ଭୁବନେଶ୍ୱର: ଢ଼େଙ୍କାନାଳର ବଳରାମପୁରରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରିକୁ ବାତିଲ କରିଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତିଲ ନିର୍ଦ୍ଦେଶ ଦେଇଛନ୍ତି । ଆରଡିସିଙ୍କ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବିୟର୍ ଫ୍ୟାକ୍ଟ୍ରି ପାଇଁ ବ୍ୟାପକ ଗଛକଟା ଯାଉଥିବା ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିଲା ପରେ ସେ କ୍ଷୁବ୍ଧ ହୋଇପଡ଼ିଥିଲେ । ଗତକାଲି ଗଛକଟା ବନ୍ଦ ନିର୍ଦ୍ଦେଶ ଦେବା ସହ ଆରଡିସି ଏହାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ କହିଥିଲେ । ଆଜି ଆରଡିସିଙ୍କ ଚୂଡ଼ାନ୍ତ ରିପୋର୍ଟ ଆସିଲା ପରେ ମୁଖ୍ୟମନ୍ତ୍ରୀ ପ୍ରସ୍ତାବିତ ବିୟର୍ ଫ୍ୟାକ୍ଟ୍ରିକୁ ବାତିଲ କରିଛନ୍ତି ।
ବଳରାମପୁରରେ ବିୟର୍ ଫ୍ୟାକ୍ଟ୍ରି ପାଇଁ ଗତ ଶନିବାର ଦିନ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଝିଙ୍ଗରଗଡ଼ି ଜଙ୍ଗଲରୁ ମନଇଚ୍ଛା ଗଛ କଟାଯାଇଥିଲା । ଏହାକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିବାରୁ ପୁଲିସ ସେମାନଙ୍କୁ ପ୍ରତିରୋଧ କରିଥିଲା । ଫଳରେ ଗ୍ରାମବାସୀ ଓ ପୁଲିସ ମୁହାଁମୁହିଁ ହୋଇଥିଲେ । ଘଟଣାଟି ସମଗ୍ର ରାଜ୍ୟରେ ତମ୍ବିତୋଫାନ ସୃଷ୍ଟି କରିଥିଲା । ପରିସ୍ଥିତିର ଗମ୍ଭୀରତାକୁ ଦେଖି ମୁଖ୍ୟମନ୍ତ୍ରୀ ନିଜେ ସେଥିରେ ହସ୍ତକ୍ଷେପ କରିଥିଲେ ଓ ଗଛକଟାକୁ ବନ୍ଦ କରିଥିଲେ । ଆରଡିସିଙ୍କ ତଦନ୍ତ ରିପୋର୍ଟରେ ଗଛକଟା ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରିଥିବା କୁହାଯାଉଛି । କୁଆଡ଼େ ଜିଲ୍ଲାପାଳ ସେଥିପାଇଁ ମାତ୍ରାଧିକ ଆଗ୍ରହ ପ୍ରକାଶ କରିଥିଲେ । ତେବେ କାହା ଚାପରେ ଜିଲ୍ଲାପାଳ ଏଭଳି କରିଥିଲେ ତାହା ସ୍ପଷ୍ଟ ଜଣାପଡ଼ିନାହିଁ ।