# ମହାପ୍ରଭୁଙ୍କ ଲୀଳାରେ ଅସମ୍ଭବ ହେଲା ସମ୍ଭବ
# ତିନି ରଥକୁ ଟାଣି ଆଣିଲେ ସୀମିତ ସେବାୟତ, ପୁଲିସ
# ଆଗୁଆ ରଥଟଣା, ସଂଧ୍ୟାପୂର୍ବରୁ ଶରଧାବାଲିରେ ତିନିରଥ
# ଘରେ ବସି ରଥଯାତ୍ରା ଦେଖିଲେ କୋଟି କୋଟି ଭକ୍ତ
ଭୁବନେଶ୍ୱର: ଶ୍ରୀକ୍ଷେତ୍ର ରଥଯାତ୍ରାରେ ନ ଥିଲା ଜନସମୁଦ୍ର । ବଡ଼ଦାଣ୍ଡରେ ଖାଁ ଖାଁର ରାଜୁତି । ପଥ ଭକ୍ତଶୂନ୍ୟ ଥିଲା ବେଳେ ରଥ ଥିଲା ଫାଙ୍କା । ରଥ ଦଉଡ଼ି ଛୁଇଁବାକୁ ଆକୁଳ ଭକ୍ତଙ୍କ କୋଳାହଳ ନ ଥିଲା । ବିନା ଭକ୍ତ ସମାଗମରେ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ରଥ ଉପରେ ବିଜେ ହୋଇଥିଲେ ଜଗତର ନାଥ ମହାପ୍ରଭୁ ଜଗନ୍ନାଥ । ତିନି ରଥକୁ ଶୃଙ୍ଖଳିତ ଢ଼ଙ୍ଗରେ ଟାଣି ନେଉଥିଲେ ସୀମିତ ସେବାୟତ ଓ ପୁଲିସ । ଠାକୁରଙ୍କ ନୀତିକାନ୍ତିଠାରୁ ଆରମ୍ଭ କରି ରଥଟଣା କେଉଁଠି ବି ସାମାନ୍ୟ ବିଭ୍ରାଟ୍ ନ ଥିଲା । ମହାପ୍ରଭୁ ବି ସୁନା ପିଲା ଭଳି ସବୁ କାର୍ଯ୍ୟ ସୁରୁଖୁରୁରେ କରାଇ ଦେଇଥିଲେ । ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ହୋଇ ସଂଧ୍ୟା ପୂର୍ବରୁ ଶରଧାବାଲିରେ ପହଞ୍ଚିଗଲା ତିନି ରଥ ।

ଗତକାଲି ପର୍ଯ୍ୟନ୍ତ ଅସମ୍ଭବ ଥିବା ଏବର୍ଷର ରଥଯାତ୍ରା ମହାପ୍ରଭୁଙ୍କ କୃପାରୁ ଖାଲି ସମ୍ଭବ ହୋଇନାହିଁ, ବରଂ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଛି । ମହାପ୍ରଭୁଙ୍କ ସହ ଯୋଡି ହୋଇଥିବା କୋଟି କୋଟି ଭକ୍ତଙ୍କ ଆବେଗକୁ ଏହା ଅଧିକ ଛୁଇଁପାରିଛି । ସମଗ୍ର ବିଶ୍ୱବାସୀଙ୍କୁ ଶୃଙ୍ଖଳା ଓ ସଂଯମତା ଶିଖାଇଛନ୍ତି ଜଗନ୍ନାଥପ୍ରେମୀ । କୋଭିଡ୍ କଟକଣା ନିୟମକୁ ମାନି ଅତ୍ୟନ୍ତ ଶୃଙ୍ଖଳାତାର ସହ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମ୍ପନ୍ନ ହୋଇଥିବାରୁ ସମଗ୍ର ବିଶ୍ୱରେ ଓଡ଼ିଶାର ମାନ ଉପରକୁ ଚାଲିଯାଇଛି । ମହାପ୍ରଭୁଙ୍କ ଅପାର କୃପାରୁ ଏହି ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇପାରିଛି ।
ହାତରେ ସମୟ ନ ଥିଲେ ମଧ୍ୟ ରଥଯାତ୍ରା ପ୍ରସ୍ତୁତି ଅତ୍ୟନ୍ତ ବ୍ୟବସ୍ଥିତ ଢ଼ଙ୍ଗରେ ମହାପ୍ରଭୁଙ୍କ ନୀତିରେ ଶୃଙ୍ଖଳା ପରିଲକ୍ଷିତ ହୋଇଥିଲା । ନୀତି ନିର୍ଘଣ୍ଟଠାରୁ ସାମାନ୍ୟ ବିଳମ୍ବରେ ନୀତିକାନ୍ତି ଆରମ୍ଭ ହୋଇଥିଲେ ମଧ୍ୟ ସମୟ ପୂର୍ବରୁ ଶେଷ ହୋଇଯାଇଥିଲା । ସକାଳ ୪ଟା ୨୫ ରେ ମଙ୍ଗଳ ଆଳତି ଏବଂ ପରେ ପରେ ମଇଲମ, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ ହୋଇଥିଲା । ନିର୍ଦ୍ଧାରିତ ସମୟର ୧୦ ମିନିଟ୍ ପୂର୍ବରୁ ସକାଳ ୬.୩୫ ରେ ରଥ ପ୍ରତିଷ୍ଠା କରାଯାଇଥିଲା ।

ସକାଳ ୭ଟା ୨୫ରେ ଶ୍ରୀ ଜୀଉମାନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ୯ଟା ୧୦ ସୁଦ୍ଧା ପହଣ୍ଡି କାର୍ଯ୍ୟ ସରିଥିଲା । ସାଢ଼େ ୯ଟାରେ ମଦନମୋହନ ବିଜେ କରିବା ପରେ ୧୦ଟା ୩୫ ରୁ ୧୧ଟା ୪୦ ମଧ୍ୟରେ ରଥ ଉପରେ ତିନି ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିଥିଲେ । ନିର୍ଦ୍ଧାରିତ ସମୟ ପୂର୍ବରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରୁ ଆସି ଛେରା ପହଁରା କରିଥିଲେ । ଏହାପରେ ଚାରମାଳ ଫିଟାଯାଇ ରଥରେ ଘୋଡ଼ା ଯୋଚା ଯାଇଥିଲେ । ୧୨ ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା ।
୧୧ଟା ୫୫ରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଥିଲା ବଡ଼ଦାଣ୍ଡରେ । ୧୨ଟା ୫୫ରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଗଡ଼ିଥିବା ବେଳେ ୧ଟା ୫୫ରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିଥିଲା ବଡ଼ଦାଣ୍ଡରେ । ହାତଗଣତି ସେବାୟତ ଓ ପୁଲିସ କର୍ମଚାରୀମାନେ ଟାଣି ନେଇଥିଲେ ରଥ । ପ୍ରବଳ ଗୁଳୁଗୁଳିକୁ ଖାତିରି ନ କରି ଖାଲି ପାଦରେ ଟାଣି ନେଇଥିଲେ ରଥ । ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ନିୟମକୁ ସମସ୍ତେ ଯଥାସାଧ୍ୟ ରକ୍ଷା କରିଥିଲେ ।

ସେମାନଙ୍କ ଶଙ୍ଖନାଦ, ଘଣ୍ଟ ବାଦନ ଭିତରେ ଘଡ଼ ଘଡ଼ ନାଦ କରି କରି ତିନି ରଥ ଗଡୁଥିବା ବେଳେ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଭକ୍ତର ଭାବ ଭରିଯାଇଥିଲା । ଘରେ ବସି ଟିଭି ଓ ମୋବାଇଲ୍ ରେ ରଥଯାତ୍ରାର ସିଧା ପ୍ରସାରଣ ଦେଖୁଥିବା କୋଟି କୋଟି ଭକ୍ତ ଭାବବିହ୍ୱଳ ହୋଇଯାଇଥିଲେ । ସଂଧ୍ୟା ପୂର୍ବରୁ ଗୁଣ୍ଡିଚା ମନ୍ଦିର ଶରଧାବାଲିରେ ପହଞ୍ଚି ଯାଇଥିଲା ତିନି ରଥ ।







