ଭୁବନେଶ୍ୱର: ଢ଼େଙ୍କାନାଳର ବଳରାମପୁରରେ ବିୟର ଫ୍ୟାକ୍ଟ୍ରି ପାଇଁ ଗଛକଟା ସାରା ରାଜ୍ୟରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି କଲା । ବିଧାନସଭାରେ କଂଗ୍ରେସ ପକ୍ଷରୁ ଆଜି ଏହା ଉପରେ ଆଲୋଚନା ପାଇଁ ମୁଲତବୀ ନୋଟିସ୍ ଦିଆଗଲା । ବାଚସ୍ପତି ଏହାକୁ ଗ୍ରହଣ ମଧ୍ୟ କଲେ । ମାତ୍ର ଆଲୋଚନା ହୋଇପାରିଲାନି । ବିଧାନସଭା ଆରମ୍ଭରୁ ଶାସକ ଦଳର ସଭ୍ୟମାନେ କେଁ ପୂରାଇଦେଲେ । ସେମାନଙ୍କ ଚାଲ୍ ନ ବୁଝି ବିରୋଧୀ ଦଳର ସଭ୍ୟମାନେ ତାଙ୍କ ଏଜେଣ୍ଡାରେ ମାତିଲେ । ଫଳ ଏୟା ହେଲା କି ବିଧାନସଭା ଚାଲିପାରିଲା ନାହିଁ । ବାଚସ୍ପତି ପ୍ରଦୀପ ଅମାତ୍ ଗୃହକୁ ସିଧା ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କରିଦେଲେ । ମୁଲତବୀ ଆଲୋଚନା ପାଇଁ ସୁଯୋଗ ରଖିଲେନି ।
ବିଧାନସଭାରେ ଗଛକଟା ଆଲୋଚନା ନ ହେଉ । ଆଲୋଚନା ହେଲେ ସରକାର ଅକଳରେ ପଡ଼ିବେ । ସମ୍ଭବତଃ ଏହାକୁ ଦୃଷ୍ଟିରେ ରଖି ବିଧାନସଭା ବନ୍ଦ କରିବାକୁ ଶାସକ ଶିବିର ଆଡୁ ସୁଚିନ୍ତିତ ଯୋଜନା କରାଯାଇଥିଲା । ବାଚସ୍ପତି ଯେଉଁ ଢ଼ଙ୍ଗରେ ଗୃହ କାର୍ଯ୍ୟ ପରିଚାଳନା କଲେ ତାହା ଶାସକ ଦଳର ଯୋଜନାକୁ ସାକାର କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ବିରୋଧୀ ଶିବିରରୁ କୁହାଯାଇଛି । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ କହିବାନୁଯାୟୀ, ମୁଲତବୀ ଆଲୋଚନା ପାଇଁ ପର୍ଯ୍ୟାପ୍ତ ସମୟ ଓ ସୁଯୋଗ ଥିଲା । ମାତ୍ର ବାଚସ୍ପତି ସିଧାସଳଖ ୩ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରି ସମୟ ଓ ସୁଯୋଗ ଛଡ଼ାଇନେଲେ । ଗଛକଟା ପ୍ରସଙ୍ଗରେ ଭୟଭୀତ ହୋଇ ସରକାର ଆଲୋଚନା କରାଇ ଦେଲେନି ।
ବିରୋଧୀ ଦଳର ଏହି ଅଭିଯୋଗକୁ ଶାସକ ଦଳର ସଭ୍ୟମାନେ ଖଣ୍ଡନ କରିଥିଲେ ମଧ୍ୟ ତାହା ଡ୍ରାମାବାଜି ବୋଲି କୁହାଯାଉଛି । ଯେଉଁ ବିୟର୍ ଫ୍ୟାକ୍ଟ୍ରି ପାଇଁ ଏତେ ନାଟ ମୁଖ୍ୟମନ୍ତ୍ରୀ ତାହାକୁ ବାତିଲ କରି କଠୋର କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ତାଙ୍କ ବିଧାୟକମାନେ ଗଛକଟା ଆଲୋଚନାକୁ ସାମନା କରିବାର ଦମ୍ଭ ହରାଇବାକୁ ଅନେକ ପ୍ରଶ୍ନ କରିଛନ୍ତି । ଗଛକଟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କ ଆଭିମୁଖ୍ୟ ଗତକାଲିଠାରୁ ସ୍ପଷ୍ଟ କରିସାରିଥିବା ବେଳେ ତାଙ୍କ ଦଳର ବିଧାୟକମାନେ ବିଧାନସଭାରେ ଏହାକୁ ସାମନା କରିବାକୁ ଅରାଜି କାହିଁକି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ପ୍ରଶ୍ନ ହୋଇଛି । ଶାସକ ଦଳର ଏଜେଣ୍ଡାକୁ ସାକାର କରିବା ପାଇଁ ବାଚସ୍ପତିଙ୍କ ଭୂମିକାକୁ ମଧ୍ୟ ଅନେକ ଅଙ୍ଗୁଳି ଉଠାଇଛନ୍ତି ।
ସୂଚନାଯୋଗ୍ୟ, ଆଜି ବିଧାନସଭା ଆରମ୍ଭରୁ ଶାସକ ଦଳର ବିଧାୟକମାନେ ଏସସି/ଏସଟି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ହ୍ରାସ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ସେପଟେ ସଚିବାଳୟରେ ସିବିଆଇ ପଶିଯାଇଛନ୍ତି ବୋଲି ଖବରକାଗଜ ରିପୋର୍ଟକୁ ଧରି କଂଗ୍ରେସ ସଭ୍ୟମାନେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ଉଭୟ ପକ୍ଷର ହୋହଲ୍ଲା ଭିତରେ ବାଚସ୍ପତି ଦିନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଫଳରେ ମୁଲତବୀ ଆଲୋଚନା ହୋଇପାରିଲାନି ।
ବିୟର ଫ୍ୟାକ୍ଟ୍ରି ପାଇଁ ଗଛକଟା ପ୍ରସଙ୍ଗଟି ବେଶ୍ ସ୍ପର୍ଶକାତର ପ୍ରସଙ୍ଗ । ସରକାରଙ୍କୁ ଏହା ଅକଳରେ ପକାଇ ସାରିଛି । ଢ଼େଙ୍କାନାଳ ଜିଲ୍ଲା ପ୍ରଶାସନର ଏତାଦୃଶ କାର୍ଯ୍ୟ ଉପରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୁବ୍ଧ ହୋଇଛନ୍ତି । ଗଛକଟା ତୁରନ୍ତ ବନ୍ଦ ପାଇଁ ଗତକାଲି ସେ ନିର୍ଦ୍ଦେଶ ଦେଇଥିଲା ବେଳେ ପ୍ରସ୍ତାବିତ ବିୟର୍ ଫ୍ୟାକ୍ଟ୍ରି କୁ ଆଜି ବାତିଲ କରିଦେଇଛନ୍ତି ।