ବିଡ଼ିଏ ଅଧ୍ୟକ୍ଷ ପଦରେ ଥଇଥାନ
ଭୁବନେଶ୍ୱର: ଭୁବନେଶ୍ୱରର ମଧ୍ୟ ନହେଲେ ଉତ୍ତରରୁ ଟିକେଟ ପାଇବେ ବୋଲି ଆଶା ରଖିଥିଲେ ଅନନ୍ତ(ବୁନୁ) ନାରାୟଣ ଜେନା । କ୍ରମାଗତ ଦୁଇ ଥର ମେୟର ହେବା ପରେ ଏଥର ବିଧାୟକ ହେବାକୁ ଆଶା ବାନ୍ଧିଥିଲେ । ତେବେ ତାଙ୍କର ଏହି ଆଶା ମଉଳି ଯାଇଛି । ଏଥର ତାଙ୍କ ଭାଗ୍ୟରେ ବିଧାୟକ ଲଢ଼ିବାର ସୁଯୋଗ ଜୁଟି ନ ପାରେ । ନିର୍ବାଚନ ଦିନ ପାଖେଇ ଆସୁଥିବା ବେଳେ ତାଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ମୁଖିଆ ଦାୟିତ୍ୱ ଦିଆଯାଇଛି । ବିଡ଼ିଏର ଅଧ୍ୟକ୍ଷ ପଦରେ ଆଜି ତାଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁନୁଙ୍କୁ ଏହି ଆଗୁଆ ଥଇଥାନ ସହ ତାଙ୍କ ବିଧାନସଭା ବାଟ ବନ୍ଦ କରାଯାଇଥିବା ଚର୍ଚ୍ଚା ହେଉଛି ।
ବୁନୁଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ନ ଲଢ଼ାଇବାକୁ ମୁଖ୍ୟମନ୍ତ୍ରୀ ଏଭଳି ଚାଲ୍ ଖେଳିଥିବା କୁହାଯାଉଛି । ତାଙ୍କ କ୍ଷେତ୍ରରେ ସାପ ମରିବନି କି ବାଡ଼ି ଭାଙ୍ଗିବନି ନ୍ୟାୟ ଲାଗୁ ହୋଇଛି । ମେୟର ଥିବା ବେଳେ ତାଙ୍କ ବିରୋଧରେ ଆସିଥିବା ସଙ୍ଗୀନ ଅଭିଯୋଗ ବୁନୁଙ୍କ ପାଇଁ ଏବେ କାଳ ହୋଇଛି । ଇଂଜିନିୟରିଂ ଛାତ୍ର ଋଷି ହତ୍ୟାକାଣ୍ଡ ଏବଂ ବ୍ଲୁ ସିଡ଼ି ମାମଲା ତାଙ୍କୁ ବିବାଦରେ ଛନ୍ଦି ଦେଇଥିଲା । କୁଖ୍ୟାତ ଠକ ଗୋଲଡେନ୍ ବାବା ସହ ତାଙ୍କର ସମ୍ପର୍କକୁ ନେଇ ନିକଟରେ ଆଉ ଏକ ଝଡ଼ ସୃଷ୍ଟି ହୋଇଥିଲା । ଖାଲି ବୁନୁଙ୍କ ଉପରେ ଏହା ବୋଝ ହୋଇ ନ ଥିଲା, ବରଂ ସମଗ୍ର ବିଜେଡ଼ିକୁ ବଦନାମ କରିଥିଲା । ବଦନାମ ଓ ସମାଲୋଚନା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ବୁନୁଙ୍କୁ ସୁରକ୍ଷା ଦେଇ ତାଙ୍କର ମେୟର ଅବଧି ପାର୍ କରାଇଥିଲେ । ତେବେ ବିରୋଧୀ ଦଳ ସେହି ପ୍ରସଙ୍ଗକୁ ମନରୁ ହଟାଇନାହାନ୍ତି ଏବଂ ନିର୍ବାଚନ ବେଳେ ଅସ୍ତ୍ର କରିବେ ବୋଲି ଜଣାଥିବାରୁ ମୁଖ୍ୟମନ୍ତ୍ରୀ ହୁଏତ ରିସ୍କ ନେବାକୁ ଚାହିଁ ନାହାନ୍ତି ।
ମେୟର ଥିବା ବେଳୁ ବୁନୁ ଭୁବନେଶ୍ୱର(ମଧ୍ୟ) ଆସନ ଉପରେ ଆଖି ପକାଇଥିଲେ । ଦ୍ୱିତୀୟ ବିକଳ୍ପ ରଖିଥିଲେ ଭୁବନେଶ୍ୱର(ଉତ୍ତର) ଆସନ । ଟିକେଟ ପାଇ ନିର୍ବାଚନ ଲଢ଼ିବାକୁ ସେ ପ୍ରସ୍ତୁତ ହୋଇ ରହିଥିଲେ । ମାତ୍ର ପରିସ୍ଥିତି ହଠାତ୍ ବଦଳିଯାଇଛି । ବିଡ଼ିଏ ଗଠନ ହେଲା ଦିନୁଁ ସେଠାରେ ଅଧ୍ୟକ୍ଷ ପଦରେ କାହାରିକୁ ରଖାଯାଉ ନ ଥିଲା । ବିଭାଗୀୟ ମନ୍ତ୍ରୀଙ୍କ ହାତରେ ରହୁଥିଲା ଅଧ୍ୟକ୍ଷ ପଦ । ମାତ୍ର ଅଣମନ୍ତ୍ରୀ ଭାବେ ବୁନୁଙ୍କୁ ପ୍ରଥମ ଥର ପାଇଁ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି । ହାଉସିଂ ବୋର୍ଡ ଭଳି ବିଡ଼ିଏର ଏହି ସର୍ବୋଚ୍ଚ ପଦକୁ ରାଜନୈତିକ ଥଇଥାନ ଭିତ୍ତିରେ ପୂରଣ କରାଯାଇଛି ।
ନୂତନ ନିଯୁକ୍ତିକୁ ନେଇ ବୁନୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି ମୁଁ ତାକୁ ସୁଚାରୂରୂପେ ପାଳନ କରିବାକୁ ଚେଷ୍ଟା କରିବି । ତେବେ ବିଧାୟକ ଲଢ଼ିବାକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇ ଦେଇଛନ୍ତି ।