୧୫ ଦିନରେ ରାଜ୍ୟରେ ୫ଟି ପ୍ଲାଜମା ବ୍ୟାଙ୍କ
ଭୁବନେଶ୍ୱର: ବ୍ରହ୍ମପୁରର ଏମକେସିଜି ମେଡ଼ିକାଲ କଲେଜ ଓ ବୁର୍ଲାର ଭିମ୍ସାରରେ ରାଜ୍ୟର ଚତୁର୍ଥ ଓ ପଞ୍ଚମ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି । ଏଥିସହ ରାଜ୍ୟରେ ସମୁଦାୟ ୫ଟି ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ହୋଇଛି । କୋଭିଡ ଯୁଦ୍ଧର ମୁଖ୍ୟ ମିଶନ ହେଉଛି ଲୋକଙ୍କ ଜୀବନର ସୁରକ୍ଷା। ଏ କ୍ଷେତ୍ରରେ ପ୍ଲାଜମା ଥେରାପି ବହୁତ ପରିମାଣରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।
ରାଜ୍ୟରେ ପ୍ଲାଜମା ଥେରାପି ଉତ୍ସାହଜନକ ଫଳାଫଳ ପ୍ରଦର୍ଶନ କରୁଛି ଏବଂ ବର୍ତ୍ତମାନ ସୁଦ୍ଧା ୬୦ ଜଣ କୋଭିଡ ରୋଗୀଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା ସେବା ଦିଆଯାଇଛି ଏବଂ ୪୮ ଜଣ ରୋଗୀଙ୍କ ଅବସ୍ଥାରେ ଦ୍ରୁତ ଉନ୍ନତି ଆସିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ସମସ୍ତ ଯୋଗ୍ୟ କୋଭିଡମୁକ୍ତ ବ୍ୟକ୍ତିମାନଙ୍କୁ ପ୍ଲାଜମା ଦାନ କରିବାକୁ ଆଗେଇ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ପୁଣିଥରେ ନିବେଦନ କରିଥିଲେ।
ଏହି ଅବସରରେ ବ୍ରହ୍ମପୁରର ଏମକେସିଜିର ପ୍ରଥମ ପ୍ଲାଜମାଦାତା ଡଃ ଶୁଭ୍ରାଂଶୁ ମୋହନ ସାହୁ ଏବଂ ବୁର୍ଲା ଭିମସାରର ପ୍ରଥମ ପ୍ଲାଜମାଦାତା ଶ୍ରୀ ରବୀନ୍ଦ୍ର ସାହୁ ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିବା ସହିତ ଅନ୍ୟ କୋଭିଡମୁକ୍ତ ବ୍ୟକ୍ତିମାନଙ୍କୁ ପ୍ଲାଜମା ଦାନ କରିବା ପାଇଁ ନିବେଦନ କରିଥିଲେ ।
ସୂଚନାଯୋଗ୍ୟ ଯେ ପୂର୍ବରୁ କଟକର ଏସସିବି, ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲାର ଆଇଜିଏଚ ଠାରେ ତିନୋଟି ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇପାରିଛି । ଆଜିର ଦୁଇଟି ପ୍ଲାଜମା ବ୍ୟାଙ୍କ ସହିତ ରାଜ୍ୟର ସମୁଦାୟ ୫ଟି ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠିତ ହେଲା ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ନବ ଦାସଙ୍କ ସମେତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି), ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗ ସଚିବ ପ୍ରମୁଖ ଯୋଗ ଦେଇଥିଲେ।