ଭୁବନେଶ୍ୱର: ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ଆଜି ବିଧାନସଭାରେ ଆସିଛି ସଂକଳ୍ପ । ୧୦୪ ସଭ୍ୟଙ୍କ ସମର୍ଥନ ପାଇ ଏହା ଗୃହରେ ପାରିତ ହୋଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସଂକଳ୍ପକୁ ଗୃହରେ ଆଗତ କରିଥିଲେ । ବିଧାନ ପରିଷଦ ଗଠନର ଉଦ୍ଦେଶ୍ୟ ଓ ତାହାର ସଂପୂର୍ଣ୍ଣ ରୂପରେଖ ଏହି ସଂକଳ୍ପରେ ଉପସ୍ଥାପନ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ।
ଉଦ୍ଦେଶ୍ୟ/ଆବଶ୍ୟକତା: ରାଜ୍ୟର କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକର ଅଧିକ ଶାଣିତ ଆଲୋଚନା ଏବଂ ସୁଶାସନ ଓ ଜନକଲ୍ୟାଣ ପାଇଁ ବିଧାନ ପରିଷଦ ଗଠନର ଆବଶ୍ୟକତା ରହିଛି । ଏହାଦ୍ୱାରା ରାଜ୍ୟ ସମ୍ବଳିତ ଅନେକ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା ହୋଇପାରିବ ଏବଂ ଏହା ରାଜ୍ୟ ପାଇଁ ଅଧିକରୁ ଅଧିକ ଫଳପ୍ରଦ ହୋଇପାରିବ । ଏହା ଛଡ଼ା ବିଧାନ ପରିଷଦ ସ୍ତରରେ ବିଧାନସଭାରେ ପାରିତ ବିଲ୍ ଗୁଡ଼ିକୁ ଅଧିକ ତର୍ଜମା କରାଯାଇ ପାରିବ ଓ ଆବଶ୍ୟକ ଯାଞ୍ଚ ମଧ୍ୟ ହୋଇପାରିବ । ବିଧାନ ପରିଷଦ ଗଠନ ହେବା ଦ୍ୱାରା ଆଇନ ପ୍ରଣୟନ ବ୍ୟବସ୍ଥା ସମୃଦ୍ଧ ହେବା ସହିତ ଶାସନ ବ୍ୟବସ୍ଥା ଅଧିକ କ୍ରିୟାଶୀଳ ହୋଇପାରିବ । ବିଧେୟକରେ ତ୍ରୁଟି ବିଚ୍ୟୁତିର ମଧ୍ୟ ସଂଶୋଧନ ହୋଇପାରିବ । ଅନେକ ଗୁଡ଼ିଏ ବିଷୟରେ ଉଭୟ ସରକାର ଓ ସାଧାରଣ ଜନତାଙ୍କ ଦୃଷ୍ଟି ଆକର୍ଷଣ କରାଯାଇପାରିବ ।
ଆକାର: ଭାରତ ସମ୍ବିଧାନର ଅନୁଚ୍ଛେଦ ୧୭୧ ଅନୁଯାୟୀ, ବିଧାନ ପରିଷଦର ମୋଟ ସଭ୍ୟ ସଂଖ୍ୟା ସର୍ବନିମ୍ନ ୪୦ ଏବଂ ସର୍ବାଧିକ ସଂପୃକ୍ତ ରାଜ୍ୟର ବିଧାନସଭାର ସମୁଦାୟ ସଭ୍ୟ ସଂଖ୍ୟାର ଏକ ତୃତୀୟାଂଶରେ ସୀମିତ ହେବା ଆବଶ୍ୟକ । ଏହି ହିସାବରେ ଓଡ଼ିଶାରେ ବିଧାନ ପରିଷଦ ଗଠନ ହେଲେ, ଏହାର ସମୁଦାୟ ସଭ୍ୟ ସଂଖ୍ୟା ୪୯ ହେବ । ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ତଥା ୧୬ ଜଣ ସଭ୍ୟ ବିଧାନସଭାର ସଦସ୍ୟ(ବିଧାୟକ)ଙ୍କ ଦ୍ୱାରା ନିର୍ବାଚିତ ହେବେ । ଆଉ ଏକ ତୃତୀୟାଂଶ ତଥା ୧୬ ଜଣ ସଦସ୍ୟ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ସମସ୍ତ ସହରାଞ୍ଚଳର ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କ ଦ୍ୱାରା ନିର୍ବାଚିତ ହେବେ । ଏକ ଦ୍ୱାଦଂଶ ତଥା ୪ ଜଣ ସଦସ୍ୟ ରାଜ୍ୟରେ ୩ ବର୍ଷରୁ ଉଦ୍ଧ୍ୱର୍ ଅଭିଜ୍ଞତା ଥିବା ସ୍ନାତକମାନଙ୍କୁ ନେଇ ଏକ ଇଲେକ୍ଟ୍ରୋରାଲ୍ କଲେଜ ମାଧ୍ୟମରେ ନିର୍ବାଚିତ ହେବେ । ଆଉ ଏକ ଦ୍ୱାଦଂଶ ତଥା ୪ ଜଣ ସଦସ୍ୟ ମାଧ୍ୟମିକ ତଦୁର୍ଦ୍ଧ ବିଦ୍ୟାଳୟରେ ୩ ବର୍ଷରୁ ଉଦ୍ଧ୍ୱର୍ ଅଭିଜ୍ଞତା ଥିବା ଶିକ୍ଷକମାନଙ୍କୁ ନେଇ ଗଠିତ ଏକ ଇଲେକ୍ଟ୍ରୋରାଲ୍ କଲେଜ ମାଧ୍ୟମରେ ନିର୍ବାଚିତ ହେବେ । ଅବଶିଷ୍ଟ ୯ ଜଣ ସଭ୍ୟ ସାହିତ୍ୟ, ବିଜ୍ଞାନ, କଳା, ସମବାୟ ଓ ସାମାଜିକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଏବଂ କାର୍ଯ୍ୟରତ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହେବେ ।
ଅନ୍ୟାନ୍ୟ: ବିଧାନ ପରିଷଦ ଏକ ସ୍ଥାୟୀ ଗୃହ ହିସାବରେ କାର୍ଯ୍ୟ କରିବ ଯାହାର ଏକ ତୃତୀୟାଂଶ ସଭ୍ୟ ପ୍ରତି ୨ ବର୍ଷରେ ଅବସର ନେବେ । ବର୍ତ୍ତମାନ ପାଇଁ ଭୁବନେଶ୍ୱରସ୍ଥିତ ସର୍ଦ୍ଦାର ପଟେଲ ହଲ(ପୁରୁଣା ବିଧାନ ସୌଧ) ରେ ବିଧାନ ପରିଷଦ କାର୍ଯ୍ୟକ୍ଷମ ହୋଇପାରିବ । ଓଡ଼ିଶା ବିଧାନସଭାର ୪୦୦ ରୁ ଅଧିକ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷର ତଳ ମହଲାକୁ ଉଭୟ ଗୃହର ମିଳିତ ବୈଠକରେ ରାଜ୍ୟପାଳଙ୍କ ଅଭିଭାଷଣ ନିମନ୍ତେ ମୁଖ୍ୟ କକ୍ଷ ଭାବେ ବ୍ୟବହୃତ କରାଯାଇପାରିବ । ପ୍ରସ୍ତାବିତ ବିଧାନ ପରିଷଦ ପାଇଁ ବାର୍ଷିକ ପ୍ରାୟ ୩୫ କୋଟିର ଖର୍ଚ୍ଚ ଆକଳନ କରାଯାଇଛି ।
ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଦ୍ୱାରା ଆଗତ ଏହି ସଂକଳ୍ପ ଉପରେ ଗୃହରେ ଆଜି ସରଗରମ ଆଲୋଚନା ହୋଇଥିଲା । ବିରୋଧୀ ଦଳର ସଭ୍ୟମାନେ ରାଜ୍ୟରେ ବିଧାନ ପରିଷଦ ଗଠନକୁ ତୀବ୍ର ସମାଲୋଚନା କରିଥିଲେ । ବିଜେଡ଼ିର ଏହା ଥଇଥାନ ଯୋଜନା ବୋଲି ସେମାନେ କଟାକ୍ଷ କରିଥିଲେ । ପ୍ରତିବାଦରେ ଉଭୟ କଂଗ୍ରେସ ଓ ବିଜେପି ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ ।