ଭୁବନେଶ୍ୱର: ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ବେଳକୁ ଜୁଏଲ୍ ଓରାମ୍ ଭଲ ବାଣଟେ ଛାଡ଼ିଥିଲେ । ଦଳରେ ମୁଖ୍ୟମନ୍ତ୍ରୀ ପାଇଁ ୫ ରୁ ୭ ଜଣ ଯୋଗ୍ୟ ନେତା ଅଛନ୍ତି ବୋଲି ସେ କହିଥିଲେ । ଜୁଏଲ୍ ଙ୍କ ଏହି ଗୁଗୁଲି ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ କେତେଦୂର ଉଦ୍ଦିଷ୍ଟ ତାହା ଆମେ ଜାଣୁନା । ହେଲେ ଧର୍ମେନ୍ଦ୍ରଙ୍କୁ ଏହା ଶକ୍ତ ଚାପୁଡା ମାରିଲା ଭଳି ହୋଇଛି । ଅମିତ୍ ଶାହାଙ୍କୁ ହାତେଇ ନିଜକୁ ଓଡ଼ିଶା ବିଜେପିର ସର୍ବେସର୍ବା ଭାବୁଥିବା ଧର୍ମେନ୍ଦ୍ର ଏଥିରେ ପ୍ରତିହିଂସା ପରାୟଣ ହୋଇ ଉଠିଥିବା ଖୋଦ୍ ତାଙ୍କ ଦଳ ଭିତରେ ଆଲୋଚନା ହେଉଛି ।
କାର୍ଯ୍ୟକାରିଣୀ ବୈଠକ ଜାଗାରେ ଜୁଏଲ୍ ତାଙ୍କ ବ୍ୟକ୍ତିଗତ ସହାୟକ ସିଦ୍ଧାର୍ଥ ମହାପାତ୍ରଙ୍କୁ ଚାପୁଡ଼ା ମାରିଥିବା ଖବରଟିର ପ୍ରସାରଣ ଏହାର ନଗଦ ପ୍ରତିଫଳନ ବୋଲି କୁହାଯାଉଛି । ଜୁଏଲ୍ ଙ୍କ ତଥାକଥିତ ଚାପଡ଼ାମରା ଘଟଣାଟି ଲୋକଲୋଚନକୁ ଆସିବା ପଛରେ କୁଆଡେ ଧର୍ମେନ୍ଦ୍ର କ୍ୟାମ୍ପ୍ ର ହାତ ଅଛି । ସେଥିରେ ଜୁଏଲ୍ ଙ୍କୁ ସର୍ବସାଧାରଣରେ ନିନ୍ଦିତ କରିବାକୁ ଉଦ୍ୟମ ହୋଇଥିବା ତାଙ୍କ ସମର୍ଥକମାନେ କହୁଛନ୍ତି ।
ଜାତୀୟ କାର୍ଯ୍ୟକାରିଣୀ ଅବସରରେ ଭାବୀ ମୁଖ୍ୟମନ୍ତ୍ରୀ ଚେହେରାମାନଙ୍କୁ ହୀନସ୍ତା କରିବାର କୌଣସି ସୁଯୋଗକୁ ଧର୍ମେନ୍ଦ୍ର ହାତଛଡ଼ା କରିନାହାନ୍ତି । ବିମାନବନ୍ଦରରେ ବିଜୟ ମହାପାତ୍ରଙ୍କଠାରୁ ପ୍ରଧାନମନ୍ତ୍ରୀ ଫୁଲତୋଡ଼ା ଗ୍ରହଣ ନ କରିବା ପଛରେ ଧର୍ମେନ୍ଦ୍ର ଖେଳ ରହିଥିବା କୁହାଯାଉଛି । ଖାଲି ସେତିକି ନୁହେଁ, ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କାନ୍ଧ ଥାପୁରାଇବା ଏବଂ ଅମିତ୍ ଶାହା ଟୁପୁରୁ ଟାପୁର ହେବା ଧର୍ମେନ୍ଦ୍ରଙ୍କୁ ଭଲ ଲାଗି ନ ଥିଲା । ପରବର୍ତ୍ତୀ ସମୟରେ ଦୁହିଁଙ୍କଠାରୁ ପ୍ରତାପଙ୍କୁ ଯଥାସମ୍ଭବ ଦୂରେଇ ରଖିବାରେ ଧର୍ମେନ୍ଦ୍ର ସଫଳ ହୋଇଥିଲେ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି ।
ମୁଖ୍ୟମନ୍ତ୍ରୀ ନିଶାରେ ବିଭୋର ଧର୍ମେନ୍ଦ୍ର ତାଙ୍କ ସ୍ୱପ୍ନର ଚଉକିରେ ନିଜ ଛାଇକୁ ଦେଖିଲେ ବି କୁଆଡେ ଡରୁଛନ୍ତି । ଦିଲ୍ଲୀପ ରାୟ ତାଙ୍କ ପାଇଁ ଏଭଳି ଛାଇର କୁହେଳିକା ହୋଇଥିବାରୁ ଦିଲ୍ଲୀପ ଦମନ ଅଭିଯାନ ଜୋର୍ ଧରିଥିବା କୁହାଗଲାଣି । ୧୯ ବର୍ଷ ତଳର ଫାଇଲ୍ ଖେଳାଇ ସିବିଆଇ ତାଙ୍କୁ ଯେଭଳି ଘେରିଛି ସେଥିରେ ଧର୍ମେନ୍ଦ୍ରଙ୍କ ଇସାରା ରହିଥିବା ଚର୍ଚ୍ଚା ହେଉଛି । ଏନଡିଏ ସରକାରରେ ଦିଲ୍ଲୀପ କେନ୍ଦ୍ରରେ କୋଇଲା ମନ୍ତ୍ରୀ ଥିବା ବେଳେ ଝାଡ଼ଖଣ୍ଡର ବ୍ରାହ୍ମଡ଼ିହ କୋଲ୍ ବ୍ଲକ୍ କୁ କାଷ୍ଟ୍ରନ୍ ଟେକନୋଲୋଜି ନାମକ ଘରୋଇ ସଂସ୍ଥାକୁ ଦିଆଯାଇଥିଲା । ସେଥିରେ ଦୁର୍ନୀତି ଓ ବେଆଇନ କାରବାର ହୋଇଥିବା ଅଭିଯୋଗରେ ଦିଲ୍ଲୀପ ଟଣା ହୋଇଛନ୍ତି । ଏହି ମାମଲାରେ ସିବିଆଇ କୋର୍ଟ ଦିଲ୍ଲୀପଙ୍କ ବିରୋଧରେ ଚାର୍ଜଫ୍ରେମ୍ କରିବ ବୋଲି ଆଜି ଖବର ଆସିଛି । ଅର୍ଥାତ୍ ଦିଲ୍ଲୀପଙ୍କ ରାଜନୈତିକ ଭବିଷ୍ୟତ ଉପରେ ଏହା ଯେ ବଡ଼ ହମଲା ତାହା କାହାରିକୁ ଅଛପା ନୁହେଁ । ଏଥିସହ ଧର୍ମେନ୍ଦ୍ରଙ୍କ ଭୂମିକାକୁ ନେଇ ବିଜେପି ଶିବିରରେ ଲାଗିରହିଛି ଜୋରଦାର ଚର୍ଚ୍ଚା ।