ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପୁରୀ ବଡ଼ଦାଣ୍ଡ ଆଖପାଖରେ ଥିବା କୋଠାଗୁଡ଼ିକୁ ବିଜେଡ଼ିର ସବୁଜ ରଙ୍ଗରେ ରଙ୍ଗୀନ କରାଯିବ । ଏଥିସହ ସଚିବାଳୟ, ନଅ ମହଲା ସମେତ ସବୁ ସରକାରୀ ଦପ୍ତରର କୋଠା ଶୋଭା ପାଇବ ବିଜେଡ଼ି ସବୁଜ ରଙ୍ଗରେ । ଖୁବ୍ ଶୀଘ୍ର ଏହାର ବିଧିବଦ୍ଧ ନିଷ୍ପତ୍ତି ହୋଇ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।
ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏଥିନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି । ସଚିବାଳୟ, ମୁଖ୍ୟ ସରକାରୀ ଦପ୍ତରଠାରୁ ଆରମ୍ଭ କରି କଲେକ୍ଟୋରିଟିଏଟ୍, ବିଡ଼ିଓ ଅଫିସ ଯେତେ ସବୁ ସରକାରୀ ଦପ୍ତର ଅଛି ତାହାକୁ ଗୋଟିଏ(ୟୁନିଫର୍ମ) ରଙ୍ଗ ଦିଆଯିବ ବୋଲି ପୂର୍ବରୁ ନିଷ୍ପତ୍ତି ସରିଛି । ସେଥିରେ ପୁରୀ ବଡ଼ଦାଣ୍ଡ ପାଶ୍ୱର୍ରେ ଥିବା ସବୁ କୋଠାକୁ ସାମିଲ କରାଯାଇଛି । ତେବେ ଏହି ରଙ୍ଗଟି କ’ଣ ହେବ ସେ ନେଇ ଏକାଧିକ ବୈଠକ ସରିଛି । ଶେଷରେ ସବୁଜ ରଙ୍ଗକୁ ଚୟନ କରାଯାଇଛି । ବିଜୁ ଜନତା ଦଳର ଚିହ୍ନ, ପତାକା, ଟୋପି, ଗଞ୍ଜି ଆଦି ସବୁଜ ରଙ୍ଗର ହୋଇଥିବାରୁ ଏହା ସରକାରୀ ଦପ୍ତର ଓ ବଡ଼ଦାଣ୍ଡ କୋଠାରେ ଲାଗିଲେ ମନୋହର ଓ ଆକର୍ଷଣୀୟ ହେବ । ଲୋକଙ୍କ ମନ ଓ ହୃଦୟକୁ ଝଲସେଇବ । ସରକାରଙ୍କ ମନ ବୁଝି ଅଫିସରଗୋଷ୍ଠୀ ଏହି ନିଷ୍ପତ୍ତିରେ ପହଞ୍ଚିଛନ୍ତି । ଏ ପର୍ଯ୍ୟନ୍ତ ସରକାରୀ ମୋହର ବାଜି ନ ଥିଲେ ମଧ୍ୟ ଆପାତତଃ ଏହା ହିଁ ଚୂଡ଼ାନ୍ତ ଏବଂ ଏଥିରେ ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ମିଳିଛି ।