– ବିଜେପିକୁ ନିଜେ ସାମନା କଲେ ନବୀନ
– କହିଲେ, ‘କୁମ୍ଭୀର କାନ୍ଦଣା ବନ୍ଦ କର, ବ୍ରାହ୍ମଣୀ ନଦୀରେ ବ୍ରିଜ୍ କର’
ଭୁବନେଶ୍ୱର: ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ନୂଆ ରୂପରେ ଦେଖିବାକୁ ମିଳିଥିଲା । ବିଜେପୁର ଜଳସେଚନ ପ୍ରକଳ୍ପ ପାଇଁ ଅତିରିକ୍ତ ବଜେଟ୍ ରେ ଅର୍ଥ ବ୍ୟବସ୍ଥା ହୋଇ ନ ଥିବା ଦର୍ଶାଇ ନାରାବାଜି କରୁଥିବା ବିଜେପି ବିଧାୟକଙ୍କୁ ଗୃହରେ ସାମନା କରିଥିଲେ ମୁଖ୍ୟମନ୍ତ୍ରୀ । ସଫା ସଫା ଜଣାଇ ଦେଇଥିଲେ ଯେ ବିଜେପି ଯେଉଁ ଅଭିଯୋଗ ଉଠାଇଛନ୍ତି ତାହା ସମ୍ପୂର୍ଣ୍ଣ ମିଛ । ବିଜେପି ବିଧାୟକମାନେ କୁମ୍ଭୀର କାନ୍ଦଣା ନ କରି ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଖାଣ୍ଟି ଓଡ଼ିଆରେ କଟାକ୍ଷ କରିଥିଲେ । ଖାଲି ସେତିକି ନୁହେଁ ଗୃହ ବାହାରେ ମୁଖ୍ୟମନ୍ତ୍ରୀ ବିଜେପି ବିଧାୟକଙ୍କ ଉଦ୍ଦେଶ୍ୟରେ ଆଉ ପଦିଏ ଓଡ଼ିଆ ଶୁଣାଇଥିଲେ । ‘ବ୍ରାହ୍ମଣୀ ନଦୀ ଉପରେ ବ୍ରିଜ୍ କର’ ବୋଲି ଆହ୍ୱାନ ଦେଇଥିଲେ ।
ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିଜେପି ବିଧାୟକମାନେ ହୋହଲ୍ଲା ଆରମ୍ଭ କରିଦେଇଥିଲେ । ଗଙ୍ଗାଧର ମେହେରଙ୍କ ନାଁରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବିଜେପୁର ଲିଫ୍ଟ ଇରିଗେସନ୍ ପ୍ରୋଜେକ୍ଟ ପାଇଁ ଅତିରିକ୍ତ ବଜେଟ୍ ରେ ଅର୍ଥ ବ୍ୟବସ୍ଥା ହୋଇନଥିବା ଦର୍ଶାଇ ସେମାନେ ପ୍ରତିବାଦ କରିଥିଲେ । ସରକାରଙ୍କ ଏହି ଘୋଷଣାକୁ ମିଛ ପ୍ରତିଶ୍ରୁତି ବୋଲି ଆକ୍ଷେପ କରି ଗୃହର ମଧ୍ୟଭାଗରେ ପ୍ରବଳ ହଟ୍ଟଗୋଳ କରିଥିଲେ । ପ୍ରଶ୍ନକାଳ ମାତ୍ର ୧ ମିନିଟ୍ ଚାଲିବା ପରେ ବାଚସ୍ପତି ଗୃହକୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଏହା ପରେ ବିଜେପି ବିଧାୟକମାନେ ଗାନ୍ଧୀ ପ୍ରତିମୂର୍ତ୍ତି ତଳକୁ ଯାଇ ଧାରଣାରେ ବସିଥିଲେ ।
ତେବେ ସାଢ଼େ ୧୧ଟା ବେଳେ ଗୃହକାର୍ଯ୍ୟ ପୁଣି ଆରମ୍ଭ ହେବା ବେଳକୁ ଗୃହରେ ପ୍ରବେଶ କରିଥିଲେ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକଙ୍କ ଅଭିଯୋଗ ଉପରେ ବିବୃତି ଦେଇଥିଲେ । କହିଥିଲେ, ବିଜେପି ବିଧାୟକଙ୍କ ଅଭିଯୋଗର ସତ୍ୟତା ନାହିଁ । ୨୦୧୭-୧୮ ବାର୍ଷିକ ବଜେଟ୍ ରେ ପାଇପ୍ ଲାଇନ୍ ରେ ଥିବା ପ୍ରୋଜେକ୍ଟଗୁଡ଼ିକର ପ୍ରି-ପ୍ରୋଜେକ୍ଟ କାର୍ଯ୍ୟ ପାଇଁ ଦେଢ଼କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା କରାଯାଇଛି । ସମୁଦାୟ ୫୮ଟି ପ୍ରୋଜେକ୍ଟ ମଧ୍ୟରେ ବିଜେପୁର ଲିଫ୍ଟ ଇରିଗେସନ୍ ପ୍ରୋଜେକ୍ଟ ଅର୍ନ୍ତଭୁକ୍ତ ଅଛି । ନିକଟରେ ଏହି ବିଜେପୁର ପ୍ରୋଜେକ୍ଟଟି ଗଙ୍ଗାଧର ମେହେର ଲିଫ୍ଟ କେନାଲ୍ ସିଷ୍ଟମ୍ ନାଁରେ ନାମକରଣ କରାଯାଇଥିବାରୁ ଜଳସମ୍ପଦ ବିଭାଗର ଆଉଟକମ୍ ବଜେଟ୍ ରେ ଏହା ପ୍ରତିଫଳିତ ହେବ । ୧୨୪୬.୫୬ କୋଟିର ଏହି ଅଣ୍ଡରଗ୍ରାଉଣ୍ଡ ପାଇପ ଲାଇନ୍ ପ୍ରକଳ୍ପ ପାଇଁ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିବା ମୁଖ୍ୟମନ୍ତ୍ରୀ ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତି ପଢ଼ୁଥିବା ବେଳେ ବିଜେପି ବିଧାୟକମାନେ ଶୁଣାଇ ଦେଇ ନ ଥିଲେ । ଗୃହରେ ପ୍ରବଳ ହୋ ହଲ୍ଲା, ହଟ୍ଟଗୋଳ ଜାରି ରଖିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ହାତଠାରି ଶାନ୍ତ କରାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ପାରି ନ ଥିଲେ । ‘କୁମ୍ଭୀର କାନ୍ଦଣା କାନ୍ଦନ୍ତୁନୁ’ ବୋଲି କଟାକ୍ଷ କରି ‘ଆମେ କମ୍ କଥା କହୁ, ହେଲେ ଆମ କାର୍ଯ୍ୟ ନିଜ କଥା କହେ । ଆମେ ଏକମାତ୍ର ସରକାର ଯିଏ ନିର୍ବାଚନୀ ଇସ୍ତାହାରକୁ ଆନ୍ତରିକତାର ସହ କାର୍ଯ୍ୟକାରୀ କରିଥାଏ’ ବୋଲି ମୁଖ୍ୟମନ୍ତ୍ରୀ କଡ଼ା ଭାଷା ଶୁଣାଇଥିଲେ । ବିଜେପି ବିଧାୟକଙ୍କ ନାରାବାଜି ଭିତରେ ମୁଖ୍ୟମନ୍ତ୍ରୀ ତାଙ୍କର ଇଂରାଜୀ ବିବୃତି ପଢ଼ିଥିଲେ ମଧ୍ୟ ବିଜେପିକୁ ଆଟାକିଂ ମୁଡ୍ ରେ ଥିଲେ । ଗୃହରେ ଦି ପଦ ଓଡ଼ିଆରେ ଶୁଣାଇଲା ପରେ ବି ଶାନ୍ତି ପଡ଼ି ନ ଥିଲେ । ଗୃହରୁ ବାହାରି ଗଣମାଧ୍ୟମରେ ବାଇଟ୍ ଦେଲାବେଳେ ବିଜେପିକୁ ବ୍ରାହ୍ମଣୀ ନଦୀ ଉପରେ ବ୍ରିଜ୍ ନିର୍ମାଣ କଥା ମନେ ପକାଇଦେଇଥିଲେ । ‘ବ୍ରାହ୍ମଣୀ ନଦୀ ଉପରେ ବ୍ରିଜ୍ କର’ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ରାଜନୈତିକ ମାହୋଲକୁ ଆହୁରି ସରଗରମ କରିଛି ।