ଭୁବନେଶ୍ୱର: ବିଜୁ ଜନତା ଦଳରେ ଅମରେଶ ପତ୍ରୀ ଯୁବ ସଭାପତି ଓ ରାଣା ପ୍ରତାପ ପାତ୍ର ଛାତ୍ର ସଭାପତି ହେଲା ପରେ ଦଳର ଯୁବ ଓ ଛାତ୍ର ମହଲରେ ନୈରାଶ୍ୟ ଖେଳିଯାଇଛି । ଦୁଇ ଛାମୁଆ ସଂଗଠନକୁ ଏହା ଅଧିକ କ୍ରିୟାଶୀଳ କରିବା ପରିବର୍ତ୍ତେ ଡୁବାଇ ଦେବ ବୋଲି ଅଧିକାଂଶ ନେତା ମତ ଦେଇଛନ୍ତି । ଅସନ୍ତୋଷ ଏମିତି ହୋଇଛି ଯେ ଚିନ୍ମୟ(ଚିନୁ) ସାହୁ ଓ ତାଙ୍କ ଗୋଷ୍ଠୀ ବିଜେପିରେ ମିଶିବାକୁ କଥାବାର୍ତ୍ତା ଆରମ୍ଭ କରିଥିବା ସୂଚନା ମିଳିଛି । ଖୋଦ୍ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ ଭୁବନେଶ୍ୱରର ଦୁଇ ବିଧାୟକ ବାଦଲ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ର ଏହି ନିଯୁକ୍ତିରେ ପ୍ରବଳ କ୍ଷୁବ୍ଧ ହୋଇଛନ୍ତି । ଦଳର ଦୁଇ ଗୁରୁତ୍ୱପୂର୍ଣ୍ଣ ଛାମୁଆ ସଂଗଠନକୁ ମନ୍ତ୍ରୀ ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା ନିଜ ନିଜ ମଧ୍ୟରେ ବାଣ୍ଟି ଏକପାଖିଆ କବଜା କରିନେଇଥିବା ଅଭିଯୋଗ ହୋଇଛି ।
ଦୀର୍ଘ ବର୍ଷ ଧରି ଯୁବ ବିଜେଡ଼ି ସଭାପତି ରହିଥିବା ସଞ୍ଜୟ ଦାସବର୍ମା ନିଜର ଜଣେ ସମର୍ଥକଙ୍କୁ ତାଙ୍କ ପଦରେ ଥଇଥାନ କରିବାକୁ ଚାହିଁଥିଲେ । ଖାସ୍ କରି ସଂଗଠନ ପ୍ରତି ସଚ୍ଚା ଆନୁଗତ୍ୟ ଓ ସଚ୍ଚୋଟ ଭାବମୂର୍ତ୍ତି ରଖିଥିବା ବିଜୟ ନାୟକ ସେଥିପାଇଁ ପ୍ରମୁଖ ଦାବିଦାର ଥିଲେ । ମାତ୍ର ସଞ୍ଜୟ ତାଙ୍କୁ ଲିଫ୍ଟ ଦେବାକୁ ସକ୍ଷମ ହୋଇପାରିନାହାନ୍ତି । ଶେଷରେ ଅନ୍ୟ ଯିଏ ହୁଅନ୍ତୁ ନା କାହିଁକି ହେଲେ ଅମରେଶ ପତ୍ରୀଙ୍କୁ ସଞ୍ଜୟ ଚାହୁଁ ନ ଥିଲେ । ମାତ୍ର ଅମରେଶଙ୍କ ପାଇଁ ମନ୍ତ୍ରୀ ଅରୁଣ ସାହୁ ଜିଦ୍ ଧରିଥିଲେ । ଆଉ ତାଙ୍କ ଜିଦ୍ ଆଗରେ ସଞ୍ଜୟ ମୁଣ୍ଡ ନୂଆଁଇଥିଲେ । ବଦଳରେ ସଞ୍ଜୟଙ୍କ ସମର୍ଥକ ରାଣା ପ୍ରତାପଙ୍କୁ ଛାତ୍ର ସଭାପତି ଭାବେ ଥଇଥାନ କରିବାକୁ ବୁଝାମଣା ହୋଇଥିଲା । ସୁତରାଂ ଅରୁଣ ଯୁବ ବିଜେଡ଼ି ଡୋରି ନିଜ ହାତକୁ ଆଣିଥିବା ବେଳେ ସଞ୍ଜୟଙ୍କ ହାତରେ ଛାତ୍ର ଡୋରି ଧରାଇ ଦିଆଯାଇଛି ।
ଛାତ୍ର ବିଜେଡ଼ି ସଭାପତି ପାଇଁ ପ୍ରମୁଖ ଦାବିଦାର ଚିନ୍ମୟ(ଚିନୁ) ସାହୁଙ୍କ ପାଇଁ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଅଣ୍ଟା ଭିଡ଼ିଥିଲେ । ମାତ୍ର ତାହା ତ ହେଲାନି, ଶେଷରେ ତାଙ୍କୁ ଏ ସମ୍ପର୍କରେ ପଚରା ବି ଗଲା ନାହିଁ ବୋଲି ତାଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି । ସେଭଳି ଅମରେଶଙ୍କ ନିଯୁକ୍ତିରେ ବିଧାୟକ ବାଦଲ ମହାନ୍ତି ଶକ୍ତ ଆଘାତ ପାଇଛନ୍ତି । କାରଣ ବାଦଲଙ୍କ ଅନୁଗତ ବରିଷ୍ଠ ବାବୁ ସିଂ ଏବେ ବହୁ କନିଷ୍ଠ ଅମରେଶଙ୍କ ଅଧିନରେ କାର୍ଯ୍ୟ କରିବେ । ବାବୁ ଏବେ ଭୁବନେଶ୍ୱର ଯୁବ ବିଜେଡ଼ି ସଭାପତି ଥିଲା ବେଳେ ଅମରେଶ ରାଜ୍ୟ ସଭାପତି । ଖାଲି ସେତିକି ନୁହେଁ, ଛାତ୍ର ବିଜେଡ଼ିର ନବନିଯୁକ୍ତ ସଭାପତି ରାଣା ପ୍ରତାପ ହେଉଛନ୍ତି ବାଦଲଙ୍କ ବିଜେପି ପ୍ରତିଦ୍ୱନ୍ଦୀ ଜଗନ୍ନାଥ ପ୍ରଧାନଙ୍କ ଭଣଜା । ଅତୀତରେ ମାମୁଁଙ୍କ ବିଭିନ୍ନ ଦଳୀୟ ରାଲି ପାଇଁ ପ୍ରଚ୍ଛଦପଟରେ ରାଣାପ୍ରତାପ ଥିଲେ ଲୋକ ଯୋଗାଡିଆ । ଏବେ ସେହି ରାଣାଙ୍କ ନେତୃତ୍ୱରେ ଛାତ୍ର ବିଜେଡ଼ି କିଭଳି ଶକ୍ତିଶାଳୀ ହେବ ତାହା ବାଦଲଙ୍କ ଶିବିରକୁ ବିବ୍ରତ କରିଛି । ମନ୍ତ୍ରୀ ଅଶୋକ ପଣ୍ଡାଙ୍କ କ୍ଷେତ୍ରରେ ବି ସମାନ ଅବସ୍ଥା । ତାଙ୍କର ଖାସ୍ ଅନୁଗତ ସନ୍ତୋଷ ବେଜ୍ ଯୁବ ସଭାପତି ପାଇଁ ପ୍ରମୁଖ ଦାବିଦାର ଥିଲେ ମଧ୍ୟ ତାଙ୍କୁ ପଚରାଯାଇନି । ତେଣୁ ଅଶୋକ ଏଥିରେ ପ୍ରବଳ ଉତକ୍ଷିପ୍ତ ।
ଅରୁଣ ଓ ସଞ୍ଜୟ ଯୋଡି ନିଜ ମର୍ଜିରେ ସଂଗଠନ ରୂପରେଖ ବଦଳାଇବା ସହ ନଖ ଘଷି କଳି କଲାଭଳି କ୍ଷେତ୍ର ସଜାଡ଼ି ଦେଇଛନ୍ତି । ଅସନ୍ତୁଷ୍ଟ ଚିନୁ ସାହୁଙ୍କୁ ଛାତ୍ର ବିଜେଡ଼ିର ଉପଦେଷ୍ଟା ଥୋପ ଦେଇଛନ୍ତି । ଏହା ଚିନୁଙ୍କ ସମର୍ଥକଙ୍କୁ ଚିମୁଟିଲା ଭଳି ହେବା ସହ ସଂଗଠନ ପାଇଁ ବୁମେରାଂ ହୋଇଛି । ଖାଲି ସେତିକି ନୁହେଁ କାର୍ଯ୍ୟକାରୀ ସଭାପତି ଓ ମହାସଚିବ ପଦ ସୃଷ୍ଟି କରାଯାଇ ସଂଗଠନକୁ ଅଧିକ ଗୋଳମାଳିଆ କରାଯାଇଛି । ଛାତ୍ର ସଂଗଠନ ତାଳରେ ଆଖି ମାରିଲା ଭଳି ଯୁବ ସଂଗଠନରେ ବି ଅନୁରୂପ ପଦବୀ ସୃଷ୍ଟି କରାଯାଇଛି । ଏକ ଉପଦେଷ୍ଟା ମଣ୍ଡଳୀ କରାଯାଇ ୪ ବିଧାୟକଙ୍କୁ ରଖାଯାଇଛି । ଅରୁଣ ସାହୁଙ୍କ ସମର୍ଥକଭାବେ ଜଣାଶୁଣା ସେମାନେ ହେଉଛନ୍ତି ବ୍ୟୋମକେଶ(ବାପି) ରାୟ, ପ୍ରଣବ(ଜିତୁ) ବଳବନ୍ତରାୟ, ଅନୁଭବ ପଟ୍ଟନାୟକ ଏବଂ ମାନସ ମାଡ଼କାମୀ । ଛାତ୍ର ବିଜେଡ଼ିର ସଭାପତିରୁ ଯୁବ ବିଜେଡ଼ି ଉପଦେଷ୍ଟାମଣ୍ଡଳୀକୁ ଯାଇଥିବା ବାପି ରାୟ ଇତିମଧ୍ୟରେ ନିଜର ଭାବମୂର୍ତ୍ତି ହରାଇ ଦେଇଛନ୍ତି । ଯାବତୀୟ କଳଙ୍କ ଲାଗିଛି ତାଙ୍କ ପଛରେ । ସେହିଭଳି ଜିତୁ ବଳବନ୍ତରାୟଙ୍କ ପଛରେ ବଦନାମ କମ୍ ନାହିଁ । ବାପା କଳ୍ପତରୁ ଦାସଙ୍କ ଆର୍ଶିବାଦରେ ବ୍ୟବସାୟରୁ ସିଧାସଳଖ ବିଧାୟକ ବନିଥିବା ଜିତୁଙ୍କର ଯୁବ ସଂଗଠନ ବ୍ୟାପାରରେ ଆଦୌ ଅଭିଜ୍ଞତା ନାହିଁ । ସେହିଭଳି ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ ଓ ମାଲକାନଗିରି ବିଧାୟକ ମାନସ ମାଡ଼କାମୀ ଯୁବ ସଂଗଠନର “ଅ’ ଅକ୍ଷର ବିବର୍ଜିତ । ମାତ୍ର ଅରୁଣ ସାହୁଙ୍କ ମର୍ଜିରେ ଏହି ୪ ଯୁବ ବିଧାୟକ ଓଡ଼ିଶା ଯୁବ ବିଜେଡ଼ିକୁ ମାର୍ଗଦର୍ଶନ ଦେବେ । ଏଥିରେ ସଂଗଠନ କେମିତି ଉଧେଇବ ତାହା ମା ଗଙ୍ଗେଇ ଜାଣନ୍ତି ବୋଲି ଦଳର ଅନେକ ଯୁବ ବିଜେଡ଼ି ନେତା ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ସବୁଠାରୁ ବଡ଼କଥା ହେଉଛି, ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ଛାତ୍ର ଓ ଯୁବ ଶକ୍ତିକୁ ଅଧିକ ଗୁରୁତ୍ୱ ଦେଉଥିଲା ବେଳେ ଏସବୁ ଦିଗକୁ କିଭଳି ଭୁଲିଗଲେ ତାହାକୁ ଅନେକ ପ୍ରଶ୍ନ କରିଛନ୍ତି । କେଉଁ ଦୃଷ୍ଟିକୋଣରୁ ସେ ଅରୁଣ ଓ ସଞ୍ଜୟଙ୍କ ହାତରେ ଲଗାମ୍ ଛାଡ଼ିଦେଲେ ତାହା ସେମାନଙ୍କୁ ବିଚଳିତ କରିଛି । ଆଗକୁ ଦଳ ପାଇଁ ଏହା ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।