ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ କୋଭିଡ୍ ଯୁଦ୍ଧରେ ପ୍ରାଣବଳି ଦେଇଥିବା ଯୋଦ୍ଧାମାନଙ୍କର ଅମ୍ଲାନ ସ୍ମୃତି ଉଦ୍ଦେଶ୍ୟରେ ଆଜି ସଂଧ୍ୟା ୬ଟାରେ ରାଜ୍ୟବାସୀ ୧ ମିନିଟ୍ ନୀରବ ପ୍ରାର୍ଥନା କରିଛନ୍ତି । ଏଥିରେ ଜନସାଧାରଣ, ବିଭିନ୍ନ ଅଫିସ, ଅନୁଷ୍ଠାନର କର୍ମଚାରୀ ଭାଗ ନେଇ ଶହୀଦ କରୋନା ଯୋଦ୍ଧାଙ୍କ ପ୍ରତି ଜାତିର କୃତଜ୍ଞତା ଅର୍ପଣ କରିଛନ୍ତି ।
ନିଜ ପରିବାର ଓ ବ୍ୟକ୍ତିଗତ ସୁଖ ସୁବିଧାକୁ ପଛରେ ପକାଇ ଆମର କୋଭିଡ ଯୋଦ୍ଧା ମାନେ ଉତ୍ସର୍ଗୀକୃତ ମନୋଭାବ, ତ୍ୟାଗ ଓ ନିଷ୍ଠାର ସହ ଯେପରି ସେବା କରିଚାଲିଛନ୍ତି, ତାକୁ ଉତ୍ସାହିତ କରିବା ଏବଂ ତାଙ୍କର ଏହି ମହତ୍ କାର୍ଯ୍ୟକୁ ଦୃଢ ସମର୍ଥନ ଦେବା ପାଇଁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସହଯୋଗ, ସଚେତନତା ଓ କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବାର ଶପଥ ପାଠ କରାଇଥିଲେ।

ମୁଁ ଜିତିବି, ମୋ ଓଡିଶା ଜିତିବ ଓ ମାନବ ଜାତି ବି ଜିତିବ; ଏହି ସଂକଳ୍ପ ନେଇ କରୋନା ବିରୁଦ୍ଧରେ ଲଢେଇକୁ ମଜବୁତ କରିବା ସହିତ କୋଭିଡ ନିୟମାବଳୀର ଅନୁପାଳନ ଓ କୋଭିଡ ଯୋଦ୍ଧାଙ୍କୁ ପୂର୍ଣ୍ଣ ସହଯୋଗ ଓ ସମ୍ମାନ ଜଣାଇବା ପାଇଁ ମଧ୍ୟ ସମସ୍ତେ ଶପଥ ନେଇଥିଲେ।







