“ଶୁଣାକଥା ପ୍ରଚାର କରିବା ସାମ୍ବାଦିକତା ନୁହେଁ । କ’ଣ ପ୍ରକାଶ କରାଯିବ, କ’ଣ କରାଯିବନି ସେଥିପ୍ରତି ସାମ୍ବାଦିକ ସ୍ପର୍ଶକାତର ହେବା ଦରକାର । ସତ୍ୟର ଖୁଲାସା କରିବା ସାମ୍ବାଦିକଙ୍କ ଦାୟିତ୍ୱ । ତେବେ ଖବର ପ୍ରକାଶ କରିବା ପୂର୍ବରୁ ବାସ୍ତବତା ଅନୁଧ୍ୟାନ କରି ଏହା ଯେଭଳି କୌଣସି ବ୍ୟକ୍ତି ବା ବର୍ଗର ଭାବମୂର୍ତ୍ତି ନଷ୍ଟ ନକରେ ସେଥିପ୍ରତି ଧ୍ୟାନ ରଖିବା ଦରକାର । ଗୁଲି, ଗୁଜବ କି ଶୁଣାକଥା ପଛରେ ସାମ୍ବାଦିକମାନେ ପଡ଼ିବା ସ୍ପୃହଣୀୟ ନୁହେଁ । କାରଣ ଥରେ ଖବରଟି ଖବରକାଗଜ କିମ୍ବା ଟିଭିରେ ପ୍ରସାରିତ ହୋଇଗଲେ ତାହା ଫେରି ଆସିବନି । ଯେଉଁମାନେ ଖବରଟି ଦେଖିଥିବେ ପରବର୍ତ୍ତୀ ସମୟରେ ସେମାନେ ଖବରର ସଂଶୋଧନ କିମ୍ବା କ୍ଷମାପ୍ରାର୍ଥନା ଦେଖି ନ ପାରନ୍ତି । ଏହି ଦୃଷ୍ଟିରୁ ସାମ୍ବାଦିକମାନଙ୍କ ପାଇଁ ଦାୟିତ୍ୱବୋଧତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଗଣତନ୍ତ୍ରର ମେରୁଦଣ୍ଡ ହେଉଛି ଗଣମାଧ୍ୟମ । ରାମକୃଷ୍ଣ ପିଲାଇ, କେଶରୀ ବାଲକୃଷ୍ଣ ପିଲାଇଙ୍କ ଭଳି ପୂର୍ବପୀଢ଼ିର ମହାନ୍ ବ୍ୟକ୍ତିତ୍ୱଙ୍କ ସେମାନେ ଯେ ଦାୟାଦ ଏହା ପ୍ରତି ସାମ୍ବାଦିକ ସ୍ମରଣ କରି ସେମାନଙ୍କ ଦିନ ଆରମ୍ଭ କରିବା ଉଚିତ୍ ।”
24 ନ୍ୟୁଜ୍ ଚାନେଲ୍ ର ମ୍ୟାନେଜିଂ ଡାଇରେକ୍ଟର୍ ଶ୍ରୀକନ୍ତନ୍ ନାୟାରଙ୍କ ସୋ’ ବିରୋଧରେ ହୋଇଥିବା ମାମଲାର ଜାମିନ୍ ପିଟିସନ୍ ଉପରେ ଶୁଣାଣି କରି କେରଳ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି । ‘ଶ୍ରୀକନ୍ତନ୍ ନାୟାର ସୋ’ ରେ ଡାକ୍ତର ଶିନୁ ଶ୍ୟାମଲନ୍ ଙ୍କୁ ନେଇ କୋଭିଡ୍-୧୯ ମହାମାରୀ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡାକ୍ତର ଶ୍ୟାମଲନ୍ ଦେଇଥିବା ମନ୍ତବ୍ୟ ମିଥ୍ୟା ଓ ବିଭ୍ରାନ୍ତିକର । ମହାମାରୀ ସମୟରେ ଲୋକଙ୍କ ମନରେ ଏହା ଆତଙ୍କ ସୃଷ୍ଟି କରିବା ସହ ସାଧାରଣ ସ୍ୱାସ୍ଥ୍ୟସେବା ବିଫଳ ହୋଇଥିବାର ଭୁଲ୍ ବାର୍ତ୍ତା ଦେଉଥିବା ର ଅଭିଯୋଗ ହୋଇଥିଲା ।
ଶ୍ରୀ ନାୟାର୍ ଏବଂ ଡ. ଶ୍ୟାମଲନ୍ ଙ୍କ ବିରୋଧରେ ଆଇପିସି ଧାରା ୫୦୫(୧)(ବି) ଏବଂ କେରଳ ପୋଲିସ ଆକ୍ଟର ଧାରା ୧୨୦(୦)ରେ ମକଦ୍ଦମା ରୁଜୁ ହୋଇଥିଲା । ଆଗୁଆ ଜାମିନ୍ ପାଇଁ ଉଭୟ କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଉଭୟଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଥିଲେ ମଧ୍ୟ ସାମ୍ବାଦିକ ଦାୟିତ୍ୱବୋଧତାର ପାଠ ପଢ଼ାଇ ତାଗିଦ୍ କରିଥିଲେ ।
ଅନ୍ୟପକ୍ଷରେ, କେରଳ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ପିଭି କୁନହିକ୍ରିଷ୍ଣନ୍ ତାଙ୍କ ଶୁଣାଣିରେ କୋଭିଡ୍ ମହାମାରୀ ସମୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ବିଭାଗର ଅଫିସର ଓ କର୍ମଚାରୀମାନେ ମହାମାରୀର ମୁକାବିଲା ପାଇଁ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବା ଉଚିତ୍ । ହଁ, ମଣିଷ ମାତ୍ରକେ ଭୁଲ୍ ହେବା ସ୍ୱାଭାବିକ । ମହାମାରୀ ମୁକାବିଲା ସମୟରେ କେଉଁଠି କେମିତି ଦୋଷତ୍ରୁଟି ରହିଥାଇପାରେ । କିନ୍ତୁ ଏହି ତ୍ରୁଟି ସାମନାକୁ ଆଣି ତାହାକୁ ଟିଭି ଚାନେଲ୍ ରେ ଆଲୋଚନା କରିବା ଆଦୌ ଠିକ୍ ନୁହେଁ । ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଏହା ମନୋବଳ ଭାଙ୍ଗିବା ସହ ସମାଜକୁ ଭୁଲ୍ ବାର୍ତ୍ତା ଦେବ । ଏହାକୁ ସାମ୍ବାଦିକତା କୁହାଯାଇପାରିବ ନାହିଁ ବୋଲି କହି ବିଚାରପତି କଡ଼ା ଭର୍ତ୍ସନା କରିଥିଲେ ।
ତାଙ୍କ ଟିପ୍ପଣୀରେ ଜଷ୍ଟିସ୍ କୁନହିକ୍ରିଷ୍ଣନ ମହାତ୍ମା ଗାନ୍ଧୀଙ୍କ ଏକ ବକ୍ତବ୍ୟକୁ ଉଦ୍ଧାର କରିଥିଲେ । ମହାତ୍ମାଗାନ୍ଧୀ କହିଥିଲେ, ସାଧାରଣ ଲୋକଙ୍କୁ ଶିକ୍ଷଣୀୟ କରିବା ହେଉଛି ସାମ୍ବାଦିକତାର ଧର୍ମ । ସେମାନଙ୍କ ମୁଣ୍ଡରେ ଅବାଂଛିତ କଥା ପୂରେଇ ଦ୍ୱନ୍ଦ ଓ ଭୁଲ୍ ଧାରଣା ସୃଷ୍ଟି କରିବା ସାମ୍ବାଦିକତା ନୁହେଁ । କିଛି ସାମ୍ବାଦିକ ଗୋଷ୍ଠୀ ମହାତ୍ମାଗାନ୍ଧୀଙ୍କର ଏହି ଉକ୍ତିକୁ ଭୁଲି ଯାଉଥିବା ଜଷ୍ଟିସ୍ କୁନହିକ୍ରିଷ୍ଣନ କହିଥିଲେ ।
(source: livelaw.in)