ଭୁୁବନେଶ୍ୱର: କୋଭିଡ୍ ରୋଗୀଙ୍କ ଚିକିତ୍ସା ସମ୍ପର୍କିତ ଅଡ଼ିଓ ଭାଇରାଲ୍ ଘଟଣାରେ ଗିରଫ ଲକ୍ଷ୍ମୀକାନ୍ତ ବେହେରା ଏବଂ ବିଶ୍ୱଜିତ୍ ମହାନ୍ତି ଆଜି ଜାମିନ୍ ରେ ମୁକୁଳିଛନ୍ତି । ତେବେ ଜେଲ୍ ରୁ ଆସିଲା ପରେ ଗଣମାଧ୍ୟମ ସାମନାରେ ଓଟିଭି ବିରୋଧରେ ବର୍ଷିଛନ୍ତି ବିଶ୍ୱଜିତ୍ । ଆମ ଦୁଇବନ୍ଧୁଙ୍କର ବ୍ୟକ୍ତିଗତ ଆଳାପକୁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ଭାଇରାଲ୍ କରିବାକୁ ଓଟିଭିକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି । ସତସାହାସ ଥିଲେ ପ୍ରକୃତ ଅପରାଧୀଙ୍କୁ ବାନ୍ଧନ୍ତୁ ବୋଲି ସରକାରଙ୍କୁ ଚାଲେଂଜ ଦେଇଛନ୍ତି ।
ବିଶ୍ୱଜିତ୍ କହିଛନ୍ତି, ‘ଆମେ ଦୁଇ ସାଙ୍ଗ କଥା ହୋଇଥିଲୁ । କରୋନାରୁ ଡର ଛଡ଼େଇବା ପାଇଁ ଆମ ସାଙ୍ଗମାନଙ୍କ ପାଖକୁ ଏହା ପଠାଇଥିଲି । ଭାଇରାଲ୍ କରିବାର ଉଦ୍ଦେଶ୍ୟ ନ ଥିଲା । ସେଭଳି ଉଦ୍ଦେଶ୍ୟ ଥିଲେ ମୁଁ ମୋ ଫେସବୁକ୍ ଏବଂ ଅନ୍ୟ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିଥାନ୍ତି । ମାତ୍ର ଓଟିଭି ତାକୁ ନେଇ ନିଜ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମରେ ଭାଇରାଲ୍ କଲା । ଓଟିଭି ଆମର ଅନୁମତି ନେଇଥିଲେ ଆମର ଆପତ୍ତି ନ ଥାଆନ୍ତା । ମାତ୍ର ଦୁଇ ବନ୍ଧୁଙ୍କ ବ୍ୟକ୍ତିଗତ ଆଳାପକୁ ବିନା ଅନୁମତିରେ ପୋଷ୍ଟ କରିବାକୁ ଓଟିଭିକୁ କିଏ ଅନୁମତି ଦେଲା? ୨୦/୨୫ ଜଣ ସାଙ୍ଗମାନଙ୍କୁ ପଠାଇବା ପଛରେ ଆମର ଉଦ୍ଦେଶ୍ୟ କ’ଣ ଥିଲା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ଏହା ପହଞ୍ଚାଇବା ପଛରେ ଓଟିଭିର କ’ଣ ଉଦେ୍ଦଶ୍ୟ ଥିଲା ତାହା ଆପଣମାନେ ବିଚାର କରନ୍ତୁ ।’
‘ଆମକୁ ପୁଲିସ ବାନ୍ଧି ଜେଲ୍ ପଠାଇଲା, ସେଥିରେ ଆପତ୍ତି ନାହିଁ । କାରଣ ପୁଲିସ ଆଇନ ଅନୁଯାୟୀ ତା’ କାର୍ଯ୍ୟ କରିଛି । ଆମକୁ ଚୋରି, ଡକାୟତି କେସ୍ ରେ ପକାଇନି । ତେବେ ଆମର ଯେଉଁ ସାମାଜିକ କ୍ଷତି ହେଲା ତାହାର ଭରଣା କିଏ କରିବ? ଯେଉଁ ଓଟିଭି ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ଏହା ଭାଇରାଲ୍ କଲା, ସରକାର ତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି? ସରକାରଙ୍କ ସତସାହାସ ଅଛି ତ ତାଙ୍କୁ ବାନ୍ଧନ୍ତୁ । ଆପଣମାନେ ବିଚାର କରନ୍ତୁ ଏଥିପାଇଁ କିଏ ଦୋଷୀ’ ବୋଲି ବିଶ୍ୱଜିତ୍ ବୟାନ ଦେଇଛନ୍ତି ।