରିଷ୍ଠ ନେତାଙ୍କୁ ମଧ୍ୟ ଚକିତ୍ କରିଥିଲା । ବିମାନବନ୍ଦରରେ ବିଜୟଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଏଭଳି ଆଚରଣରୁ ଦଳ ପାଇଁ ସେ ଯେ ସମ୍ପୂର୍ଣ୍ଣ ଅଲୋଡା ତାହା ପ୍ରମାଣିତ ହୋଇଯାଇଛି ।
ଉଲ୍ଲେଖଯୋଗ୍ୟ, ଆଜିଠାରୁ ଆରମ୍ଭ ହୋଇଥିବା ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଯୋଗଦେବା ପାଇଁ ଆଜି ଅପରାହ୍ନ ୩.୩୦ ମିନିଟ୍ ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ତାଙ୍କୁ ସେଠାରେ ଅଭୂତପୂର୍ବ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିମାନବନ୍ଦରରୁ ରାଜଭବନ ଯାଏଁ ରାସ୍ତାରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ଲୋକଙ୍କର ନାହିଁ ନ ଥିବା ଭିଡ଼ ହୋଇଥିଲା । ଗତକାଲି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଆସିବା ବେଳେ ମଧ୍ୟ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିମାନମନ୍ଦରରେ ଦଳର ସବୁ ନେତା ଉପସ୍ଥିତ ଥିଲେ । ମାତ୍ର ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ନ ଥିଲେ । ଏପରିକି ଅମିତ୍ ଶାହାଙ୍କ ଅନ୍ୟ ଦଳୀୟ କାର୍ଯ୍ୟକ୍ରମରେ ଦୁହିଁଙ୍କୁ ଦେଖିବାକୁ ମିଳି ନ ଥିଲା । ଦଳର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ପାଇଁ ପ୍ରସ୍ତୁତି ଦିନରୁ ହିଁ ସେମାନଙ୍କୁ ପାର୍ଟି ଅଫିସରେ ଦେଖିବାକୁ ମିଳିନାହିଁ । ସେମାନେ ଆସିନାହାନ୍ତି କି ଦଳ ସେମାନଙ୍କୁ ଖୋଜି ନାହିଁ ।