ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ୪ ଦିନ ଆଗରୁ ବନ୍ଦ ହୋଇଗଲା ବିଧାନସଭା । ଶୁକ୍ରବାରଠାରୁ ଏଥିପାଇଁ ରିହର୍ସଲ୍ ସରିଥିଲା । ଦୁଇଦିନ ଛୁଟି ଥିବାରୁ ସୋମବାର ବିଧାନସଭା ମଞ୍ଚରେ ମଞ୍ଚସ୍ଥ ହେଲା ନାଟକ । ଦିନ ତମାମ ନାଟକର ମୂଳରୁ ଶେଷ ଯାଏଁ ନିଜ ଚରିତ୍ରକୁ ଜମେଇକି ଫୁଟାଇଥିଲେ ନିରଞ୍ଜନ ପୂଜାରୀ । ପ୍ରଚ୍ଛଦପଟ ନିର୍ଦେଶନାକୁ ଜୀବନ୍ତ ଉପସ୍ଥାପନ କରି ଦର୍ଶକଙ୍କୁ ଆମୋଦିତ କରିଥିଲେ । ସୁତରାଂ ଚଳିତ ବଜେଟ୍ ଅଧିବେସନରେ ପୂଜାରୀ ହିଁ ଶ୍ରେଷ୍ଠ କଳାକାର ବା ବେଷ୍ଟ ଆକ୍ଟର । ସେଥିରେ କେହି ଇର୍ଷାନ୍ୱିତ ହେବାର ନାହିଁ ।
ବେଷ୍ଟ ଆକ୍ଟର ଆୱାର୍ଡ ପରିକଳ୍ପିତ ନିରଞ୍ଜନ ପୂଜାରୀ ହେଉଛନ୍ତି ବିଧାନସଭାର ମାନ୍ୟବର ବାଚସ୍ପତି । ପବିତ୍ର ଗୃହର ସର୍ବେସର୍ବା । ପୂଜାରୀ ଯେ ନିର୍ଦ୍ଦଳୀୟ ବ୍ୟକ୍ତି ତାହା କେହି କହୁନାହାନ୍ତି । ମାତ୍ର ସେ ଅଧିଷ୍ଠିତ ହୋଇଥିବା ଆସନଟି ନିର୍ଦ୍ଦଳୀୟ ଓ ନିରପେକ୍ଷ । ଏହି ପବିତ୍ର ଆସନର ଗାରିମା ସବୁର ଉଦ୍ଧ୍ୱର୍ରେ । ମାତ୍ର ନିରଞ୍ଜନ ପୂଜାରୀ ମହୋଦୟ ଏହି ଆସନର ଗାରିମାକୁ ଦଳିଚକଟି ଦେଲାଭଳି କାର୍ଯ୍ୟ କରିଛନ୍ତି । ପୂର୍ବ ବିଧାନସଭାର ବାଚସ୍ପତି ପ୍ରଦୀପ ଅମାତ୍ଙ୍କ ଦଳୀୟ ପକ୍ଷପାତିତାଠାରୁ ନିରଞ୍ଜନ ପୂଜାରୀଙ୍କ ପକ୍ଷପାତିତା ବଳିପଡ଼ିଛି ବୋଲି ବିରୋଧୀ ଦଳର ଅଭିଯୋଗ ସହ ଏକମତ ହୋଇଛନ୍ତି ରାଜନୈତିକ ପର୍ଯ୍ୟବେକ୍ଷକ । ନିଜର ଠାଣି, ବାଣୀ ପୂଜାରୀଙ୍କୁ ଜଣେ ଭଲ ମନ୍ତ୍ରୀ କରିପାରି ନ ଥିଲା ସତ ହେଲେ ସେ ଜଣେ ଭଲ ବାଚସ୍ପତି ହୋଇପାରିବେ ବୋଲି ଅନେକ ଭାବୁଥିଲେ । ମାତ୍ର ବିଗତ ଦୁଇବର୍ଷର କାର୍ଯ୍ୟକାଳରେ ସବୁ ଆଶା ପାଟିଫୋଟକା ହୋଇଯାଇଛି । ବାଚସ୍ପତି ଆସନରେ ବସି ବିଜେଡ଼ି କକ୍ଷପଥରୁ ସେ ତିଳେମାତ୍ର ବିଚ୍ୟୁତି ହୋଇନାହାନ୍ତି । ପାର୍ଟିର ଇସାରାକୁ ଅକ୍ଷରେ ଅକ୍ଷରେ ପାଳି ନିଜ ଭବିଷ୍ୟତ ସାଇତି ରଖିଛନ୍ତି ।
ଭାତ ହାଣ୍ଡିରୁ ଗୋଟେ ଚିପିଲା ଭଳି ଅଚାନକ ବନ୍ଦ ହୋଇଥିବା ବିଧାନସଭାର ବଜେଟ୍ ଅଧିବେସନର ଶେଷ ଦିନକୁ ଦେଖିଲେ ପୂଜାରୀଙ୍କ ଦଳୀୟ ଆଭିମୁଖ୍ୟ ଧରାପଡ଼ିଯିବ । ବିଧାନସଭା ପ୍ରଶ୍ନୋତ୍ତର କାଳ ଆରମ୍ଭ କ୍ଷଣି ଗୃହରେ କିଛି ବିଶୃଙ୍ଖଳା କି ହୋ ହଲ୍ଲା ନ ଥିଲା । କେବଳ ବିରୋଧୀ ଦଳର ଏସ୍ସି/ଏସ୍ଟି ବିଧାୟକମାନେ ସେମାନଙ୍କ ଧାରଣା ଜାରି ରଖିଥିଲେ । ତେବେ ୧୦.୩୦ ବାଜିଲା କ୍ଷଣି ବାଚସ୍ପତି ଗୃହରେ ପ୍ରବେଶ କଲେ ଏବଂ ଅତର୍ଚ୍ଛିଆ ହୋଇ ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଦେଲେ । ଆଖି ପଲକରେ ବାଚସ୍ପତି ଗୃହକୁ ଆସିଲେ ଓ ଗୃହ ବନ୍ଦ କରି ପଳାଇଲେ । ଅପରାହ୍ନ ୩ଟାରେ ଗୃହ ଆରମ୍ଭ ହେଲା ବେଳକୁ ବିରୋଧୀ ପକ୍ଷରୁ ପ୍ରବଳ ନାରାବାଜି ଆରମ୍ଭ ହୋଇଥିଲା । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା ନ କରି ଚଲାଇ ରଖିଥିଲେ । ମାନେ ପୂର୍ବାହ୍ନ ଆଚରଣଠାରୁ ସମ୍ପୂର୍ଣ୍ଣ ଓଲଟା ଥିଲେ ବାଚସ୍ପତି ପୂଜାରୀ । କଂଗ୍ରେସ ଓ ବିଜେପି ସଭ୍ୟଙ୍କ ନାରାବାଜି ଓ ସମାନ୍ତରାଳ ଭାଷଣ ଭିତରେ ବାଚସ୍ପତି ତରବରିଆ ହୋଇ ମନ୍ତ୍ରୀ ଅରୁଣ ସାହୁଙ୍କୁ ଡାକିଲେ ଓଡ଼ିଶା ପଞ୍ଚାୟତ ଆଇନ (ସଂଶୋଧନ) ବିଲ୍ ଉପସ୍ଥାପନ ଓ ପାରିତ ପାଇଁ । ଔପଚାରିକତା ପୂରଣ ପାଇଁ ଜଣେ ଦୁଇଜଣ ଶାସକ ଦଳ ସଭ୍ୟଙ୍କ ପାଳିପକା ଦୁଇଧାଡ଼ିଆ ଆଲୋଚନା କରାଇ ବିଲ୍ଟି ଗୃହରେ ପାରିତ କରାଇଦେଇଥିଲେ ବାଚସ୍ପତି । ପରେ ପରେ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଡାକିଥିଲେ ଓଡ଼ିଶା ମ୍ୟୁନିସିପାଲ୍ ସର୍ଭିସେସ୍ ବିଲ୍ ଉପସ୍ଥାପନ ପାଇଁ । ମନ୍ତ୍ରୀ ଗୃହରେ ଉପସ୍ଥାପନ କଲା ପରେ ପରେ ବାଚସ୍ପତି ୬ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ ।
ପୁନଶ୍ଚ ୬ ଟାରେ ବାଚସ୍ପତି ୬.୫୯ ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ । ୬.୫୯ ରେ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଉପସ୍ଥାପନ କରିଥିବା ବିଲ୍ ଉପରେ ବାଚନିକ ସମର୍ଥନ ନେଇ କନସିଡରେସନ୍, ଆମେଣ୍ଡମେଣ୍ଟ ଓ ପାସିଂ ଷ୍ଟେଜ୍କୁ ନେଇଯାଇଥିଲେ ବାଚସ୍ପତି । ଦୁଇ ଜଣ ସଭ୍ୟଙ୍କ ତାଳିପକା ଆଲୋଚନା ପରେ ବାଚସ୍ପତି ବିଲ୍ଟିକୁ ପାରିତ କରାଇ ନେଇଥିଲେ । ଏଠାରେ କହିବା ବାହୁଲ୍ୟ ଯେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷାରେ ଗୃହର ସମୟକୁ ଗଡ଼ାଇଥିଲେ ବାଚସ୍ପତି । ଇତିମଧ୍ୟରେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ, ଶାସକ ଦଳର ବରିଷ୍ଠ ସଭ୍ୟ ଅମର ପ୍ରସାଦ ଶତପଥୀ ବିଧାନସଭାକୁ କାଣ୍ଟଛାଟ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବାକୁ ପ୍ରସ୍ତାବ ଆଣିଥିଲେ । ସେତେବେଳକୁ ବିରୋଧୀ ଦଳର ସଭ୍ୟମାନେ କକ୍ଷତ୍ୟାଗ କରିସାରିଥିଲେ । ଔପଚାରିକତା ଦେଖାଇ ଶତପଥୀଙ୍କ ପ୍ରସ୍ତାବକୁ ଜଣେ ଦୁଇ ଜଣ ସଭ୍ୟ ସମର୍ଥନ କଲା ପରେ ବାଚସ୍ପତି ବାଚନିକ ଭୋଟ ନେଇଥିଲେ ପ୍ରସ୍ତାବ ସପକ୍ଷରେ । ବାଚନିକ ଭୋଟ ପରେ ବାଚସ୍ପତି ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବ ବୋଲି ଘୋଷଣା କରିଥିଲେ ଏବଂ ପରେ ପରେ ମୁଖ୍ୟ ସଚେତକ ଅନନ୍ତ ଦାସଙ୍କ ଦ୍ୱାରା ବିଭିନ୍ନ ଗୃହ କମିଟି ପୁର୍ନଗଠନର ଘୋଷଣା କରିଥିଲେ । ଏହା ଭିତରେ ମୁଖ୍ୟମନ୍ତ୍ରୀ ଗୃହରେ ପହଞ୍ଚିସାରିଥିଲେ ଏବଂ ମୁଖ୍ୟମନ୍ତ୍ରୀ କିଛି ସମୟ ବସିବା ପରେ ଧନ୍ୟବାଦ ଅର୍ପଣ ସହ ବନ୍ଦେ ଉତ୍କଳ ଜନନୀ ଗାନ ହୋଇ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।
ବିଧାନସଭା ୨୦ ତାରିଖ ଯାଏଁ ଚାଲିବାର ଥିଲା । ମାତ୍ର ବିରୋଧୀ ଏସ୍ସି/ଏସ୍ଟି ସଭ୍ୟଙ୍କ ଧାରଣାକୁ ଆଳ କରି ୪ ଦିନ ଆଗରୁ ବନ୍ଦ କରିଦେବା ପାଇଁ ସରକାରୀ ଦଳ ଷଡ଼ଯନ୍ତ୍ର ରଚିଥିଲା । ବିରୋଧୀ ଦଳଙ୍କୁ ପାସଙ୍ଗରେ ନେଉ ନ ଥିବା ସଂଖ୍ୟାବଳୀ ବିଜେଡ଼ି ବିଧାନସଭାରେ ଅଧିକ ଟେନସନ୍ ନେବାକୁ ଚାହୁଁ ନ ଥିଲା । ବିରୋଧୀଙ୍କ ଶାଣିତ ଆକ୍ରମଣର ଭୟ ଗୋଡ଼ାଇଥିଲା ଶାସକ ଦଳକୁ । ତେଣୁ ଶୁକ୍ରବାର ବ୍ୟୟମଂଜୁରୀ ବିଲ୍ ପାରିତ ହୋଇସାରିଥିବାରୁ ଆଉ ବିଧାନସଭାକୁ ମୁହୁର୍ତ୍ତେ ଚଲାଇବାକୁ ଚାହିଁ ନ ଥିଲେ । ସେହି ଅନୁଯାୟୀ ବିଧାନସଭା ବନ୍ଦର ନାଟକ ରଚନା ହୋଇଥିଲା । ଏବଂ ତାହାକୁ ଅକ୍ଷରେ ଅକ୍ଷରେ ପାଳିଥିଲେ ବାଚସ୍ପତି । ନାଟକକୁ ସଫଳ କରାଇବାରେ ପୂଜାରୀଙ୍କ ଅଭିନୟ ସବୁଠାରୁ ବଳିଷ୍ଠ ଥିଲା । ସେଥିରେ ପଦର ଗାରିମା କଳଙ୍କିତ ହେଉଛି ନା ନାହିଁ ତାହାକୁ ସେ ଖାତିର କରିନାହାନ୍ତି ।